କରୋନା ଟିକାକୁ ପେଟେଣ୍ଟ ମୁକ୍ତ ଦାବି, ସ୍ୱଦେଶୀ ଜାଗରଣ ମଞ୍ଚ ପାଳିଲା ବିଶ୍ୱ ଜାଗୃତି ଦିବସ
କୋରାପୁଟରୁ ୨୦ ହଜାର ଦସ୍ତଖତ
କୋରାପୁଟ: କରୋନା ଟିକା ଏବଂ ଔଷଧ ଗୁଡିକୁ ସର୍ବସୁଲଭ କରିବାପାଇଁ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଜୁନ ୨୦ ତାରିଖକୁ ଜାଗୃତି ଦିବସ ରୂପେ ପାଳନ କରାଯାଇଛି । ମଞ୍ଚର କୋରାପୁଟ ନଗର ସଂଯୋଜକ ଉମାଶଙ୍କର ଦାସ କହିଛନ୍ତି, ଯେ ସାରା ବିଶ୍ୱ ଆଜି କରୋନା ମହାମାରୀ ସହିତ ଲଢ଼ୁଛି । ମାନବତାର ରକ୍ଷାପାଇଁ ଏକମାତ୍ର ଉପାୟ ସମସ୍ତଙ୍କର ଟିକାକରଣ। ଏଥିପାଇଁ କରୋନା ଟିକା ଓ ଔଷଧ ଗୁଡିକୁ ପେଟେଣ୍ଟ ମୁକ୍ତ କରିବାର ଆବଶ୍ୟକତା ରହିଛି।
ପେଟେଣ୍ଟ ମୁକ୍ତ ଟିକା ଅଧିକାର ପାଇଁ ବିଶ୍ୱର ୧୨୦ରୁ ଅଧିକ ଦେଶରେ ଅଭିଯାନ ଚାଲୁରହିଛି । ଯଦି ବିଶ୍ୱରେ କୌଣସି ଜାଗାରେ ବି କୋଭିଡ-୧୯ ଭାଇରସ ରହିଯାଏ, ତେବେ ଏହା ସମ୍ପୂର୍ଣ୍ଣ ମାନବତା ପାଇଁ ବିପଦ ସାଜିବ । ତେଣୁ ଆଜିର ଆବଶ୍ୟକତା ରହିଛି, ଗରିବରୁ ଗରିବ ଦେଶର ଜନସାଧାରଣଙ୍କୁ ବି ଟିକାକରଣ କରାଯାଉ, ଏଥିନିମନ୍ତେ ମହଙ୍ଗା କରୋନା ଟିକାକୁ ପେଟେଣ୍ଟ ମୁକ୍ତ କରାଯାଉ । ଯାଦ୍ୱାରା ଟିକାର ପ୍ରସ୍ତୁତି ଶୀଘ୍ର ହେବା ସହିତ ସୁଲଭ ମୂଲ୍ୟରେ ସମସ୍ତେ ପାଇପାରିବେ। ଏହି କାରଣରୁ ସମସ୍ତ ବିଶ୍ୱର କଲ୍ୟାଣହେତୁ, ସ୍ୱଦେଶୀ ଜାଗରଣ ମଞ୍ଚ ‘ବିଶ୍ଵବ୍ୟାପୀ ସର୍ବସୁଲଭ ଟିକାକରଣ ଓ ଔଷଧ ଅଧିକାର ଅଭିଯାନ’ ଜାରି ରଖିଛି ।
ଅଭିଯାନ ଅନ୍ତର୍ଗତ ଏକ ଅନଲାଇନ ଡିଜିଟାଲ ପିଟିସନ ଦସ୍ତଖତ ଅଭିଯାନ ଚାଲିଛି, ଯେଉଁଥିରେ ୨୦ ଲକ୍ଷରୁ ଅଧିକ ଲୋକଙ୍କର ଦସ୍ତଖତ ହୋଇଛି । ଆମ ଓଡିଶାରୁ ଏକ ଲକ୍ଷରୁ ଅଧିକ ଦସ୍ତଖତ ହୋଇଛି, କେବଳ କୋରାପୁଟ ଜିଲ୍ଲାରୁ ୨୦ ହଜାରରୁ ଅଧିକ ଲୋକ ଅନଲାଇନ ପିଟିସନରେ ଦସ୍ତଖତ କରିଛନ୍ତି । ଆଜି ପେଟେଣ୍ଟ ମୁକ୍ତ କରୋନା ଟିକା ବିଷୟରେ ଅଧିକ ଜନଜାଗରଣ କରିବାପାଇଁ ମଞ୍ଚ ପକ୍ଷରୁ ସର୍ବ ଭାରତୀୟ ସ୍ତରରେ ଭାରତର ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱ ଜାଗୃତି ଦିବସର ଆୟୋଜନ କରାଯାଇଛି।
କରୋନା କଟକଣାର ସମସ୍ତ ନିୟମ ମାନି ଆଜି କୋରାପୁଟରେ ଜାଗୃତି ଦିବସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ କୋରାପୁଟ ନଗର ସଂଯୋଜକଙ୍କ ସହିତ ମୃତ୍ୟୁଞ୍ଜୟ ଶତପଥୀ, ସୌମେନ୍ଦ୍ର କୁମାର ସ୍ୱାଇଁ, କେଶବ ପଟନାୟକ, ତନ୍ମୟ ପ୍ରଧାନ, ବନ୍ଦିତା ମିଶ୍ର, ରବିନାରାୟଣ ମିଶ୍ର, ମୁରଲୀଧର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କୋରାପୁଟ ନଗର ସହିତ ମହାଦେଇପୁଟ, ଡୁମୁରିପୁଟ, ପଡୁଆ, ନନ୍ଦପୁର, ସେମିଳିଗୁଡା, ଦାମନଯୋଡି, ବୋରିଗୁମ୍ମା, କୋଟପାଡ଼ ଆଦି ବିଭିନ୍ନ ସ୍ଥାନରେ ଜାଗୃତି ଦିବସ ପାଳନ କରାଯାଇଥିବା ଜଣା ଯାଇଛି ।