କରୋନା ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଇଟା କି ବାଧା’ ଲୋକାର୍ପିତ 

ରାୟଗଡ଼ା: ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ଭାରତରେ ମଧ୍ୟ ଏହାର କରାଳ ରୂପ ଦେଖିବାକୁ ମିଳିଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ରାୟଗଡ଼ା ଜିଲ୍ଲା ପଦ୍ମପୁରର ଯୁବ କଳାକାରଙ୍କ ପ୍ରୟାସରେ ପ୍ରସ୍ତୁତ କରାଯାଇଛି କରୋନା ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର। ବ୍ୟଙ୍ଗ ସହିତ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ‘ଇଟା କି ବାଧା’ର ଭର୍ଚୁଆଲ ଲୋକାର୍ପଣ ହୋଇଛି।

ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ)ର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ବିଶିଷ୍ଟ ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ ଯୋଗଦେଇ କ୍ଷୁଦ୍ର ଚଳଚ୍ଚିତ୍ରର ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ଆମ ଅଞ୍ଚଳର ଲୋକଙ୍କ ପାଇଁ ଏହା ନିଶ୍ଚିତ ରୂପେ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ  ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦ୍ମପୁର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଷମକଟକଙ୍କ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

କ୍ଷୁଦ୍ର ଚଳଚ୍ଚିତ୍ରଟି ଯୁବ ଲେଖକ ରୂପେଶ ସାହୁଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ବେଳେ ଶିକ୍ଷକ ତଥା ଯୁବ କବି ନୀଳମାଧବ ପାଣିଗ୍ରାହୀ, ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ୟୁଟ୍ୟୁବରେ ମଧ୍ୟ ଚଳଚ୍ଚିତ୍ରଟି ଲୋକାର୍ପଣ ହେବା ପରେ ବେଶ ଆଦୃତ ହୋଇପାରିବ ବୋଲି ଅଭିନୟ କରିଥିବା ଯୁବକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର