କରୋନା କଷଣ: ଦିଲ୍ଲୀର ପାଣି ପାଇପ୍‌ କାରିଗର ଏବେ ଗାଁର ତେଜରାତି ଦୋକାନୀ

ପଟ୍ଟାମୁଣ୍ତାଇ: ମହାମାରୀ କରୋନାର କାରୁଣ୍ୟ ଅସୁମାରୀ। କରୋନା କେତେ ଯେ ଲୋକଙ୍କ ଜୀବନ ଜୀବିକା ବଦଳାଇ ଦେଇଛି ତାହା କହିବା ମୁସ୍କିଲ। ରାଜ୍ୟ ବାହାରେ କାମ କରି ଦୁଇ ପଇସା ରୋଜଗାର କରୁଥିବା ମଣିଷକୁ ଫେରିବାକୁ ପଡିଛି ନିଜ ଭିଟାମାଟିକୁ। ଏଠି କାମ ଦାମ ନ ଥିବାରୁ କିଏ ଦିନ ମଜୁରିଆ ସାଜିଛି ତ କିଏ ବେପାରକୁ ପେଟ ପାଟଣାର ମାଧ୍ୟମ ଭାବେ ବାଛି ନେଇଛି। ଗାଁଗହଳିଠୁ ଆରମ୍ କରି ସହରରେ ସବୁଠି ମିଳିଯିବ କରୋନା କାରୁଣ୍ୟର ଏଭଳି କାହାଣୀ।

ପଟ୍ଟାମୁଣ୍ତାଇ ବ୍ଳକ ନିମପୁର ଗ୍ରାମର ର˚ଜନ କୁମାର ରାଉତ। ୨୫ ବର୍ଷ ହେଲା ଦିଲ୍ଲୀରେ ପାଣି ପାଇପ କାରିଗର ଭାବେ କାମ କରୁଥିଲେ। ଗାଁରେ ରହୁଥିବା ପତ୍ନୀ, ପୁଅ, ଦୁଇଝିଅ ଓ ମା’ଙ୍କ ପେଟକୁ ଆହାର ଯୋଗାଉଥିଲେ। କରୋନାଜନିତ ଲକ୍‌ଡାଉନ ପରେ ସେ ଦିଲ୍ଲୀ ଛାଡି ଗାଁକୁ ଫେରି ଆସିଲେ। ଏଠାକୁ ଆସିବାର ୬ ମାସ ପରେ ସେ ନିଜେ ଏହି ରୋଗର ଶିକାର ହେଲେ। କରୋନାରୁ ସୁସ୍ଥ ହେବା ପରେ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଲା।

କି˚ଚିତ ସ˚ଚିତ ଅର୍ଥ ବିନିଯୋଗ କରି ନିଜ ଗ୍ରାମ ନିମପୁରଠାରେ ଏକ ତେଜେରାତି ଦୋକାନ ଖୋଲିଛନ୍ତି। ଏକମାତ୍ର ପୁଅ ଅବିନାଶ ଗତବର୍ଷ ବିଜ୍ଞାନରେ ଗ୍ରାଜୁଏସନ କରିବା ପରେ ବାପାଙ୍କୁ ବ୍ୟବସାୟୀରେ ସହଯୋଗ କରୁଛନ୍ତି। ଆର୍ଥିକ ସମସ୍ୟା, ଅନ୍ୟପଟେ ସ୍କୁଲ, କଲେଜ ବନ୍ଦ ଥିବାରୁ ଅବିନାଶଙ୍କ ଉଚ୍ଚ ଶିକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ୨୫ ବର୍ଷ ଧରି ଗୋଟିଏ ବିଭାଗରେ କାମ କରି ଅଭିଜ୍ଞତା ଅର୍ଜନ କରିଥିବା ବେଳେ ବ୍ୟବସାୟ ସହିତ ହଠାତ୍‌ ଅଭ୍ୟସ୍ତ ହୋଇପାରୁ ନାହାନ୍ତି ବୋଲି କହିଛନ୍ତି ରଂଜନ। ସ୍ଥାନୀୟ ପଟ୍ଟାମୁଣ୍ତାଇ ବଜାର ଓ ଯାଜପୁରରୁ ତେଜରାତି ସାମଗ୍ରୀ କିଣି ଏଠାରେ ବ୍ୟବସାୟ କରୁଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଏହି କାମଛଡା ଆଉ ଅନ୍ୟ ଉପାୟ ନ ଥିଲା ବୋଲି ସେ କହିଛନ୍ତି। କରୋନା କଟକଣା ସରିଯିବା ପରେ ସେ ଆଉ ଦିଲ୍ଲୀ ଯିବେନାହିଁ। ଏହାଛଡା ସେ ନିଜ ଗାଁ ସହ ଆଖପାଖ ଗାଁର ଲୋକମାନଙ୍କ ବିଭିନ୍ନ ସମସ୍ୟା ଓ ଜନହିତକର କାର୍ଯ୍ୟ ସହ କରୋନା ମହାମାରୀ ଉପରେ ସଚେତନ କରାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର