୩୭ ବିଦେଶ ଫେରନ୍ତା ଉପରେ ଜିଲ୍ଲା ପ୍ରଶାସନର ନଜର, ୧୮ ଜଣ ହୋମ୍‌ କ୍ୱାରାଣ୍ଟିନ୍‌ରେ

ଗରିସୋଲାରେ ଖୋଲିଲା କରୋନା ସ୍କ୍ରିନିଂ ସେଣ୍ଟର, ଫାଷ୍ଟଫୁଡ୍‌, ପାନ ଦୋକାନ ବନ୍ଦ

ବ୍ରହ୍ମପୁର: କରୋନା ପ୍ରଭାବିତ ଦେଶରୁ ଫେରୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଗତକାଲି ସୁଦ୍ଧା ଚୀନ୍‌ ସମେତ ବିଭିନ୍ନ ଦେଶରୁ ଜିଲ୍ଲାକୁ ୩୭ଜଣ ଫେରିଥିବା ଜଣାପଡ଼ିଛି। ଏମାନଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସତର୍କ ନଜର ରଖିଛି। ୧୮ଜଣଙ୍କୁ ହୋମ୍‌ କ୍ୱାରାଣ୍ଟିନ୍‌ରେ ରଖାଯାଇଛି। ଅନ୍ୟ ପକ୍ଷରେ ୫ଜଣଙ୍କ ୨୮ଦିନିଆ ହୋମ୍‌ କ୍ୱାରାଣ୍ଟିନ୍‌ ଅବଧି ଶେଷ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ୭ଜଣ ବିଦେଶ ଫେରନ୍ତାଙ୍କ ପତ୍ତା ପାଉନି ଜିଲ୍ଲା ପ୍ରଶାସନ। ଏମାନେ ନ୍ୟୁଜିଲାଣ୍ଡ, ମାଲେସିଆ ଓ ଇଣ୍ଡୋନେସିଆରୁ ଫେରିବା ପରେ ଘରକୁ ଆସି ପୁଣି ବାଙ୍ଗାଲୋର ଓ ମନାଲି ଆଦି ଅଞ୍ଚଳରେ ଚାକିରି କରୁଥିବା ସ୍ଥାନକୁ ଫେରି ଯାଇଥିବା ପ୍ରଶାସନ ପ୍ରାଥମିକ ତଥ୍ୟ ପାଇବା ପରେ ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ଓଡ଼ିଶାର ପଡ଼ୋଶୀ ଆନ୍ଧ୍ର ସୀମାନ୍ତ ତଥା ଗଞ୍ଜାମ ଜିଲ୍ଲାର ଗିରିସୋଲା ଠାରେ ଏକ କରୋନା ସ୍କ୍ରିନିଂ ସେଣ୍ଟର ଖୋଲାଯାଇଛିଯ ଏହି କେନ୍ଦ୍ରଟି ଜାତୀୟ ରାଜପଥ-୧୬ କଡ଼ରେ ରହିଛି। ଆନ୍ଧ୍ର ପ୍ରଦେଶରୁ ଯାନବାହନରେ ଜିଲ୍ଲାକୁ ପ୍ରବେଶ କରୁଥିବା ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିଲେ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ବ୍ୟବସ୍ଥା ହୋଇଛି।

କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ଜନସମାଗମ ଉପରେ ରୋକ୍‌ ଲଗାଇବା ଲାଗି ଜିଲ୍ଲାରେ ରବିବାରରୁ ୧୪୪ ଧାରା ଜାରି କରାଯାଇଛି। ନିତ୍ୟ ବବ୍ୟହାର୍ଯ୍ୟ ଓ ଅତ୍ୟାବଶକ ସାମଗ୍ରୀ ଦୋକାନକୁ ଛାଡ଼ି ବାକି ଦୋକାନ, ମଲ୍‌, ପୋଷାକ ସୋ’ରୁମ୍‌ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତିଯ ପାନ ଦୋକାନ ଓ ଫାଷ୍ଟଫୁଡ଼୍‌ ଦୋକନ, ଠେଲାରେ ଖାଦ୍ୟ ବିକ୍ରି ବନ୍ଦ ନିର୍ଦ୍ଦେଶ ଦିଆଯାଇଛିଯ କରୋନା ସଂକ୍ରମଣର ମୁକାବିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଘନଘନ ବୈଠକ ବସି ପଦକ୍ଷେପ ନିଆଯାଉଛି। ଜିଲ୍ଳାର ବରିଷ୍ଠ ଅଧିକାରୀ ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚି ସପିଂ ମଲ୍‌, ଲୁଗା ଦୋକାନ, ଇଲୋକ୍ଟ୍ରୋନିକ୍ସ ଦୋକାନ ଆଦିକୁ ବନ୍ଦ କରିବାରେ ଲାଗି ପଡ଼ିଛନ୍ତି। କୌଣସି ସ୍ଥାନରେ ଜନ ସମାଗମ ନ ହେବା ଦିଗରେ ମଧ୍ୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ଅବଗତ କରାଯାଉଛି।

ଜିଲ୍ଲାରେ ଥିବା ବିଭିନ୍ନ ସପିଂ ମଲ୍‌, ଗ୍ୟାରେଜ୍‌, ଗାଡ଼ି ସୋ’ରୁମ୍‌, ବିୟୁଟି ପାର୍ଲର ଆଦିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଫାଷ୍ଟ ଫୁଡ୍‌ ଦୋକାନ, କାଫେ, ପାନ, ଗୁଟ୍‌ଖା ଦୋକାନ ଗୁଡିକୁ ବନ୍ଦ କରାଯିବଯ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲଜିଂ ଗୁଡିକୁ ବନ୍ଦ କରିବା ସହ ଏଠାରେ ରୁମ୍‌ ବୁକିଂ ନ କରିବା ପାଇଁ ସୂଚନା ଦିଆଯାଇଛି। କେବଳ ଦୋକାନ ନୁହେଁ, ହୋଟେଲ ଗୁଡ଼ିକ ମଧ୍ୟ ଏହି ଭୟରୁ ବାଦ ପଡ଼ିନି। ସାଧାରଣଲୋକଙ୍କୁ ହୋଟେଲ ଯିବାକୁ ବାରଣ କରା ଯାଇଥିବା ବେଳେ କେବଳ ରୋଗୀ ଓ ତାଙ୍କର ସମ୍ପର୍କୀୟଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ହୋଟେଲ ଗୁଡ଼ିକର ପରିବେଶ ସ୍ୱଚ୍ଛ ରଖିବା ସହ ଗୋଟିଏ ଟେବୁଲ ଠାରୁ ଅନ୍ୟ ଟେବୁଲ ଦୂରତା ଏକ ମିଟରରୁ ଅଧିକ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସୀକୃତିପ୍ରାପ୍ତ ଭେଣ୍ଡିଂ ଜୋନରେ ରହିଥିବା ପନିପରିବା ଦୋକାନଗୁଡ଼ିକୁ ବାଦ୍‌ ଦେଲେ ଅନ୍ୟ ଦୋକାନ ଗୁଡିକ ବନ୍ଦ ରହିବ। ଏଥିସହ ଗୋଟିଏ ପରିବା ଦୋକାନ ଠାରୁ ଅନ୍ୟ ଦୋକାନ ମଧ୍ୟରେ ପାଖାପାଖି ୨ ମିଟର ଦୂରତାରେ ରଖିବାକୁ କୁହାଯାଇଛିଯ ମାଛ ଓ ମାଂସ ଦୋକାନ ଉପରେ ରୋକ ଲଗାଯାଇଛି। ସୀକୃତିପ୍ରାପ୍ତ ଚିକେନ୍‌, ମାଂସ ଓ ମାଛ ଦୋକାନ ବ୍ୟତୀତ ଅନ୍ୟ କୌଣସି ଆମିଷ ଦୋକାନ ଖୋଲିବାକୁ ନିଷେଧ କରାଯାଇଛି। ଏଥିସହ ଖୋଲାରେ ରହିଥିବା ପ୍ରଦୂଷିତ ପାଣିକୁ ବ୍ୟବହାର ନ କରିବା ସହ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପୋଖରୀରେ ଗାଧୋଇବାକୁ ବାରଣ କରାଯାଇଛି। ପୋଖରୀ ଜଳ ବ୍ୟବହାର ଠାରୁ ଗୃହପାଳିତ ପଶୁ ଦୂରେଇ ରଖିବା ପାଇଁ କୁହାଯାଇଛିଯ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଜଳଉତ୍ସ ଗୁଡିକରେ ବିନା ଅନୁମତିରେ କୌଣସି ପୋଷ୍ଟର ଲଗାଇଯାଇ ପାରିବ ନାହିଁ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ନଳକୂପ ଗୁଡ଼ିକୁ ସଚଳ ରଖିବା ଲାଗି ଜନସ୍ୱାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛିଯ।ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ଲାଗି ଉକ୍ତ ଦୁଇ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବସ୍‌, ଟ୍ରକ ଆଦି ପରବହନ ସଂଘ ସଦସ୍ୟ ଓ ସମସ୍ତ ଗାଡ଼ି ଚାଳକଙ୍କୁ କରୋନା ସଚେତନତା ନିୟମାବଳୀ ମାନିବାକୁ ପାଇଁ କୁହାଯାଇଛି। ଯାତାୟାତ ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ କେଣସି ଏଭଳି ସଂକେତ ଦେଖିଲେ ସଙ୍ଗେ ସଙ୍ଗେ ମେଡିକାଲକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏ ସଂକ୍ରାନ୍ତରେ ମେଡିକାଲ ପକ୍ଷରୁ ଦୁଇଟି ଫୋନ ନମ୍ବର ୦୬୮୦ -୨୨୨୪୭୯୮ ଓ ୯୪୩୯୯୮୩୯୫୬ ଜାରି କରାଯାଇଛି। ଏଥିସହ କୌଣସି ଯାତ୍ରୀଙ୍କ ଠାରେ ଜ୍ୱର, କଫ ଆଦି ସଙ୍କେତ ରହିଥିଲେ ଏବଂ ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲେ ବସଷ୍ଟାଣ୍ଡ୍‌ ଓ ରେଳୱେ ଷ୍ଟେସନ୍‌ ଠାରେ ଖୋଲା ଯାଇଥିବା କରୋନା ସ୍କ୍ରିନିଂ ସେଣ୍ଟେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର