ରାଉରକେଲା: ଜିଲ୍ଲାରେ ଅଣଆୟତ୍ତ କରୋନା ସଂକ୍ରମଣ। ସୁନ୍ଦରଗଡ଼ରେ ରାଉରକେଲା ସ୍ମାର୍ଟସିଟି ଚିନ୍ତାଜନକ ସ୍ଥିତି ରହିଛି। ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୩ ରହିଥିଲା। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୫୨୩ରେ ପହଞ୍ଚିଛି। ତିନି ଅଙ୍କରୁ ଦୁଇ ଅଙ୍କକୁ ଖସୁ ନାହିଁ। ୯୦% କରୋନା ଆକ୍ରାନ୍ତ ରୋଗୀ ଘରେ ଆଇସୋଲେସନ୍ରେ ରହିଛନ୍ତି। ୧୬୦ରୁ ଅଧିକ କରୋନା ରୋଗୀ ଜୟ ପ୍ରକାଶ, ଶାନ୍ତି ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଓ ରବିବାର ଦୁଇ ଦିନ ସାପ୍ତାହନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି।
ସୋମବାରଠାରୁ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିଛି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ଦିନ ୨୫୦୦ରୁ ଅଧିକ ଆର୍ଟିପିସିଆ୍, ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି। ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଛି। ଯେ ପର୍ଯ୍ୟନ୍ତ ଜିଲ୍ଲାର କରୋନା ସଂକ୍ରମଣ ସ୍ଥିତି ନ ସୁଧୁରିଛି ସରକାରଙ୍କ ନିର୍ଦ୍ଦେଶନାମାକୁ କଡାକଡ଼ି ଭାବେ ପାଳନ କରାଯିବ। ସେପଟେ ସେକ୍ଟର-୧, ସେକ୍ଟର-୨୦ରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବାରୁ ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଯାତାୟତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୁଲିସ, ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡ଼ି କରାଯାଇଛି। ମାକ୍ସ ଯାଞ୍ଚ ସହ ସାମାଜିକ ଦୂରତା ନିୟମ ପାଳନ କରୁ ନଥିବା ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଦରକାର ପଡ଼ିଲେ ଦୋକାନଗୁଡ଼ିକୁ ସିଲ୍ ମଧ୍ୟ କରାଯାଉଛି। କେବଳ ଏତିକି ନୁହେଁ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ପ୍ରତ୍ୟେକ ଦିନ କରୋନା ସ୍ଥିତିକୁ ନେଇ ଅତିରିକ୍ତ ଜିଲ୍ଲାପାଳ, ଏସ୍ପି, ଆର୍ଏମ୍ସି କମିଶନରଙ୍କ ସହ ଆଲୋଚନା କରୁଛନ୍ତି।
ଦିନକରେ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ସୁନ୍ଦରଗଡ ଜିଲ୍ଲାରେ ଲମ୍ଫ ଡ଼ିଆଁ ମାରୁଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ୨ଅଙ୍କରୁ ବୃଦ୍ଧି ପାଇ ତିନି ଅଙ୍କ ଛୁଇଁଛି। ଗତକାଲି ରାଜ୍ୟରେ ସୁନ୍ଦରଗଡ ଜିଲ୍ଳାର ସର୍ବାଧିକ ୬୩୧ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୫୨୩ରେ ପହଞ୍ଚିଛି। ତଥାପି ସ୍ଥିତି ଉଦ୍ବେଗଜନକ ରହିଛି। ଆଜି ଜିଲ୍ଲା ଗୋଟିଏ ଦିନରେ ସର୍ବାଧିକ ୧୩ ଜଣ କରୋନା ଆକ୍ରାନ୍ତରେ ଆଖି ବୁଜିଛନ୍ତି। ଏମାନଙ୍କ ମଧ୍ୟରେ ସ୍ମାର୍ଟସିଟି ରାଉରକେଲାରେ ଅଛନ୍ତି ୧୦ ଜଣ। ଲହୁଣୀପଡା, ବଡଗାଁ ଓ ଲେଫ୍ରିପଡା ବ୍ଲକରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ସେକ୍ଟର-୧ ଓ ୨୦ ମାଇକ୍ରୋ କନେଣ୍ଟମେଣ୍ଟ ଜୋନ୍ : ସମ୍ପୃକ୍ତ ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଆର୍ଏମ୍ସି କମିଶନର ଦିବ୍ୟଜ୍ୟୋତି ପରିଡା ଆଜି ମାଇକ୍ରୋକଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂକୁ ଜୋର୍ଦାର କରାଯାଇଛି। ସାଧାରଣ ଲୋକଙ୍କ ଯାତାୟତ, ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନକୁ ତୁରନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ ରହିଥିବା କ୍ବାର୍ଟର୍ସର ବାସିନ୍ଦାକୁ ଘରେ ରହିବାକୁ କୁହାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ଆର୍ଏସ୍ପି କର୍ମଚାରୀ ଓ ବସ୍ତିବାସିନ୍ଦାଙ୍କୁ ଅତ୍ୟାବଶ୍ୟକୀୟ ସେବା ସହ ସ୍ବାସ୍ଥ୍ୟସେବା ଆର୍ଏସ୍ପି ସହରସେବା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଆର୍ଏମ୍ସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।
୭ ଦୋକାନ ସିଲ୍, ୭୮ ହଜାର ଜରିମାନା : ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡ଼ି କରାଯାଇଛି। କୋଭିଡ଼ ଗାଇଡ୍ ଲାଇନ ଉଲ୍ଳଂଘନ କରିବାକୁ ଆର୍ଏମ୍ସି ପକ୍ଷରୁ ୭ଟି ଦୋକାନକୁ ସିଲ୍ କରାଯାଇଛି। ଉଦିତନଗରରେ ୪ଟି, ପ୍ଲାଣ୍ଟସାଇଟ୍ରେ ୨ଟି, ବଣାଇ ପୁଲିସ ଷ୍ଟେସନ ଅଧୀନରେ ଗୋଟିଏ ଦୋକାନ ରହିଛି। ବିନା ମାକ୍ସରେ ବୁଲୁଥିବାରୁ ତଣ୍ଡ ଗଣିଛନ୍ତି କିଛି ପୁରୁଷ ମହିଳା। ଏ ବାବଦରେ ମୋଟ ୭୮ ହଜାର ୮୦୦ ଟଙ୍କା ଆଦାୟ କରାଯାଇଛି। ଓଡ଼ିଶା ସୀମାନ୍ତ ବିଶ୍ରା ଥାନା ଅନ୍ତର୍ଗତ ମହିପାଣିରେ ଯାଞ୍ଚ କଡ଼ାକଡି କରାଯାଇଛି। ଏଥିସହ ବୀରମିତ୍ରପୁର, ବ୍ରାହ୍ମଣୀତରଙ୍ଗ ଅନ୍ତର୍ଗତ ଶଙ୍ଖ ପୋଲରେ ମଧ୍ୟ ପୁଲିସ ଯାଞ୍ଚକୁ ଅନୁରୂପ ଭାବେ କଡାକଡ଼ି କରିଛନ୍ତି।
ୟୁନିୟନ ବ୍ୟାଙ୍କ ଅପ୍ ଇଣ୍ଡିଆ ବନ୍ଦ : ରାଉରକେଲା ମୁଖ୍ୟ ମାର୍ଗରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆନରେ କାର୍ଯ୍ୟରତ ପ୍ରାୟ ୧୪ରୁ ଅଧିକ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବ୍ୟାଙ୍କ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ସଂକ୍ରମଣର ଭୟ ଥିବାରୁ କର୍ତ୍ତୃପକ୍ଷ ବ୍ୟାଙ୍କକୁ ବନ୍ଦ କରିଦେବା ସହ ନୋଟିସ୍ ଜରିଆରେ ଅବଗତ ଗ୍ରାହକଙ୍କୁ ଅବଗତ କରାଇଛନ୍ତି।