ଇନ୍ଦୁପୁର: କରୋନା କାହା ଜୀବନ ଉଜାଡ଼ିଛି ତ କାହାର ଜୀବନକୁ ସଜାଡ଼ି ବି ଦେଇଛି। କାହା ପାଇଁ କିଛି କରିବାର ସୁଯୋଗ ବି ଆଣି ଦେଇଛି। ମହାମାରୀ ବେଳେ କିଛି କରି ଦେଖାଇଥିବା ଏମିତି ଜଣେ ଯୁବକ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ୍ ଧୁମାତ୍ ଗ୍ରାମର ସଫଳ ଯୁବଚାଷୀ ପବିତ୍ର ଦାସ। କାଶୀନାଥ ମହାବିଦ୍ୟାଳୟରୁ +୨ ପାସ କରିବା ପରେ ଘରେ ରହି ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
କରୋନାରେ କଲେଜ ବନ୍ଦ ଥିବାରୁ ଘରେ ସମୟ ନଷ୍ଟ ନ କରି ଚାଷରେ ମନ ଦେଇଥିଲେ।
ନିଜ ବାଡିରେ ଥିବା ସାଢେ଼ ତିନି ଏକର ଜମିରେ ଫଳାଇଛନ୍ତି ବାଇଗଣ, ଝୁଡୁଙ୍ଗ, କୋବି, କାକୁଡି ଆଉ ଭଳିକି ଭଳି ଶାଗ। ପବିତ୍ର କୁହନ୍ତି, ଏହି କାମ ପାଇଁ ବାପା ଭୀମସେନ ଦାସଙ୍କଠାରୁ ପ୍ରେରଣା ପାଇଛନ୍ତି। ମା’ କମଳା ମଧ୍ୟ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ଚାଷ ପାଇଁ ପାଖାପାଖି ୧୦ ରୁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାସିକ ୮ ରୁ ୧୦ ହଜାର ଟଙ୍କାର ପନିପରିବା ବିକ୍ରି ହେଉଛି। ‘ମୋ ବଗିଚା’ ଯୋଜନାରେ ଆର୍ଥିକ ସହାୟତା ଅନୁଦାନ ପାଇଁ ସାଧାରଣରେ ଦାବି ହୋଇଛି ।