ସମ୍‌-କେୟାର୍‌-କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଫେରାଇ ଦେଲେ, କିମ୍‌ସ୍‌ ରଖିଲେ, ରାତିରେ ମୃତ୍ୟୁ

ବ୍ରହ୍ମପୁର: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ରୋଗୀଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଚାଲିଛି। ଉତ୍ତମ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାରୁ ଭୁବନେଶ୍ବର ଗଲେ ସେଠାରେ ରୋଗୀକୁ ଅଣଦେଖା କରାଯାଉଛି। ଚିକିତ୍ସା ପାଇଁ ଗୋଟିଏ ମେଡ଼ିକାଲରୁ ଅନ୍ୟ ମେଡ଼ିକାଲକୁ ଘୁରି ବୁଲିବାକୁ ପଡ଼ୁଛି। ଶେଷରେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ଶବ ହସ୍ତାନ୍ତର କଲେନି। ଏମିତିକି ମୃତଦେହକୁ ମଧ୍ୟ ଦେଖିବାକୁ ସୁଯୋଗ ଦିଆଯାଇ ନଥିଲା। ମୃତ୍ୟୁର ୪୮ ଘଣ୍ଟା ପରେ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ଆଜି ରାତିରେ ସୂଚନା ଦିଆଗଲା ବୋଲି ଅଭିଯୋଗ କରିଛନ୍ତି ବ୍ରହ୍ମପୁର ମହାନଗର ଗଜପତିନଗର ନିବାସୀ ବି. ସଂଗ୍ରାମ ପାତ୍ର। ତାଙ୍କ ବାପା ବି. ସାଇବ ପାତ୍ର(୫୪)ଙ୍କ ଗତ ୨୨ ତାରିଖ ଭୁବନେଶ୍ବର କିମସ୍ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୃତଦେହ ହସ୍ତାନ୍ତର କରାଯାଇ ନାହିଁ ବୋଲି ଫୋନ୍ ଯୋଗେ ସଂଗ୍ରାମ ସୂଚନା ଦେଇଛନ୍ତି।

ସଂଗ୍ରାମଙ୍କ କହିବାନୁଯାୟୀ, ଗତ ୧୯ ତାରିଖରେ ବାପା ସାଇବ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସକାଳ ୯ଟା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଜରୁରୀକାଳୀନ ୱାର୍ଡ଼ରେ ଦେଖିବା ପରେ ସଙ୍ଗରୋଧକୁ ପଠାଇ ଦେଇଥିଲେ। କିନ୍ତୁ ସ୍ବାବ ପରୀକ୍ଷା କରିନଥିଲେ। ସେଠାରେ ୩ ଦିନ ରହିବା ପରେ ଅଧିକ ଚିକିତ୍ସା ପାଇଁ ୨୨ ତାରିଖ ସକାଳୁ ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ବର ନେଇଥିଲେ। ପ୍ରଥମେ ସେମାନ‌େ ସମ୍ ହସ୍ପିଟାଲକକୁ ଯାଇଥିଲେ। କିନ୍ତୁ ରୋଗୀଙ୍କୁ ହସ୍ପିଟାଲ ଭିତରକୁ ନେବା ତ ଦୂର କଥା ବାହାରେ ହିଁ ଆମ୍ବୁଲାନ୍ସରେ ରୋଗୀକୁ ଦେଖି ଅନ୍ୟ କୌଣସି ମେଡିକାଲକୁ ନେଇଯାଅ ବୋଲି କହିଥିଲେ। ସାଇବଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବା ବେଳେ ତାଙ୍କୁ ସେଠାରୁ କେୟାର୍‌ ହସ୍ପିଟାଲକୁ ନେଇଥିଲେ। ‌ସେଠାରେ ଚିକିତ୍ସା ପାଇଁ ରାଜି ହୋଇଥିବା ବେଳେ ଟଙ୍କା ଡିପୋଜିଟ୍ କରିବା ପାଇଁ କହିଥିଲେ। ଏହାପରେ ସଂଗ୍ରାମ ୫୦ ହଜାର ଟଙ୍କା ଡିପୋଜିଟ୍ କରିଥିବା ବେଳେ ସାଇବଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ରିପ‌ୋର୍ଟରେ ନିମୋନିଆ ଆସିଥିବା ‌ନେଇ ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ। ମେଡିକାଲ୍‌ ଫି’ ବାବଦରେ ୩୪ ହଜାର ଟଙ୍କା କାଟି ୧୬ ହଜାର ଟଙ୍କା ଫେରସ୍ତ କରିବା ସହ ସାଇବଙ୍କ ଅବସ୍ଥା ଗୁରୁତର ରହିଛି, ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ନେବାକୁ କହିଥ‌ିଲେ। ପୁଣି ପରିବାରବର୍ଗ ସାଇବଙ୍କୁ ରାତି ପାଖାପାଖି ୮ଟା ବେଳେ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ଦେଖିବା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି ବୋଲି କହିଲେ ଏବଂ କରୋନା ଲକ୍ଷଣ ଥିବାରୁ ‌କିମସ୍ ହସ୍ପିଟାଲ୍‌କୁ ନେବାକୁ କହିଥିଲେ।

ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସାଇବଙ୍କୁ କିମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଇସିୟୁ ଖାଲି ନାହିଁ ଜେନରାଲ୍ ଓ୍ବାର୍ଡ଼ରେ ରଖିବା ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷ କହିଥ‌ିଲେ। ଗତକାଲି ସକା‌ଳେ ସଂଗ୍ରାମ ବାପାଙ୍କ ବିଷୟରେ ପଚାରିବା ପାଇଁ ମେଡ଼ିକାଲକୁ ଯାଇଥିଲେ। କିନ୍ତୁ କୌଣସି ସୂଚନା ପାଇପାରି ନଥିଲେ। ପୁଣି ସନ୍ଧ୍ୟାରେ ମେଡ଼ିକାଲକରୁ ଫୋନ୍‌ରେ ଜଣାଇଲେ ଯେ ୨୨ ତାରିଖରେ ହିଁ ବାପାଙ୍କ ମୃତ୍ୟୁ ହୋଇଛି। ଏହି ଖବର ପାଇ ସଂଗ୍ରାମ ବାପାଙ୍କୁ ଦେଖିବା ପାଇଁ ଗତକାଲି ତୁରନ୍ତ ମେଡିକାଲରେ ପହଞ୍ଚିଥିଲେ। କିନ୍ତୁ ମେଡ଼ିକାଲ କର୍ତ୍ତୃପକ୍ଷ ଆଜି ସୁଦ୍ଧା ‌ମୃତଦେହ ଦେଖାଉ ନଥିଲେ। ଆଜି ରାତି ସାଢ଼େ ୮ଟାରେ କରୋନା ରିପୋର୍ଟ ପଜିଟିଭ୍ ଥିବା ସ୍ପଷ୍ଟ କରିଥିଲେ ବୋଲି ସଂଗ୍ରାମ କହିଛନ୍ତି।

ସମ୍ବନ୍ଧିତ ଖବର