ଭୁବନେଶ୍ୱର:: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପଥରାପଲ୍ଲୀ ଗ୍ରାମରେ ବସବାସ କରୁଥିବା ପ୍ରମୋଦ ନାୟକଙ୍କୁ କିଛି ଦିନ ତଳେ ଜ୍ୱରରେ ହୋଇଥିଲା। ଭଞ୍ଜନଗର କୋଭିଡ୍ ଓପିଡ଼ିରେ ୧୬ ତାରିଖରେ ଡାକ୍ତର ଦେଖିବା ପରେ କେବଳ ଔଷଧ ଦେଇ ତାଙ୍କୁ ଛାଡି ଦିଆଯାଇଥିଲା। ଅନେକ ଅନୁରୋଧ ପରେ ବି କେହି କୋଭିଡ୍ ପରୀକ୍ଷା କରି ନଥିଲେ।
ଘରକୁ ଆସିବାର ୪ ଦିନ ପରେ ପ୍ରମୋଦଙ୍କ ଛାତିରେ ଯନ୍ତ୍ରଣା ହେବାରେ ଲାଗିଥିଲା। ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରା ଯାଇଥିଲା। କିନ୍ତୁ ପ୍ରମୋଦଙ୍କୁ କରୋନା ହୋଇଥିବା ଗୁଜବ ଶୁଣି ରୋଗୀଙ୍କୁ ଡାକ୍ତରଖାନା ନେବାକୁ କୌଣସି ଗାଡ଼ି ରାଜି ହୋଇ ନଥିବା ବେଳେ ଆମ୍ବୁଲାନ୍ସ ବି ମନା କରିଦେଇଥିଲା। ବହୁ ସମୟ ଯୁକ୍ତିତର୍କ ପରେ ପ୍ରମୋଦଙ୍କୁ ଡାକ୍ତରଖାନା ନିଆ ଯାଉଯିବା ବେଳେ ଛଟପଟ ହୋଇ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।
ଦୁଇଦିନ ତଳେ ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଥିଲା। ପ୍ରହଲ୍ଲାଦ ନଗରର ବାସିନ୍ଦା ମନୋଜ ପ୍ରହରାଜ ମଧୁମେହରେ ପୀଡିତ ହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଅମ୍ବୁଲାନ୍ସକୁ ଡକା ଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ବି ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। କିନ୍ତୁ ମନୋଜ ପ୍ରହରାଜ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଭାବି ଆମ୍ବୁଲାନ୍ସ ଚାଳକ ଓ ତାଙ୍କ ସହିତ ଆସିଥିବା ଅନ୍ୟ କର୍ମଚାରୀ ତାଙ୍କୁ ନେବା ପାଇଁ ମନା କରି ଦେଇଥିଲେ।
/sambad/media/post_attachments/20e9c7b94b559b09e3781879f35f6c658c2f83bc3c135052c134f14e99b83308.jpg)
ପ୍ରହରାଜଙ୍କୁ ନେବା ପାଇଁ ୧୦୪ ହେଲ୍ପଲାଇନକୁ ଫୋନ କର ଓ କୋଭିଡ ଆମ୍ବୁଲାନ୍ସକୁ ଡକାଅ ବୋଲି କହି ଘଟଣାସ୍ଥଳରୁ ଚାଲି ଯାଇଥିଲା ଆମ୍ବୁଲାନ୍ସ। ତେବେ ଏସବୁ ଆଇନ କାନୁନ ବୁଝି ନ ଥିବା ପ୍ରହରାଜଙ୍କର କୁନି ପୁଅ ଅତ୍ୟନ୍ତ ବିକଳ ହୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମୋ ବାପାଙ୍କୁ ଡାକ୍ତରଖାନା ନେଇଯାଅ ବୋଲି କାକୁତିମିନତି କରିଥିଲା। ମାତ୍ର ପିଲାଟିର ବ୍ୟାକୁଳତାକୁ ଖାତିର ନ କରି ଆମ୍ବୁଲାନ୍ସ ଡ୍ରାଇଭର ତା’ବାପାଙ୍କୁ ନ ନେଇ ପଳାଇ ଯାଇଥିଲା। ଶେଷରେ ଗାଁ ଦାଣ୍ଡରେ ପଡି ଛଟପଟ ହୋଇ ପ୍ରହରାଜଙ୍କ ଜୀବନ ପୁଅ ସାମ୍ନାରେ ଚାଲି ଯାଇଥିଲା। ବାପାଙ୍କୁ ବଞ୍ଚାଇବା ପାଇଁ କୁନି ପୁଅ ଅନେକ ଚେଷ୍ଟା କରିଥିଲେ ହେଁ ଶେଷରେ ହାର ମାନି ଯାଇଥିଲା।