ରାୟଗଡ଼ା ଜିଲ୍ଲା ରାଜସ୍ବ ଭାତହାଣ୍ଡିକୁ କରୋନା ମାଡ଼: ୮ ତହସିଲରେ ସ୍ଥିତି ନୈରାଶ୍ୟଜନକ 

ରାୟଗଡ଼ା: କରୋନା କବଳରୁ ବର୍ତ୍ତିନି ଜିଲ୍ଲାର ରାଜସ୍ବ ଭାତହାଣ୍ଡି। ପ୍ରଭାବିତ ହୋଇଛି ରାଜସ୍ବ ଆଦାୟ। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୨୦ ଦିନ ବାକିଥିବା ବେଳେ ଧାର୍ଯ୍ୟ ଲକ୍ଷ୍ୟରୁ ମାତ୍ର ୫୦ ପ୍ରତିଶତ ରାଜସ୍ବ ଆଦାୟରେ ସକ୍ଷମ ହୋଇଛି ଜିଲ୍ଲା ପ୍ରଶାସନ। ଗୁଣପୁର ଉପଖଣ୍ଡ ସଦର ମହକୁମା ସମେତ ଜିଲ୍ଲାର ୮ ତହସିଲରେ ରାଜସ୍ବ ଆଦାୟ ସ୍ଥିତି ନୈରାଶ୍ୟଜନକ ରହିଛି। କରୋନା ବିପତ୍ତି ସମୟରେ ବନ୍ଦ ଥିବା ଲଘୁ ଖଣିଜ ଖାଦାନ ସ୍ଥିତି ସ୍ବାଭାବିକ ପରେ ଖୋଲିଥିବା ବେଳେ ଚୋରି ବଢ଼ିବା କାରଣରୁ ରାଜସ୍ବ ଆଦାୟ କମିଥିବା ସନ୍ଦେହ କରାଯାଉଛି।

୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାର ୧୧ ତହସିଲର ଲଘୁ ଓ ସୁକ୍ଷ୍ମ ଖଣିଜ ଖାଦାନା ଗୁଡ଼ିକରୁ ରାଜ୍ୟ ସରକାର ୩୫ କୋଟି ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ। କରୋନା ଯୋଗୁ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ନିର୍ମାଣ କାମ ସଂପୂର୍ଣ୍ଣ ବନ୍ଦ ରହିବା କାରଣରୁ ବାଲି, ପଥର, କଳା ମୁଗୁନି ପଥର ଭଳି ଅନ୍ୟ ଖଣିଜ ଦ୍ରବ୍ୟ ଉତ୍ପାଦନ ପ୍ରଭାବିତ ହୋଇଥିଲା। ଅଗଷ୍ଟ ମାସରୁ ନିର୍ମାଣଧୀନ କାମକୁ ସରକାର ଅନୁମତି ଦେବା ପରେ ଧୀରେ ଧୀରେ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଥିଲା। ଅକ୍ଟୋବର ପରଠୁ ଉତ୍ପାଦନ ଦ୍ବିଗୁଣ ହୋଇଥିବା ବେଳେ ଜାନୁଆରୀ ମଧ୍ୟରେ ଅଧିକାଂଶ ଖାଦାନରୁ ଲିଜ୍ ମୁତାବକ ଖନନ ହୋଇ ସାରିଛି।

ଏପରିକି କିଛି ଖାଦାନରୁ ଲିଜଠୁ ଅଧିକ ପରିମାଣର ଖଣିଜ ଦ୍ରବ୍ୟ ଖନନ ହୋଇଛି। ଯାହା ଗୁଣପୁର ତହସିଲର ଓକିଲଗୁଡ଼ା ପଥର ଖାଦାନ, ମୁନିଗୁଡ଼ା ତହସିଲ କଣ୍ଟ୍ରାବାଲି ପାହାଡ଼ରୁ କଳା ମୁଗୁନି ପଥର ଖାଦାନ, ରାୟଗଡ଼ା ତହସିଲର ବେହେରାଗୁଡ଼ା, ତୁମ୍ବିଗୁଡ଼ା ବାଲି ଖାଦାନରେ ହୋଇଥିବା ଅନିୟମିତତାରୁ ସ୍ପଷ୍ଟ। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହି ୩ ତହସିଲର ଅନିମୟିତତା ଲୋକ ଲୋଚନକୁ ଆସିଥିବା ବେଳେ ପ୍ରାୟ ସବୁ ତହସିଲ ଅଧୀନରେ ଥିବା ଖାଦାନାରୁ ମାଫିଆମାନେ ଖଣିଜ ଦ୍ରବ୍ୟକୁ ଲୁଟି ନେଇଛନ୍ତି।

