କରୋନା ବଦଳେଇ ଦେଇଛି ଜୀବନଚର୍ଯ୍ୟା; ରାତିପାହିଲେ ପରିବା, ସଉଦା ଚିନ୍ତା

ଜୟପୁର: କରୋନା ଭୂତାଣୁକୁ ରୋକିବା ପାଇଁ ଲାଗିଛି ଲକଡାଉନ। କିଛିକାଂଶରେ କଟକଣା କୋହଳ ହୋଇଥିବା ବେ‌ଳେ ଆଉ କିଛି କଟକଣା ରହିଛି। ଟ୍ରେନ୍ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଖୋଲିବା ନେଇ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ଏହି କରୋନା କଟକଣା ସମସ୍ତଙ୍କ ଜୀବନଚର୍ଯ୍ୟାକୁ ବଦଳାଇ ଦେଇଛି। ରାତି ପାହିଲେ ପରିବା, ସଉଦା ଚିନ୍ତା ଘାରୁଛି।

ସରକାର ଦେଇଥିବା ନିର୍ଦେଶ ମୁତାବକ, ସକାଳୁ ଲୋକେ ମର୍ଣ୍ଣିଂ ୱାକ ଘଣ୍ଟାଏ କାଳ କରିବାକୁ ବାହାରୁଛନ୍ତି। ଆଉ କିଛି ଲୋକେ ଲୁଛା ଛପାରେ ସାନ୍ଧ୍ୟ ଭ୍ରମଣରେ ବାହାରୁଛନ୍ତି। ଏଭଳି ଚିତ୍ର ଜୟପୁର ସହରରେ ଦେଖିବାକୁ ମିଳୁଛି। କରୋନା ଯେମିତି ଜୟପୁର ସହରବାସୀଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣି ଦେଇଥିବା ମନେ ହେଉଛି।

ଲକଡାଉନ ଘୋଷଣା ସମୟରେ ଔଷଧ, ରାସନ୍ ଓପରିବା ଦୋକାନ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସ୍ବଳ୍ପ ସମୟ ଅନୁସାରେ ଖୋଲା ଯାଉଥିଲା। ଫଳରେ ଲୋକମାନେ ରାତିପାହିବା କ୍ଷଣି ଅତ୍ୟାବଶ୍ୟକ ସମାଗ୍ରୀ ଆଣିବାକୁ ଭୋରରୁ ଉଠୁଥିଲେ। ଆଉ ବ୍ୟବସାୟୀ ମାନେ ବି ତତ୍ପର। ଯେଉଁ ମାନେ ସକାଳ ୮ଟାରୁ ୯ଟା ଭିତରେ ଦୋକାନ ଖୋଲୁଥିଲେ ସେମାନେ ବି ଦେଢ଼ଘଣ୍ଟା ଆଗରୁ ଦୋକାନରେ ହାଜର। ଏହା ବର୍ତ୍ତମାନ ବ୍ୟବସାୟୀ ଓ ଜନସାଧାରଣଙ୍କ ଅଭ୍ୟାସରେ ପରିଣତ ହୋଇସାରିଛି।

ଜିଲ୍ଲାରେ ସକାଳୁଆ କାର୍ଯ୍ୟାଳୟ ହୋଇଥିବାରୁ କର୍ମଚାରୀ ମାନେ ବି ସକାଳୁ ଉଠି କାର୍ଯ୍ୟାଳୟକୁ ଯିବାକୁ ପ୍ରସ୍ତୁତି ଚଳାଉଛନ୍ତି। ଏହି ସ୍ଥିତିରେ ବ୍ୟବସାୟୀ ମାନେ ବି ଭୋରରୁ ଉଠି ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଉଛନ୍ତି। ସକାଳ ୫ଟା ବାଜିବା ମାତ୍ରକେ ପାୱରହାଉସ୍ ‌କଲୋନୀରୁ ବାଇପାସ ରାସ୍ତା, ହଳଦିଆ ବ୍ରିଜ୍, ଗାନ୍ଧିଛକ, ଷ୍ଟାଡିୟମ, ପାରାବେଢ଼ାରୁ କେନାଲ ରୋଡ, ପାଞ୍ଜିଆଗୁଡା, ସଉରାଗୁଡା-ଗାଗନପୁର ଆଦି ରାସ୍ତା ଓ ପଡିଆରେ ଭ୍ରମଣରେ ଲୋକେ ଯାଉଥିବା ଦେଖିବାକୁ ମିଳିଛି। ସବୁ ଠାରୁ ବଡ କଥା ହେଲା ଲକଡାଉନ ପର ଠାରୁ ଯାନବାହନ ଚଳାଚଳ କମ୍ ଥିବାରୁ ପ୍ରଦୁଷଣ ବି କମ୍ ରହିଛି। ଫଳରେ ଏଭଳି ସୁସ୍ଥ ଜଳବାୟୁ ଓ ବାତାବରଣରେ ବୁଲିବାକୁ ‌ବି ଲୋକେ ପସନ୍ଦ କରୁଛନ୍ତି। କର୍ମକ୍ଷେତ୍ରରେ ବ୍ୟସ୍ତ ରହୁଥିବା ସହରବାସୀ ଏବେ ପରିବାରକୁ ସମୟ ଦେଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ କରେନା କଟକଣା ଲୋକଙ୍କ ଜୀବନଚର୍ଯ୍ୟାକୁ ବଦଳାଇଛି।

ସମ୍ବନ୍ଧିତ ଖବର