ପ୍ରଶାସନର ଲଗାମ ନାହିଁ; ସହରରେ ବେଧଡ଼କ ବୁଲୁଛନ୍ତି କରୋନା ସଂକ୍ରମିତ

ଦୋକାନ ବନ୍ଦ ସତ୍ତ୍ବେ ଲୋକେ ହାଉଜାଉ

ସୁନ୍ଦରଗଡ଼: ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ସୁନ୍ଦରଗଡ଼ରେ ଗତ ଦୁଇ ଦିନ ହେଲା ସଂକ୍ରମିତ ସଂଖ୍ୟା ଚାରି ଅଙ୍କରେ ରହିଛି। ୪ ତାରିଖରେ ୧୧୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ତାରିଖରେ ତାହା ୧୧୮୬କୁ ପହଞ୍ଚିଛି। ସଂକ୍ରମଣ ପରି ମୃତ୍ୟୁ ବି କମିବାର ନାଁ ନେଉ ନାହିଁ। ଏସ୍ଥିତିରେ ଏହାର ବାଟ ଓଗାଳିବାକୁ ପ୍ରଶାସନ ଯେତିକି କଠୋର ବା ତତ୍ପରତା ପ୍ରକାଶ କରିବା କଥା, ତାହା ଦେଖିବାକୁ ମିଳୁ ନାହିଁ। ଖାସ୍ କରି ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାରେ କରୋନା କଟକଣାର ଏକ ପ୍ରକାର ଢିଲାମେଲା ଅବସ୍ଥା ରହିଛି କହିଲେ ଭୁଲ ହେବ ନାହିଁ। କରୋନା ପରୀକ୍ଷଣ, ଅସୁସ୍ଥ ସଂକ୍ରମିତଙ୍କ ଚିକିତ୍ସା, ତାଲାବନ୍ଦ, ସୀମା ଯାଞ୍ଚ ଧରାବନ୍ଧା ଭାବେ ଚାଲିଛି। କରୋନା ପରୀକ୍ଷା ପ୍ରକ୍ରିୟା ଓ ପ୍ରାଶାସନିକ ପଦକ୍ଷେପକୁ ନିରୀକ୍ଷଣ କଲେ ନିଃସନ୍ଦେହରେ କୁହାଯାଇପାରେ ଯେ, ଏହା ସଂକ୍ରମଣ ପାଇଁ ବାଟ ଖୋଲି ଦିଆଯାଇଛି।

ଆଣ୍ଟିଜେନ୍ ହେଉ ବା ଆରଟିପିସିଆର୍ ପରୀକ୍ଷା ନମୁନା ଦେଇଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିବା କଥା। ବିଶେଷ କରି ଆଣ୍ଟିଜେନ୍ ପରୀକ୍ଷାରେ ସଂକ୍ରମିତ କି ନୁହେଁ, ତୁରନ୍ତ ରିପୋର୍ଟ ମିଳୁ ଥିବା ବେଳେ ଲକ୍ଷଣ ନଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ପରାମର୍ଶ ପରେ ବି ଗୃହ ସଂଗରୋଧରେ ରହୁଛନ୍ତି କି ନାହିଁ, ତାର ନିରୀକ୍ଷଣ ପାଇଁ ପ୍ରଶାସନ ଆଗ୍ରହ ପ୍ରକାଶ କରୁନାହିଁ। ଅନ୍ୟପଟେ ଆରଟିପିସିଆରରେ ନମୁନା ଦେଉଥିବା ବ୍ୟକ୍ତିଙ୍କୁ ରିପୋର୍ଟ ଆସିବା ଯାଏ ଗୃହାବଦ୍ଧ ହୋଇ ରହିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏମାନେ ଘରେ ରହୁଛନ୍ତି କି ବାହାରେ ବୁଲୁଛନ୍ତି, ସେଥିପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ପୂର୍ବରୁ ସଂକ୍ରମିତଙ୍କ ଘର କାନ୍ଥରେ ସତର୍କପତ୍ର ଲଟକାଇ ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରହିବାକୁ ସତର୍କ କରାଉଥିଲା। କିନ୍ତୁ ଏହା ଦ୍ବାରା ସଂକ୍ରମିତଙ୍କ ଘର ଏକ ପ୍ରକାର ଅସ୍ପୃଶ୍ୟ ହୋଇଯାଉଥିବା ଅଭିଯୋଗ ଆସିବା ପରେ ଏହାକୁ ବନ୍ଦ କରି ଦିଆଯାଇଛି।

