କଳାହାଣ୍ଡିରେ କରୋନା ପଜିଟିଭ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୧୫ରେ ପହଞ୍ଚିଲା

ପଶ୍ଚିମବଙ୍ଗ ଫେରନ୍ତା ମା-ଝିଅ ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ

ଭବାନୀପାଟଣା/ଜୁନାଗଡ଼: କଳାହାଣ୍ଡି ଜିଲ୍ଲାରେ ଆଜି ଆଉ ଦୁଇ ଜଣଙ୍କ ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତ ମାଁ ଓ ଝିଅ ପଶ୍ଚିମବଙ୍ଗ ରୁ ଫେରି ଜୁନାଗଡ଼ ସହରସ୍ଥିତ ଏକ ହୋଟେଲରେ ଦେୟଯୁକ୍ତ ସଙ୍ଗରୋଧରେ ଥିଲେ । ଆଜି ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ବାନଦୋପଲା କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୪ ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଆଜି ଆହୁରି ୨ ଜଣ ପଜିଟିଭ ଆକ୍ରାନ୍ତ ଥିବା କଳାହାଣ୍ଡି ସିଡ଼ିଏମଓ ଡ଼ା. ଜଗୁଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗରୁ ଗତ ୧୨ ତାରିଖ ଦିନ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ୭ଜଣ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ଆସି ପହଞ୍ଚିଥିଲେ । ସେଠାରୁ ଏକ ବଲେରୋ ଯୋଗେ ଜୁନାଗଡ଼ ସହରକୁ ଆସିଥିଲେ । ଜୁନାଗଡ଼ ରେ ମା, ଝିଅ ଓ ମହିଳାଙ୍କ ଭାଇ ସମେତ ୩ ଜଣ ଜୁନାଗଡ଼ରେ ଓହ୍ଲାଇ ଥିଲେ । ସେମାନଙ୍କୁ ଜୁନାଗଡ଼ ସହରସ୍ଥିତ ହୋଟେଲ ସ୍ୱାଗତ ରେ ଦେୟଯୁକ୍ତ ସଙ୍ଗରୋଧରେ ରଖା ଯାଇଥିଲା । ଅନ୍ୟ ୪ଜଣ କଲମପୁର ବ୍ଲକ କୁ ଯାଇଥିଲେ । ଗତ ୧୩ ତାରିଖ ଦିନ ଏହି ୭ ଜଣଙ୍କ ସ୍ୱାବ ରିପୋର୍ଟ ପରୀକ୍ଷା ପାଇଁ ପଠା ଯାଇଥିଲା । ଆଜି ୨ଜଣଙ୍କ ସ୍ୱାବ ରିପୋର୍ଟ ଆସିଛି ।

୪୪ ବର୍ଷୀୟା ମାଁ ଓ ୧୯ ବର୍ଷୀୟା ଝିଅ ପଜିଟିଭ ରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଅନ୍ୟମାନଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ । ପୂର୍ବରୁ ସେମାନଙ୍କ ସହିତ କୋଳକୋତା ରୁ ସମ୍ବଲପୁର ଆସିଥିବା ଜଣେ ଯାତ୍ରୀର ପଜିଟିଭ ବାହାରିଥିଲା । ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ କୁ ସୂଚନା ଦିଆଯାଇଥିଲା । ଆଜି ପଜିଟିଭ ଜଣାପଡିବା ପରେ ମାଁ ଝିଅଙ୍କୁ ଭବାନୀପାଟଣା ସହରସ୍ଥିତ ବାନଦୋପଲା ଇଞ୍ଜିନିୟରିଙ୍ଗ କଲେଜ କୋଭିଡ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଛି ।

ସେହିଭଳି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪ ଜଣ ଙ୍କ ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କୁ ଜୁନାଗଡ଼ ଟାଉନହଲ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି । ହୋଟେଲ କୁ ସାନିଟାଇଜ କରାଯାଇ ସିଲ କରାଯାଇଛି । ପୁଲିସ ପକ୍ଷରୁ ଜୁନାଗଡ଼ ସହରରେ ସାମାଜିକ ଦୂରତ୍ୱ କୁ କଡା କଡ଼ି କରାଯାଇଛି । ଆଜି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପୋର୍ଟାଲ ରେ କଳାହାଣ୍ଡି ଜିଲ୍ଲାର ୪ ଜଣ ପଜିଟିଭ ଆକ୍ରାନ୍ତ ବୋଲି ଭୁଲ କ୍ରମେ ପ୍ରକାଶ ପାଇଥିଲା । ସେହିଭଳି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଟୁଇଟରରେ ମଧ୍ୟ ୪ ଜଣ ଆକ୍ରାନ୍ତ ବୋଲି ଭୁଲ ତଥ୍ୟ ପ୍ରକାଶ ପାଇଥିଲା । ଏହାକୁ ସିଡିଏମଓ ଡ଼ା. ଜଗୁଲାଲ ଅଗ୍ରୱାଲ ଏହାକୁ ଖଣ୍ଡନ କରିବା ସହିତ ଜିଲ୍ଲାରେ ଆଜି ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫ରେ ପହଁଚିଛି ବୋଲି କହିଥିଲେ । ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ବନ୍ଧିତ ଖବର