ମେଡ଼ିକାଲରୁ ଚମ୍ପଟ ମାରିଲା ସନ୍ଦିଗ୍ଧ ଯୁବକ, ଶିକରପାଇ ଷ୍ଟେସନରୁ ଉଦ୍ଧାର କରିଥିଲା ପୁଲିସ୍

ରାୟଗଡ଼ା: ଗତକାଲି ସଂଧ୍ୟାରେ ଶିକରପାଇ ଷ୍ଟେସନରୁ ପୁଲିସ୍ ଉଦ୍ଧାର କରିଥିବା ସନ୍ଦିଗ୍ଧ ଯୁବକ ଆଜି ମେଡ଼ିକାଲରୁ ଚମ୍ପଟ ମାରିଛି। ଭୀଷଣ କାଶ ଓ ଥଣ୍ଡାରେ ଯୁବକ ପୀଡ଼ିତ ଥିବାରୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୱାର୍ଡରେ ଥିବା ଯୁବକ ମେଡ଼ିକାଲ୍ କର୍ତୃପକ୍ଷଙ୍କୁ ଚକମା ଦେଇ ମଧ୍ୟରାତ୍ରିରେ ଫେରାର୍ ହୋଇ ଯାଇଛନ୍ତି। ଆଜି ସକାଳେ ମେଡ଼ିକାଲ୍ କର୍ତୃପକ୍ଷଙ୍କ ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କାଶୀପୁର ଅଞ୍ଚଳର ଯୁବକ ଜଣଙ୍କ ଦୀର୍ଘ ଦିନ ହେଲା କେରଳରେ ଏକ ଘରୋଇ କଂପାନିରେ କାମ କରୁଥିଲେ। ତାଲାବନ୍ଦ ପରେ ଟ୍ରେନ୍, ବସ୍ ଚଳାଚଳ ବନ୍ଦ କାରଣରୁ ଯୁବକ ଜଣଙ୍କ ଘରକୁ ଫେରିପାରିନଥିଲେ। ବହୁ କଷ୍ଟରେ ମାଲବାହୀ ଟ୍ରେନରେ କେରଳରୁ ଆସି ୪ ଦିନର ଯାତ୍ରା ପରେ ରାୟଗଡ଼ାରେ ପହଞ୍ଚିଥିଲେ। ଗତକାଲି ମଧ୍ୟାହଣ୍ ସାଢ଼େ ୧ଟାରେ ରାୟଗଡ଼ା ଷ୍ଟେସନରେ ଯୁବକ ଜଣଙ୍କ ମାଲବାହୀ ଟ୍ରେନରୁ ଓହ୍ଲାଇବା ପରେ ଶିକରପାଇ ଦେଇ ନିଜ ଗାଁକୁ ଯାଉଥିଲେ। ରାୟଗଡ଼ାରୁ କିଛି ଦୂର ଚାଲି ଚାଲି ଯିବା ପରେ ଜଣେ ବାଇକ ଆରୋହୀଙ୍କ ମାଧ୍ୟମରେ ଶିକରପାଇରେ ପହଞ୍ଚିଥିଲେ। ଅତ୍ୟଧିକ କାଶ ଓ ଥଣ୍ଡା ଜ୍ବରରେ ପୀଡ଼ିତ ଥିବା ଯୁବକ ଜଣଙ୍କ ଶିକରପାଇ ଷ୍ଟେସନ ନିକଟରେ ମୁର୍ମୂଷ ଅବସ୍ଥାରେ ପଡ଼ିଥିବା ଦେଖି ଶିକରପାଇ ହୋମଗାର୍ଡ କଲ୍ୟାଣସିଂହପୁର ଥାନାକୁ ଖବର ଦେଇଥିଲେ।

ଖବର ପାଇ ଥାନା କର୍ତୃପକ୍ଷ, କଲ୍ୟାଣସିଂହପୁର ତହସିଲଦାର, ମେଡ଼ିକାଲ୍ ଅଫିସର ଷ୍ଟେସନ ନିକଟରେ ପହଞ୍ଚିଥିଲେ। ରାୟଗଡ଼ା ମେଡ଼ିକାଲ୍ ଟିମ୍ ସ୍ବତନ୍ତ୍ର ଆମ୍ବୁଲାନସ୍ ଯୋଗେ ଯୁବକଙ୍କୁ ଶିକରପାଇରୁ ଆଣି ରାୟଗଡ଼ା ମେଡ଼ିକାଲରେ ଭର୍ତି କରିଥିଲେ। ମେଡ଼ିକାଲର ଦୁଇ ବିଶେଷଜ୍ଞ ଯୁବକଙ୍କ ଚିକିତ୍ସା ପରେ କରିବା ପରେ ସକାଳେ ରକ୍ତ ନମୁନା ସଂଗ୍ରହ ପାଇଁ ସ୍ଥିର କରିଥିଲେ। କିନ୍ତୁ ମଧ୍ୟରାତ୍ରିରେ ଯୁବକ ଜଣଙ୍କ ନିଜ ବ୍ୟାଗ୍ ନେଇ ଫେରାର ‌ହୋଇ ଯାଇଥିଲେ। ସକାଳେ ରକ୍ତ ନମୁନା ସଂଗ୍ରହ ପାଇଁ ମେଡ଼ିକାଲ୍ ଟିମ୍ ଖୋଜିବା ପରେ ଯୁବକ ଫେରାର ହୋଇଯାଇଥିବା ଜଣା ପଡ଼ିଥିଲା।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତବନ୍ଧୁ ନାୟକ ଏ ନେଇ ଟାଉନ୍ ଥାନାକୁ ଅବଗତ କରିବା ପରେ ପୁଲିସ୍ ମାମଲା ରୁଜୁ କରିଥିଲା। ଚିକିତ୍ସା ସମୟରେ ଯୁବକ ଦେଇଥିବା ଠିକଣା ଅନୁଯାୟୀ ପୁଲିସ୍ କାଶୀପୁର ପୁଲିସ୍ ଯୁବକଙ୍କ ଗାଁକୁ ଯାଇ ଖୋଜାଖୋଜି କରିଥିଲା। କିନ୍ତୁ ମେଡ଼ିକାଲରେ ପଞ୍ଜିକୃତ ହୋଇଥିବା ନାଁ ଅନୁସାରେ ଗାଁରେ କେହି ରହୁନଥିବା ଗ୍ରାମବାସୀ କହିବା ପରେ ପୁଲିସ୍ ଚିନ୍ତାରେ ପଡ଼ିଛି। ଭୁଲ୍ ଠିକଣା ଦେଇ ସତର୍କତାର ସହ ସନ୍ଦିଗ୍ଧ ଯୁବକ ଫେରାର ହୋଇଯିବା ପରେ ମେଡ଼ିକାଲ୍ କର୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ଯୁବକଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ସୂଚନା ଦେଇଛନ୍ତି ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ।

ସମ୍ବନ୍ଧିତ ଖବର