କରୋନା କାହାଣୀ: କରୋନା ଛଡ଼ାଇ ନେଇଛି ଜୀବିକା, ବଞ୍ଚିବାର ରାହା ଖୋଜୁଛନ୍ତି ବିନୋଦ

ପଟ୍ଟାମୁଣ୍ତାଇ: ଘର ପାଖରେ ଛୋଟିଆ ଦୋକାନଟିଏ କରି ପରିବା ଭରଣପୋଷଣ କରୁଥିଲେ। ୫, ୭ ବର୍ଷ ତଳୁ ନିଜ ଗାଁରେ କରିଥିବା ଏହି ପାନ ଦୋକାନରୁ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଦୁଇପିଲା ଓ ବାପା-ମା’ଙ୍କ ସମେତ ୬ ପ୍ରାଣୀ କୁଟୁମ୍ବ ଦୁଃଖେ ସୁଖେ ଚଳି ଯାଉଥିଲେ। ମାତ୍ର କରୋନା ମହାମାରୀ ତାଙ୍କୁ ଦାଣ୍ତର ଭିକାରି କରି ଦେଇଛି। ମହାମାରୀ ଛଡ଼ାଇ ନେଲା ଜୀବିକା। ବନ୍ଦ ହୋଇଗଲା ବ୍ୟବସାୟ। ପାଖରେ ରଖିଥିବା ସ˚ଚୟ ଅର୍ଥ ମଧ୍ୟ ସରିଗଲା। କାନ୍ଧରେ ବୃଦ୍ଧ ବାପା-ମା’ଙ୍କ ବୋଝ। ଉଭୟ ରୋଗଗ୍ରସ୍ତ ହୋଇ ବିଛଣାରେ। ଔଷଧ କିଣିବା ପାଇଁ ଅର୍ଥର ଅଭାବ। ସମସ୍ୟାରେ ଛନ୍ଦି ହୋଇ ବଞ୍ଚିବାର ରାହା ଖୋଜୁଛନ୍ତି ପଟ୍ଟାମୁଣ୍ତାଇ ପୌରପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡ ତନୁପୁର ଗ୍ରାମର ବିନୋଦ ଦାସ। ବର୍ତମାନ ବିନୋଦଙ୍କ ବୟସ ମାତ୍ର ୩୮।

ପରିବାର କହିଲେ ଗୋଟିଏ ପୁଅ, ଗୋଟିଏ ଝିଅ, ପତ୍ନୀ ଓ ବୃଦ୍ଧ ବାପା-ମା’। ପରିବାରର ଅବସ୍ଥା ଦୃଷ୍ଟିରୁ ରୋଜଗାର ପାଇଁ ଘର ଛାଡ଼ି ବାହାରକୁ ଯାଇପାରିଲେ ନାହିଁ ବିନୋଦ। ଅର୍ଥ ଅଭାବରୁ ବଜାର ଭିତରେ ଘରଟିଏ ଭଡ଼ା ବି ନେଇ ପାରୁ ନାହାନ୍ତି। ବଜାରରେ ଦୋକାନଟିଏ କରିବାର ସୁବିଧା ମିଳିପାରିଲେ ସମସ୍ୟାରେ ପଡ଼ିଥିବା ସ˚ସାରକୁ ସେ ଠିକଣା ବାଟକୁ ଆଣିପାରନ୍ତେ ବୋଲି କହିଛନ୍ତି। ପ୍ରଶାସନ ଏଥି‌ରେ କିଛି ସାହାଯ୍ୟ କରିଲେ ତାଙ୍କ ପରିବାର ରକ୍ଷା ପାଇ ଯାଆନ୍ତା ବୋଲି ବିନୋଦ କହିଛନ୍ତି।

ସମ୍ବନ୍ଧିତ ଖବର