ତେବେ ଏହାକୁ ସୁଯୋଗ ମଣି ସୁନ୍ଦରଗଡ଼ରେ ଆରଟିପିସିଆର ପାଇଁ ନମୁନା ଦେଇଥିବା ତଥା ସଂକ୍ରମିତ ବ୍ୟକ୍ତି ଖୋଲାଖୋଲି ବୁଲୁଥିବା ଦେଖାଯାଇଛି। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେମାନେ ଗୃହ ସଂଗରୋଧରେ ରହିବା ପରିବର୍ତ୍ତେ ଘରୁ ବାହାରି ଦୋକାନବଜାରକୁ ଯିବା, ବାଇକ୍ ଧରି ଅକାରଣରେ ସହରରେ ବୁଲିବା, ଭିଡ଼ରେ ସାମିଲ ହେବା ନଜରକୁ ଆସିଛନ୍ତି। ଏହା ଦ୍ବାରା ସେମାନେ ସଂକ୍ରମିତ ଅବା ଆରଟିପିସିଆର୍ ପରୀକ୍ଷା ପାଇଁ ନମୁନା ଦେଇଛନ୍ତି ବୋଲି ପାଖପଡ଼ୋଶୀ ଅଜ୍ଞ ଥିବାପରୁ ସହଜରେ ସେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେବା ନିଶ୍ଚିତ। ଏସ୍ଥିତିରେ ପ୍ରଶାସନ ଏହି ବ୍ୟକ୍ତିମାନଙ୍କ ସମ୍ପର୍କରେ ସାଧାରଣରେ ସୂଚନା ଦେଇ ସତର୍କ କରାଇବା ଜରୁରୀ। କିନ୍ତୁ ସୁନ୍ଦରଗଡ଼ରେ ଏହି ବ୍ୟକ୍ତିମାନଙ୍କ ଉପରେ କୌଣସି ଲଗାମ ନାହିଁ।

ସେହିପରି ଗତ ୫ ତାରିଖରୁ ସରକାର ରାଜ୍ୟ ବ୍ୟାପି ତାଲା ବନ୍ଦ ଘୋଷଣା ସହ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସୁନ୍ଦରଗଡ଼ ସଦରମହକୁମାରେ ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ଔଷଧ, ତେଜରାତି, କ୍ଷୀର, ମାଛମାଂସ ଦୋକାନ ଖୋଲି ରହିଥିବା ବେଳେ ଏସବୁ ସାମଗ୍ରୀ ନେବାକୁ ଲୋକେ ବାହାରକୁ ବାହାରୁଛନ୍ତି। ଛକରେ ପୁଲିସ ସେମାନଙ୍କୁ ଅଟକାଇ ଆସିବାର କାରଣ ପଚାରି ଛାଡ଼ୁଛନ୍ତି। ବହୁ ସମୟରେ ଅମାନିଆଙ୍କ ଠାରୁ ଜରିମାନା ବି ଆଦାୟ କରୁଛି। କିନ୍ତୁ ୧୨ଟା ପରେ ଔଷଧ ଦୋକାନ ବ୍ୟତୀତ ଅନ୍ୟସବୁ ଦୋକାନରେ ସମ୍ପୂର୍ଣ୍ଣ ତାଲା ପଡ଼ୁଥିଲେ ମଧ୍ୟ ଲୋକଙ୍କ ଯାତାୟତ ହ୍ରାସ ପାଉ ନାହିଁ। ୧୨ଟା ପରେ ମଧ୍ୟ ଲୋକେ ବାଇକ୍, କାର୍ ଧରି ସହରରେ ବିଭିନ୍ନ ବାହାନାରେ ବୁଲୁଥିବା ନଜରକୁ ଆସିଛି। ୧୨ଟା ଯାଏ କୋହଳ ମନୋଭାବପୋଷଣ କରୁଥିବା ପୁଲିସ, ପ୍ରଶାସନ ଏହି ସମୟ ଡେଇଁବା ପରେ କଠୋର ହୋଇ ପଦାକୁ ବାହାରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ଅନ୍ୟପଟେ ଏକ ପ୍ରକାର ଶିଥିଳ ପଡ଼ିଥିବା ଛତିଶଗଡ଼, ଝାଡ଼ଖଣ୍ଡା ସୀମା ଯାଞ୍ଚକୁ ପୁଲିସ କଡ଼ାକଡ଼ି କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ନହେଲେ ଏମିତି ଢିଲାମେଲାରେ ଚାଲିଥିବା ତାଲାବନ୍ଦ, କରୋନା ପରୀକ୍ଷା ସଂକ୍ରମଣକୁ ରୋକିବାରେ ଯେ ଆଦୌ ସକ୍ଷମ ହେବ ନାହିଁ, ଏହା ନିଃସନ୍ଦେହ।

ସମ୍ବନ୍ଧିତ ଖବର