ମାଲକାନଗିରିରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଗଲା କରୋନା ଟିକା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମ୍ମୁଖ କରୋନା ଯୋଦ୍ଧାମାନଙ୍କୁ ଆଜି ଠାରୁ କରୋନା ଟିକା ଦିଆଯାଇଛି। ଆଜି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ,ଏମଭି-୩ ସ୍ଥିତ ବିଏସ୍ଏ‌ଫ୍‌ କ୍ୟାମ୍ପ, ମାଥିଲି ଏବଂ କାଲିମେଳା ଠାରେ ସମ୍ମୁଖ ଯୋଦ୍ଧା ମାନଙ୍କୁ ଟିକାକରଣ ପାଇଁ କେନ୍ଦ୍ର ଖୋଲା ଯାଇଥିଲା। ଜିଲ୍ଲାର ଜିଲ୍ଲାପାଳ ଵାଇ. ବିଜୟ, ଏସ୍ପି‌ ରିଶିକେଷ ଖିଲାରି, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପିଡି, ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଭଳି ସମ୍ମୁଖ ଯୋଦ୍ଧାମାନଙ୍କ ଠାରୁ ଟିକାକରଣ ଆରମ୍ଭ ହୋଇଥିଲା। ଜିଲ୍ଲାରେ ଅବସ୍ଥାପିତ ବିଏସ୍ଏ‌ଫ, ରାଜସ୍ବ ବିଭାଗ, ମ୍ୟୁନିସପାଲଟି, ଜରୁରୀକାଳୀନ ବିଭାଗର କର୍ମଚାରୀମାନଙ୍କର ଆଗରୁ କୋଭିଡ ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଥିଲା ବୋଲି ଆଜି ଜିଲ୍ଲାପାଳ ୱାଇ.ବିଜୟ ପ୍ରକାଶ କରିଥିଲେ। କୋଭିଡ ଟିକା ସଂପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି ସେ କହିଥିଲେ। କୌଣସି ସୋସିଆଲ ମିଡିଆ କିମ୍ବା ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ କଥା ଶୁଣନ୍ତୁ ନାହିଁ ବୋଲି ସେ ଦୋହରାଇଥିଲେ।

ଆଜିଠାରୁ ଯେତେ ଭ୍ୟାକସିନ ଆସିବ ସେତେ ଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଜିଲ୍ଲାରେ ୧୮୩ ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯିବ ବୋଲି ଜଣାପଡିଛି। ସମସ୍ତ ସମ୍ମୁଖ ଯୋଦ୍ଧା ଟୀକା ନେବା ପରେ ନିରକ୍ଷଣ କେନ୍ଦ୍ରରେ ଅଧ ଘଣ୍ଟା ପାଇଁ ଅପେକ୍ଷା କରିବାକୁ କୁହାଯାଇଥିଲା। ତେବେ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିବା କୁହାଯାଇଛି। ତେଣୁ ଭୟ କରିବାର କିଛି ନାହିଁ ବୋଲି କୁହାଯାଇଛି। ଜିଲ୍ଲାରେ ଅବସ୍ଥାପିତ ଚାରି ହଜାରରୁ ଉର୍ଦ୍ଧ୍ବ ବିଏସଏଫଙ୍କୁ ପର୍ଯ୍ୟାୟକ୍ରମେ ଟିକାକରଣ କରାଯିବ ବୋଲି ଜଣାପଡିଛି। ଆଜି ଏମଭି-୩ ସ୍ଥିତ ବିଏସ୍ଏ‌ଫ କ୍ୟାମ୍ପରେ ଟିକାକରଣ ଆରମ୍ଭ କରାଯାଇଛି। ସେହିପରି ପୁଲିସ ମାନଙ୍କୁ ମଧ୍ୟ ଟିକାକରଣ କରାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର