ବୃତ୍ତି ବଦଳାଇ ଦେଲା କରୋନା; ଚା’ ଦୋକାନୀ ବିକୁଛନ୍ତି ଆମ୍ବ, ତରଭୁଜ

ରାଇସୁଙ୍ଗୁଡ଼ା: କରୋନା କରନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା ବେଳେ ଶନିବାର  ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି କଟକଣାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଏଥିଯୋଗୁଁ ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତିମାନେ ନିଜର ବୃତ୍ତି ହରାଇଛନ୍ତି। ଏଭଳି ସମସ୍ୟାରେ ପଡ଼ିଥିବା ସାଲେପୁର ବ୍ଲକ୍‌ ମୀର୍ଜାପୁର ପଞ୍ଚାୟତ କାନପୁର ଗ୍ରାମର ଭାଗ୍ୟଧର ସାହୁ ଅନ୍ୟ ବ୍ୟବସାୟକୁ ବାଛି ନେଇଥିବା ଦେଖିବାକୁ ମିଳିଛି।

ଭାଗ୍ୟଧର ଦୀର୍ଘ ୮ବର୍ଷ ହେଲା ରାଇସୁଙ୍ଗୁଡା ବଜାରରେ ଚାହା ଦୋକାନ କରି ଜୀବିକାନିର୍ବାହ କରୁଥିଲେ। ଲକଡାଉନ ପରେ ସେ ଆଉ ଦୋକାନ ଖୋଲିପାରି ନ ଥିଲେ। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା। ଏବେ ସେ କଟକଣାରୁ ମୁକ୍ତ ଥିବା ଆମ୍ବ ଓ ତରଭୁଜ ବ୍ୟବସାୟକୁ ଆପଣେଇ ନେଇଛନ୍ତି। ସେହିପରି ଗଙ୍ଗେଶ୍ୱର, ବୋଦମୁଣ୍ଡାଇ, ମନୋହରପୁର, ଜପକୁଦ, ପଟୁଆ ଆଦି ବଜାରରେ ଅନେଇ ବ୍ୟକ୍ତି ନିଜର ପୂର୍ବ ବ୍ୟବସାୟକୁ ବଦଳାଇ ପରିବା ବିକୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର