ବଣ୍ଡାଙ୍କୁ ଛୁଇଁଲା କରୋନା : ପ୍ରଶାସନ ବଣ୍ଡାଘାଟିରେ ପହଞ୍ଚି ଲୋକଙ୍କୁ ସଚେତନ କଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଅତି ଦୁର୍ଗମ ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡାଙ୍କୁ କରୋନା ସଂକ୍ରମିତ କରିଥିବା ନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଆଜି ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ବ୍ଲକ ପ୍ରଶାସନ ତରଫରୁ ବିଡିଓ ହୃଦରଂଜନ ସାହୁଙ୍କ ନେତୃତ୍ବରେ ବଣ୍ଡାଘାଟିର ଦୁଇଟି ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ବଣ୍ଟନ କରାଯାଇଥିଲା।ଏହାସହ ସମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ସଂପର୍କରେ ବିସ୍ତୃତ ଭାବେ ବୁଝାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ବଣ୍ଡା ଘାଟିରେ ବାସ କରୁଥିବା ଆଦିମ ଜନଜାତି କରୋନା ସଂପର୍କରେ ଅବଗତ ନୁହନ୍ତି।ଏହି ମହାମାରୀ ସଂପର୍କରେ ଅଜଣା ଥିବାରୁ ସେମାନେ ପୂର୍ବଭଳି ସାଧାରଣ ଜୀବନଯାପନ କରୁଛନ୍ତି।ଯାହାଫଳରେ କରୋନା ସଂକ୍ରମଣ ବଢିଛି।

ବଣ୍ଡାଘାଟିରେ ୧୨ ଜଣ ସଂକ୍ରମିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି।ଗାଁ ଗାଁରେ ରହିଥିବା ଆଶାକର୍ମୀ,ଅଂଗନବାଡି କର୍ମୀ,ଶିକ୍ଷକମାନଙ୍କ ସହ ବିଭିନ୍ନ ଏନଜିଓଙ୍କୁ ସଚେତନତା କାର୍ଯ୍ୟକ୍ରମରେ ଲଗାଯିବ ବୋଲି କୁହାଯାଇଛି।କୌଣସି ବଣ୍ଡାଙ୍କ ଶରୀରେ କୋରନା ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ କରିବା ସହ ମେଡିକାଲରେ ଭର୍ତ୍ତି କରିବାକୁ କୁହାଯାଇଛି।ସେହିପରି ବଣ୍ଡାଘାଟିକୁ ଲାଗି ରହିଥିବା ଆନ୍ଧ୍ର ସୀମା ଏବଂ କୋରାପୁଟ ସୀମାକୁ ସିଲ କରିଦିଆଯାଇଛି।ବାହାର ରାଜ୍ୟରୁ ଦାଦନ ଖଟି ଆସୁଥିବା ବଣ୍ଡାଙ୍କୁ ସଂଗରୋଧରେ ରଖିବାକୁ ନିର୍ଦେଶ ଦିଆଯାଇଛି।ବଣ୍ଡାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ଦରକାର ପଡିଲେ ହିଁ ଘରୁ ପଦାକୁ ବାହାରିବାକୁ କୁହାଯାଇଛି।ଏହି ରୋଗା ମାରାତ୍ମକ ବୋଲି ବୁଝାଯିବା ପରେ ବଣ୍ଡା ଲୋକ ଏହାକୁ ବୁଜିପାରିଛନ୍ତି।

ସମ୍ବନ୍ଧିତ ଖବର