ମୟୂରଭଞ୍ଜରେ ଜୁଲାଇ ମାସରେ ରେକର୍ଡ ସଂଖ୍ୟକ ୮୧ ମୃତ୍ୟୁ, ୩,୧୦୯ ଆକ୍ରାନ୍ତ

ସଂକ୍ରମିତଙ୍କ ସଂଖ୍ୟା ୩୮,୬୩୭କୁ ବୃଦ୍ଧି

ବାରିପଦା: କରୋନା ଆରମ୍ଭ ହେବା ଦିନରୁ ଚଳିତ ମାସରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ଦ୍ବିତୀୟ ସଂକ୍ରମଣର ଜୁଲାଇ ମାସ ମୟୂରଭଞ୍ଜ ପାଇଁ ଘାତକ ସାବ୍ୟସ୍ତ ହୋଇଛି କହିଛି ଚଳେ। ଚଳିତ ମାସରେ ସଂକ୍ରମଣ ହାର ନିମ୍ନଗାମୀ ରହିଥିଲେ ସୁଦ୍ଧା ମହାମାରୀରେ ୮୧ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ ପ୍ରକାଶ। ସେହିପରି ଚଳିତ ମାସରେ ୩,୧୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ମାସଠାରୁ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।

ସେହିପରି ଗତ ୩୦ ଦିନରେ ୪,୦୧୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮,୬୩୭ରେ ପହଞ୍ଚିଛି । ସେହିପରି ଗତକାଲି ପର୍ୟ୍ୟନ୍ତ ଜିଲ୍ଲାରୁ ୯୮.୨୪ ପ୍ରତିଶତରୁ ସାମାନ୍ୟ ଅଧିକ ହାରରେ ୩୭,୯୧୫ ଜଣ ସୁସ୍ଥ ହୋଇଥିବାବେଳେ ଆଜି ସୁଦ୍ଧା ୧.୩୨ ପ୍ରତିଶତ ହାରରେ ୫୧୦ ଜଣ ସକ୍ରିୟ ଅଛନ୍ତି। ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ୬୨ ଓ ୬୭ ବର୍ଷର ୨ଜଣ ପୁରୁଷଙ୍କ ସହ ୬୧ ଓ ୬୬ ବର୍ଷିୟା ମହିଳାଙ୍କୁ ମିଶାଇ ୪ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଆଜିକୁ ମିଶାଇ ଚିକିତ୍ସାଧୀନ କୋଭିଡ଼଼-୧୯ ସଂକ୍ରମିତମାନଙ୍କ ମଧ୍ୟରୁ ୦.୫୩ ପ୍ରତିଶତ ହାରରେ ମୋଟ ୨୦୯ ଜଣଙ୍କର ଏବଂ ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣର ହାର ୨ ପ୍ରତିଶତ ତଳକୁ ଖସି ଆସିଛି । ଗତ ଜୁଲାଇ ୩୦ରେ ଜିଲ୍ଲାରେ ୧,୪୮୬ ଜଣଙ୍କର ଆଣ୍ଟିଜେନ ଓ ୫୬୫ ଜଣଙ୍କର ଆରଟିପିସିଆର ଏହି ପରି ମୋଟ ୨,୦୫୧ ଜଣଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜୁଲାଇ ୩୦ ପର୍ୟ୍ୟନ୍ତ ଗୃହ ସଙ୍ଗରୋଧରେ ୪୭୩ ଜଣ ଓ ହସପିଟାଲ ଆଇସୋଲେସନ ୱାର୍ଡ଼ରେ ୨୧ ଜଣ କୋଭିଡ଼-୧୯ ସଂକ୍ରମିତମାନଙ୍କୁ ରଖାଯାଇ ଚିକିତ୍ସା ପ୍ରଦାନ କରାଯାଇଥିଲା ବୋଲି କୋଭିଡ଼-୧୯ ଦାୟିତ୍ୱରେ ଥିବା ପିଆରଏମ ମେଡ଼ିକାଲର ଡ଼ା ଚାରୁବାଳା ରଥ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର