କରୋନା କଡ ଲେଉଟିଲାଣି; ମାଲକାନଗିରି ଜିଲ୍ଲାରେ କରୋନା କଟକଣା ଲାଗୁ ହେଲା

ମାସ୍କ ପିନ୍ଧିବା ବାଧ୍ୟତାମୁଳକ, ଜାନିଯାତ୍ରା,ମେଳା ବନ୍ଦ

ମାଲକାନଗିରି: ଦ୍ବିତୀୟ ଥର କରୋନା ଧିରେ ଧିରେ କଡ ଲେଉଟେଇଲାଣି। ଏହି କରୋନା ସଂକ୍ରମଣ ମାରାତ୍ମକ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ମଧ୍ୟ କରୋନାକୁ ନେଇ କଡକଣା ଜାରି କରିଛି। ସମସ୍ତ ଜନସାଧାରଣ ଦୋକାନୀ ଏବଂ ବ୍ୟବସାୟୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ସାମ୍ନାରେ ଦଉଡି ବାନ୍ଧିବା ସହ ସେନିଟାଇଜର ଏବଂ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବା ନିତ୍ୟାନ୍ତ ଆବଶ୍ୟକ। କୌଣସି ଦୋକାନ ବା ବ୍ୟବସାୟ ପ୍ରତିଷ୍ଠାନକୁ ଆସୁଥିବା ଗ୍ରାମର ମାସ୍କ ପିନ୍ଧିନଥିଲେ ଯଦି ସେ ସଉଦା କିଣନ୍ତି ତେବେ ଦୋକାନୀ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଛି। ହୋଟେଲ, ରେଷ୍ଟରାଣ୍ଟରେ ଅଧିକା ଭିଡ ହେଲେ ହୋଟେଲ ବନ୍ଦ କରିଦିଆଯିବ। ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି ସେମାନଙ୍କ ଠାରୁ ୫ ଶହରୁ ୧ ହଜାର ଟଂକା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି ପ୍ରଶାସନ କହିଛି।

ଧାର୍ମିକ ଅନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ କରି ଠାକୁର ଦର୍ଶନ କରିବାକୁ ଅନୁରୋଧ କରାଯାଇଛି।ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଜାନିଯାତ୍ରା ଇତ୍ୟାଦି ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଏସବୁରେ ଖିଲାପ ହେଲେ ନିୟମ ଅନୁଯାୟୀ ଦଣ୍ଡିତ ହେବେ ବୋଲି ପ୍ରଶାସନ କହିଛି। କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ଜିଲ୍ଲାବାସୀ ଯେଭଳି ଭାବେ ପ୍ରଶାସନକୁ ସହଯୋଗ କରିଆସୁଥିଲେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ସେହିଭଳି ସହଯୋଗ କରିବା ପାଇଁ ପ୍ରଶାସନ ଅନୁରୋଧ କରିଛି। ତେବେ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇନଥିବା ବେଳେ କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବରୁ ସତକର୍ତା ଅବଲମ୍ବନ କରାଯାଉଛି।

ସମ୍ବନ୍ଧିତ ଖବର