ଆସିଲା କରୋନା ଟିକା; ସମୀକ୍ଷା କଲେ ଜିଲ୍ଲାପାଳ, ଟିକା ପାଇଁ ପ୍ରସ୍ତୁତି ଚାଲିଛି ତାଲିକା

କୋରାପୁଟ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି କୋରାପୁଟ ଜିଲ୍ଲାରେ କୋଭିଡ ଟିକା ପହଞ୍ଚିଛି। ପୁନେର ସ‌େରମ୍ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଏହି ‘କୋଭିସିଲ୍ଡ ଭେକ୍ସିନ୍’ ଆଜି ସକାଳ ପ୍ରାୟ ୬ଟାବେଳେ କଡାସୁରକ୍ଷା ମଧ୍ୟରେ ପହଞ୍ଚିଥିଲା। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରରେ ରହିଥିବା ଆଞ୍ଚଳିକ ଟିକା ଭଣ୍ଡାର ପରିସରରେ ଏହାକୁ ରଖାଯାଇଥିବାବେଳେ ସୁରକ୍ଷାକୁ କଢାକଡି କରାଯାଇଛି। ଏହାର ଦାୟିତ୍ବରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲା ପୁଲିସକୁ ଦିଆଯାଇଛି। ଆଜି ଜିଲ୍ଲାକୁ ୮୩୦୦ ଡୋଜ୍ ଆସି ପହଞ୍ଚିଥିବାବେଳେ ରାଜ୍ୟସ୍ତରରୁ ପ୍ରତି ଜିଲ୍ଲାକୁ ସ୍ବତନ୍ତ୍ର ଭ୍ୟାନ ସହାୟତାରେ ଟିକା ପ୍ରେରଣ କରାଯାଇଥିବା ଜଣାପଡିଛି। ଦୁଇଦିନ ପରେ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ। କୋରାପୁଟ ଜିଲ୍ଲାର ଏସଏଲଏନ ମେଡିକାଲ କଲେଜ, ଡିଏଚଏଚ ଜୟପୁର, ମାଥାଲପୁଟ ସିଏଚସି, ବୋରିଗୁମ୍ମା ସିଏଚସି ଓ ଗାନ୍ଧି ନଗର ସହରାଞ୍ଚଳ ପ୍ରାଥମିକ କେନ୍ଦ୍ରକୁ ଟିକା ପ୍ରଦାନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ପ୍ରତି ଟିକା ପ୍ରଦାନ କେନ୍ଦ୍ରରେ ସକାଳ ୯ଟାରୁ ୫ଟାଯାଏ, ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ। ତେବେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏହାକୁ ‌ଲୋକାର୍ପଣ କରିବେ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପରେ ମୁଖ୍ୟମନ୍ତ୍ରୀ ପ୍ରତି ଜିଲ୍ଲା ସହ ଆଲୋଚନା କରିବା ସହ ଜିଲ୍ଲାରେ ପ୍ରଥମେ କିଏ ପ୍ରଥମେ ଟିକା ନେବେ ତାଙ୍କ ସହ ଆଲୋଚନା କରିବେ। ଏହାପରେ ଜିଲ୍ଲାର ଗାନ୍ଧି ନଗର ସହରାଞ୍ଚଳ ପ୍ରାଥମିକ କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ। ତେବେ ପ୍ରଥମ ପର୍ୟ୍ୟାୟରେ ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଡିସିପିଓ ଓ ମିଶନ ଶକ୍ତିର କର୍ମଚାରୀ ନେବେ। ପ୍ରଥମ ପର୍ୟ୍ୟାୟରେ ଟିକାକରଣ ପାଇଁ ୧୨ହଜାର ୭୬ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି। ତେବେ ୮ହଜାର ୩୦୦ ଡୋଜ୍ ଆସିଥିବା ବେଳେ ଏବେ ସେଥିରୁ ପାଖାପାଖି ୭ହଜାର ୬ଶହ ଡୋଜ୍‌ ବ୍ୟବହାର କରାଯିବ। ପରେ ଦ୍ୱିତୀୟ ପର୍ୟ୍ୟାୟ ଟିକା ଆସିଲେ ଏହି ଲକ୍ଷ୍ୟ ପୂରଣ ହେବା ସହ ପୁଲିସ ଓ କୋଭିଡ ପରିଚାଳନାରେ ନିୟୋଜିତ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ କୋଭିଡ ଟିକା ପ୍ରଦାନ କରାଯିବ ବୋଲି ସିଡିଏମଓ ମକରନ୍ଦ ବେଉରା କହିଛନ୍ତି। ଆଜି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ କ‌େନ୍ଦ୍ରକୁ ପରଦର୍ଶନ କରିଛନ୍ତି। ଏହାସହ କିପରି ଟିକାକୁ ଠିକ ଭାବେ ରଖାଯାଇଛି କି ନାହିଁ ତାହାର ତନାଘନା କରିଥିଲେ। ଏହାସହ ଟିକାକୁ ଦେଖାଇ ଏହାର ବିଶେଷତ୍ବ ସମ୍ପର୍କ‌ରେ ପଚାରି ବୁଝିଥିଲେ। ପ୍ରତି ବୋତଲରେ ୫୦ ଏମଏଲ ରହିଥିବାବେଳେ ପ୍ରତି ଜଣଙ୍କୁ ୦.୫ଏମଏଲ ଡୋଜ ପ୍ରଦାନ କରାଯିବ।

୨୮ଦିନ ପରେ ଦ୍ବିତୀୟ ଡୋଜ ମଧ୍ୟ ସେହି ପରିମାଣରେ ଦିଆଯିବ। ଏବେ ଏହାକୁ ଆବଶ୍ୟକ ସର୍ତକତାମୂଳକ ପଦକ୍ଷେପ ସହ ରଖାଯାଇଥିବା ଦେଖିବାକୁ ମିଳିଛି। ଦୁଇଟି ପର୍ୟ୍ୟାୟରେ ଜିଲ୍ଲାର ୪ ଗୋଟି କେନ୍ଦ୍ରରେ ଡ୍ରାଏରନ୍ ବା ପୂର୍ବାଭ୍ୟାସ କରାଯାଇ ସାରିଛି। ଜିଲ୍ଲାରେ ପାଖାପାଖି ୧୨,୦୭୬ ଟିକା ଗ୍ରହଣକାରୀ ରହିଥିବାବେଳେ ଏସଏଲଏନ ମେଡିକାଲ କଲେଜରେ ୧୦୭୫ଜଣ, ଜୟପୁର ସହରାଞ୍ଚଳରେ ୧୩୮, ସୁନାବେଢାରେ ୧୫୬, କୋରାପୁଟ ସହରାଞ୍ଚଳରେ ୧୩୭, ଡିଏଚଏଚ ଜୟପୁରରେ ୪୧୦, କୁନ୍ଦୁଲିରେ ୬୯୦, ପଟାଙ୍ଗୀରେ ୬୧୮, ନାରାୟଣପାଟଣାରେ ୪୩୮, ନନ୍ଦପୁରରେ ୮୬୯, ଲକ୍ଷ୍ମୀପୁରରେ ୬୨୧, ଲମତାପୁଟରେ ୬୮୪, କନ୍ଦୁରାରେ ୫୮୩, କୋଟପାଡରେ ୭୬୦, ମାଥଲପୁଟରେ ୬୪୦, ରାବଣାଗୁଡାରେ ୮୬୫, ଦଶମନ୍ତପୁରରେ ୭୩୬, ବୋରିଗୁମ୍ମା ୧୦୯୨, ବୈପାରିଗୁଡାରେ ୯୭୬ ଓ ବନ୍ଧୁଗାଁରେ ୬୪୩ ଟିକା ଗ୍ରହଣକାରୀ ରହିଛନ୍ତି।

ସମ୍ବନ୍ଧିତ ଖବର