ଯାହା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ଲିଜଧାରୀଙ୍କୁ ପ୍ରଶାସନର ଅହେତୁକ ଅନୁକମ୍ପା ଯୋଗୁ ଓକିଲଗୁଡ଼ା ଖାଦାନାରେ ବେଆଇନ ବିସ୍ଫୋରଣ ୩ ଜୀବନ ନେଇଥିବା ବେଳେ ଅବହେଳା ପାଇଁ ଗୁଣପୁର ତହସିଲଦାରଙ୍କ ସମେତ ବହୁ ଅଧିକାରୀଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେହିପରି ମୁନିଗୁଡ଼ା କଳା ମୁଗୁନି ପଥର ଖାଦାନାରୁ ୯ କୋଟିରୁ ଉର୍ଧ୍ବ ରାଜସ୍ବ ଠକେଇ ଏବଂ ରାୟଗଡ଼ା ତହସିଲର ତୁମ୍ବିଗୁଡ଼ା, ବେହେରାଗୁଡ଼ା ଘାଟିରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ମାମଲାରେ ବିଭାଗୀୟ ଶାସନ ସଚିବଙ୍କ ତଦନ୍ତ ନିର୍ଦେଶ ସହିତ ହାଇକୋର୍ଟ ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ବାର୍ଷିକ ୩୫ କୋଟି ରାଜସ୍ବ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ଫେବ୍ରୁଆରୀ ସୁଦ୍ଧା ସରକାର ୨୭ କୋଟି ୭୯ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରିବାକୁ ଧାର୍ଯ୍ୟ କରିଥିଲେ। ହେଲେ ଆଦାୟ ହୋଇଛି ୧୭ କୋଟି ୫୯ ଲକ୍ଷ।

ସେଥି ମଧ୍ୟରୁ କେବଳ ଚୋରା ଚାଲାଣ ବାବଦକୁ ରାଜସ୍ବ ମିଳିଛି ୧୦ କୋଟି ୫୯ ଲକ୍ଷ ୮ ହଜାର ୮୨୧ ଟଙ୍କା। ରାୟଗଡ଼ା, କାଶୀପୁର, ଚନ୍ଦ୍ରପୁର ତହସିଲ ଶତ ପ୍ରତିଶତ ରାଜସ୍ବ ଆଦାୟ କରିଥିବା ବେଳେ ଅନ୍ୟ ୮ ତହସିଲର ରାଜସ୍ବ ଆଦାୟରେ ପଛରେ ପଡ଼ିଛନ୍ତି। ପଦ୍ମପୁର ତହସିଲ ୨୪.୧୦ ପ୍ରତିଶତ, କୋଲନରା ତହସିଲ ୩୨.୩୮ ପ୍ରତିଶତ, ଗୁଣପୁର ତହସିଲ ୩୨.୪୮ ପ୍ରତିଶତ, ମୁନିଗୁଡ଼ା ତହସିଲ ୪୩.୩୨ ପ୍ରତିଶତ, ରାମନାଗୁଡ଼ା ତହସିଲ ୫୪.୩୧ ପ୍ରତିଶତ, ଗୁଡାରି ୪୮.୪୫ ପ୍ରତିଶତ, କଲ୍ୟାଣସିଂହପୁର ୭୭.୮୭ ପ୍ରତିଶତ, ବିଷମକଟକ ୮୩.୭୧ ପ୍ରତିଶତ ରାଜସ୍ବ ଆଦାୟ କରିଛନ୍ତି।

ସମ୍ବନ୍ଧିତ ଖବର