କରୋନା କାହାଣୀ: ସ୍ବାଭିମାନ ସହ ବଞ୍ଚିବା ଶିଖାଇଦେଲା

ଚାନ୍ଦୋଳ: ‘ପରିସ୍ଥିତିକୁ ସାମନା କରିବାର ସାହାସ ଥିଲେ ସମାଜରେ ମଣିଷ ନିଜ ଗୋଡ଼ରେ ଠିଆ ହେବାରେ ଅସୁବିଧା ନ ଥାଏ।’ କରୋନା ଯୋଗୁ ଦିଲ୍ଲୀରୁ ନିଜ ଗାଁକୁ ଫେରି ଆସି ପରିବା ବେପାର କରୁଥିବା ସ୍ବାଭିମାନୀ ଯୁବକ ଏଭଳି ଦୃଢେ଼ାକ୍ତି ରଖିଛନ୍ତି। ଏହି ଯୁବକ ଜଣଙ୍କ ହେଉଛନ୍ତି ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ସବଳଙ୍ଗ କଣିପଡ଼ା ଗ୍ରାମର ଜିତେନ୍ଦ୍ର କୁମାର ସେଠୀ। ବିବାହିତ ଓ ଏକ କନ୍ୟା ସନ୍ତାନର ଜନକ। ଦିଲ୍ଲୀର ଏକ ଅଟୋମୋବାଇଲ୍ କମ୍ପାନିରେ ଦୀର୍ଘ ବର୍ଷ ହେବ ମେକାନିକ୍ ଭାବେ କାର୍ଯ୍ୟ କରିଆସୁଥିଲେ। ଗତ ବର୍ଷ ଜାନୁଆରି ମାସରେ ଏହି କମ୍ପାନିର ଜିତେନ୍ଦ୍ରଙ୍କ ସମେତ ଉକ୍ତ କମ୍ପାନିରେ କାମ କରୁଥିବା ୫୦ରୁ ଅଧିକ ମେକାନିକ୍ ସେମାନଙ୍କର ଦରମା ବଢାଇବା ଓ ଚାକିରି ସ୍ଥାୟୀ କରିବା ପାଇଁ ନିକଟରେ ଦାବି କରି ହରତାଳ କରିଥିଲେ।

ପରେ ସାରା ଦେଶରେ ମାର୍ଚ୍ଚ ଶେଷ ଭାଗରେ କରୋନା ପାଇଁ ଲକ୍‌ଡାଉନ୍ ଆରମ୍ଭ ହୋଇଗଲା। ଏହି ମଉକାରେ କମ୍ପାନି ସେମାନଙ୍କୁ ବିଦା କରିଦେଲା। ସେବେଠାରୁ ଜିତେନ୍ଦ୍ର ଗାଁକୁ ପଳାଇ ଆସିଲେ। ହେଲେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଏବଂ ସ୍ବାଭିମାନ ସହ ପରିବାର ପ୍ରତିପୋଷଣ ପାଇଁ ଅଳ୍ପ ମୂଳଧନରେ ବେପାର କରିବା ପାଇଁ ସ୍ଥିର କଲେ। ଶେଷରେ ପରିବା ବେପାରକୁ ଆଦରି ନେଲେ। ଚାଷୀମାନଙ୍କଠାରୁ ପନିପରିବା କିଣି ଗାଁ ନିକଟରେ ଚାନ୍ଦୋଳ ଓ ନିଶ୍ଚିନ୍ତକୋଇଲି ହାଟରେ ସାପ୍ତାହରେ ୪ଦିନ ପରିବା ବେପାର ଆରମ୍ଭ କରିଦେଲେ। ଏବେ ସ୍ବାଭିମାନ ସହ ବଂଚିବା ଭଳି ମନୋଭାବ କରୋନା ହିଁ ତାଙ୍କଠାରେ ଜାଗ୍ରତ କରିଛି ବୋଲି କହିଛନ୍ତି ସେ।

ସମ୍ବନ୍ଧିତ ଖବର