ଲୁଚିଛି କରୋନା, ଶୀତରେ ମାରାତ୍ମକ ସାଜିବ: ସଂକ୍ରମିତ ଦୁଇ ପ୍ରକାର, କାଗଜପତ୍ରରେ ପଜିଟିଭ୍‌ ହାର କମିଛି

ବ୍ରହ୍ମପୁର: ଅନ୍‌ଲକ୍‌ ୫.୦ରେ ଜୀବନଯାତ୍ରା ପ୍ରାୟତଃ ସ୍ବାଭାବିକ ଆଡ଼କୁ ଗତି କରୁଛି। ଦିନେ ହଟ୍‌ସ୍ପଟ୍‌ ତାଲିକାର ଶୀର୍ଷରେ ଡହ ଡହ ଜଳୁଥିବା ଗଞ୍ଜାମ ଜିଲ୍ଲାରେ କେତେକ କ୍ଷେତ୍ରରେ କରୋନା ଚାଲିଗଲାଣି ବୋଲି ଲୋକେ ମନେ ମନେ ଭାବି ନେଲେଣି। ଆସ୍ତେ ଆସ୍ତେ ସାମଜିକ ଦୂରତ୍ବ ନିୟମ ଢିଲା ହୋଇ ଚାଲିଛି। ଅଧିକାଂଶ ମାସ୍କ୍‌ ପିନ୍ଧୁ ନାହାନ୍ତି। କିନ୍ତୁ ଦୀର୍ଘ ୫ ମାସର ଲଢ଼େଇ ପରେ ବି ବାସ୍ତବରେ ଗଞ୍ଜାମ ଜିଲ୍ଲା ଏଯାବତ୍‌ କରୋନା ମୁକ୍ତ ହୋଇନାହିଁ। ବରିଷ୍ଠ ଛାତିରୋଗ ବିଶେଷଜ୍ଞ ଡାକ୍ତର ନାରାୟଣ ମିଶ୍ର କହିିଛନ୍ତି, ସଂକ୍ରମଣ ହାର ବାସ୍ତବରେ କମିନାହିଁ। କାଗଜପତ୍ରରେ ସଂକ୍ରମଣ ହାର କମିଯାଇଛି। ସଂକ୍ରମିତ ଲୋକ ଦୁଇ ପ୍ରକାର। ଗୋଟିଏ ଭାଗ ଲୋକଲୋଚନ ଆସୁଥିବା ବେଳେ ଅନ୍ୟ ଭାଗଟି ଲୋକଲୋଚନକୁ ଆସୁନାହାନ୍ତି। ବୈଜ୍ଞାନିକଙ୍କୁ ନେଇ ସରକାରଙ୍କ ଦ୍ବାରା ଗଠିତ ବିଶେଷଜ୍ଞ ମଣ୍ଡଳୀ କହିଲେଣି, ଦେଶର ୩୦ ପ୍ରତିଶତ ଲୋକ ସଂକ୍ରମିତ ହେଲେଣି। ଫେବ୍ରୁଆରି ସୁଦ୍ଧା ଏହି ହାର ୫୦ ପ୍ରତିଶତ ହେବ। ତେଣୁ ଗଞ୍ଜାମର ମଧ୍ୟ ସ୍ଥିତି ମଧ୍ୟ ଅନୁରୂପ। ଲୋକଲୋଚନକୁ ଆସୁ ନ ଥିିବା ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାରେ ଅଧିକ। ଜ୍ବର, ଥଣ୍ଡା, କାଶରେ ପଡ଼ିତ ବ୍ୟକ୍ତି ମେଡିକାଲ ନ ଆସି ଟେଷ୍ଟ ନ କରି ମରୁଛନ୍ତି। ସଂକ୍ରମଣ ବରଫ ଗଦା ମଧ୍ୟରେ ଲୁଚି ରହିବା(ଡିଫ୍‌ ଅଫ୍‌ ଦି ଆଇସ୍‌ବର୍ଗ) ଭଳି ରହିଛି।

ବର୍ତ୍ତମାନ ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ସେରୋ ସର୍ଭେର ଆବଶ୍ୟକତା ରହିଛି। ମୃତ୍ୟୁ ହାର ନିଶ୍ଚିତ କମିଛି। ଲୋକମାନେ ଏହି ରୋଗବିଷୟ ଜାଣିଲେଣି ଓ ସଚେତନ ହେଲେଣି। କିନ୍ତୁ ବିପଦ ଟଳିନି, ଶୀତ ଆସୁଥିବାରୁ ବଡ଼ ବିପଦ ରହିଛି। ତେଣୁୁ ବିଶେଷକରି ବୟସ୍କ ଓ ରୋଗାକ୍ରାନ୍ତ ଯୁବପୀଢି ସତର୍କ ରହିବାର ଆବଶ୍ୟକ ରହିଛି। ପ୍ରତିଷେଧକ ବ୍ୟବସ୍ଥା ନ ଆସିବା ପର୍ଯ୍ୟନ୍ତ ସ୍କୁଲ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଦରକାର।
କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବା ଓ ସୁସ୍ଥ ହାର ବୃଦ୍ଧି ଜିଲ୍ଳା ପାଇଁ ଶୁଭ ସଙ୍କେତ। ସରକାରୀ ହିସାବରେ ଏହି ମହାମାରୀ ଆଜି ସୁଦ୍ଧା ଜିଲ୍ଲାରେ ୨୨୫ ମୁଣ୍ଡ ନେଲାଣି। ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ଏବେ ବି ପ୍ରାୟ ପ୍ରତିଦିନ ଲୋକ ଜ୍ବର, ଥଣ୍ଡା, କାଶରେ ପୀଡ଼ିତ ହୋଇ ମେଡ଼ିକାଲ ନ ଆସି ଘରେ ମରୁଛନ୍ତି। ଏପରିକି ଜିଲ୍ଲାରେ ଆଜି ଲୋକମାନେ କରୋନା ପରୀକ୍ଷା କରିବାକୁ ଡରୁଛନ୍ତି। ଶେଷ ମୁହୂର୍ତ୍ତରେ ମେଡକାଲ ଆସିଲା ବେଳକୁ ଚିକିତ୍ସା ପୂର୍ବରୁ ମୃତ୍ୟୁ ଘଟୁଛି। ଏଭଳି ଅନେକ ମାମଲା ଘଟୁଛି ଏବଂ ଏଭଳି କ୍ଷେତ୍ରରେ କୋଭିଡ୍‌ ପରୀକ୍ଷା ହୋଇ ନଥିବାରୁ ଶବ ସତ୍କାର ବେଳେ ମଧ୍ୟ କୋଭିଡ୍‌ ଏସ୍‌ଓପି ପାଳନକୁ ଗୁରୁତ୍ବ ଦିଆଯାଉ ନାହିଁ। କରୋନା କାୟା କିଛି ମାତ୍ରାରେ ଥମିଥିଲେ ହେଁ ଜିଲ୍ଲା ସମ୍ପୂର୍ଣ୍ଣ ମୁକ୍ତ ହୋଇନାହିଁ।

ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଅଗ୍ରୱାଲ୍‌ କହିଛନ୍ତି, କରୋନା ଚିକିତ୍ସା ଔଷଧ, ନିରାକରଣ ଲାଗି ଭ୍ୟାକ୍ସସିନ୍‌ ନ ଆସିବା ପର୍ଯ୍ୟନ୍ତ ଆମକୁ ସାବଧାନ ରହିବାକୁ ହେବ। ଜଗିରଖି ଚଳିବାକୁ ପଡ଼ିବ। ଶୀତଦିନେ ସ୍ଥିତି ସଙ୍ଗିନ ହେବାକୁ ଯାଉ ଥିବାରୁ ସଜାଗ ହେବାକୁ ପଡ଼ିବ। କରୋନା ହେଉଛି ଏକ ଥଣ୍ଡା ଓ କାଶର ଭୂତାଣୁ। ଶୀତଦିନେ ସାଧାରଣ ଥଣ୍ଡା, କାଶ ଓ ଜ୍ବର ହୋଇଥାଏ। ସବୁ ଥଣ୍ଡା, କାଶ ଓ ଜ୍ବର କରୋନା ନୁହେଁ ବୋଲି କହିହେବନି। ତେଣୁ ସଂକ୍ରମଣ ହାର ଶୀତଦିନେ ବହୁତ ବଢିବା ଆଶଙ୍କା ରହିଛି। ଏସ୍‌ଏମ୍‌ଏସ୍‌ ମନ୍ତ୍ର ଛାଡ଼ି ଦେଲେ ବିପଦରେ ପଡ଼ିବା ସୁନିଶ୍ଚିତ। ବର୍ତ୍ତମାନ ସଂକ୍ରମଣ ହାର କମିଛି, ଆରୋଗ୍ୟ ହାର ବଢିଛି। ଗଞ୍ଜାମ ଜିଲ୍ଲାରେ ଜଣେ ବି ଶିଶୁର କରୋନାରେ ମୃତ୍ୟୁ ହୋଇନାହିଁ। ଶିଶୁଙ୍କୁ ସାଧାରଣତଃ କରୋନା ହୁଏ ନାହିଁ। ଅଳ୍ପ ଲକ୍ଷଣ ଓ ବିନା ଲକ୍ଷଣରେ କରୋନା ହୋଇଥାଏ। ସେହି ଶିଶୁ ମାନେ ଭଲ ହୋଇଯାଆନ୍ତି। ଦେଶରେ ୦.୪ ପ୍ରତିଶତ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ଏହି ହାର ଶୀତଦିନେ ବଢିବା ଆଶଙ୍କା ଯଥେଷ୍ଟ। ଶିଶୁଙ୍କ ପାଇଁଁ ଅଭିଭାବକ ଓ ବାପାମାଆ ବେଶି ସତର୍କ ହେବାର ଆବଶ୍ୟକତା ରହିଛି। ଅନ୍‌ଲାଇନ୍‌ ପାଠପଢ଼ାକୁ ଅଧିକ ପ୍ରାଥମକିକତା ଦେବାକୁ ହେବ। ପ୍ରତିଷେଧକ ନ ଆସିବା ପର୍ଯ୍ୟନ୍ତ ସ୍କୁଲ୍‌ ‌ଖୋଲିବା ଭୁଲ୍‌ ହେବ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସମୀକ୍ଷା ବୈଠକରେ କହିଛନ୍ତି, ସଂକ୍ରମଣ ରୋକିବାରେ ଉଦାହରଣ ପାଲଟିଥିବା କେରଳରେ ଓନମ୍ ପୂଜା ପାଳନ ଓ ସାମାଜିକ ଦୂରତ୍ବ ନରହିବା ଯୋଗୁଁ କରୋନା ଫେରିଲା। ସଂକ୍ରମଣ ବହୁଗୁଣା ବ୍ୟାପିଗଲା। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବୃଦ୍ଧି ରୋକିବା ସକାଶେ ଗଞ୍ଜାମରେ ସାର୍ବଜନୀନ ଦୁର୍ଗାପୂଜା ଉପରେ କଟକଣା ଲଗାଯାଇଛି। କରୋନା ଭୟ ସରିଗଲା ଭାବି ଲୋକେ ଢିଲା ମାରୁଥିବା ନଜର ଆସୁଛି। ଏଥି ସକାଶେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚାଲିଛି।

ସମ୍ବନ୍ଧିତ ଖବର