ଏସ୍‌ସିବିରେ ଭର୍ତ୍ତି ହେଲେ ଇଟାଲି ଫେରନ୍ତା କରୋନା ସନ୍ଦିଗ୍ଧ

କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲ (ଏସ୍‌ସିବି)ର କରୋନା ଓ୍ଵାର୍ଡରେ ଆଜି ଜଣେ କରୋନା ସଂକ୍ରମଣ ସନ୍ଦିଗ୍ଧ ଯୁବକଙ୍କୁ ଭର୍ତ୍ତି କରାଯାଇଛି। କଟକ ସହରର ଏହି ଯୁବ ଇଞ୍ଜିନିୟର ଅଧିକ ଗବେଷଣା ପାଇଁ ଇଟାଲି ଯାଇଥିଲେ। ସେ ଗତ ୨ ତାରିଖରେ ଘରକୁ ଫେରିଥିଲେ। କିନ୍ତୁ ସେ ଘରକୁ ଆସିବା ପରେ ଥଣ୍ଡା ଅନୁଭବ କରିବାରୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏସ୍‌ସିବି ଯାଇଥିଲେ। ଆସନ୍ତାକାଲି ସନ୍ଦିଗ୍ଧ ଯୁବକଙ୍କ ରକ୍ତ ନମୁନା ଭୁବନେଶ୍ୱରସ୍ଥିତ ଆଇଏମ୍‌ଆରସି ପଠାଯିବ ବୋଲି ଜଣାଯାଇଛି। ରକ୍ତ ନମୁନା ରିପୋର୍ଟ ଆସିବା ପରେ ଯୁବକ ଜଣକ କରୋନା ସଂକ୍ରମିତ କି ନୁହେଁ ତାହା ଜଣାପଡ଼ିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

କଟକ ବଡ଼ଡାକ୍ତରଖାନାରେ ଏବେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ୨ରେ ପହଞ୍ଚିଛି।  ଏଠାରେ ପୂର୍ବରୁ ଥିବା ବ୍ୟକ୍ତି ଜଣଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଛିା। କିନ୍ତୁ ତାଙ୍କୁ ୧୮ ତାରିଖ ଯାଏଁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ସେହିପରି କଟକ ଜିଲ୍ଲାରେ ହୋମ୍‌ ଆଇସୋଲେସନରେ ୧୮ ଜଣଙ୍କୁ ରଖାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର