କରୋନା ପାଇଁ ନିଯୁକ୍ତିର ୧୫ ଦିନ ପରେ ଛଟେଇ: ଆନ୍ଦୋଳନ ଚେତାବନୀ ଦେବା ପରେ ନରମିଲା ପ୍ରଶାସନ

କୋଭିଡ୍ କେୟାର କେନ୍ଦ୍ରକୁ ପୁଣି ଫେରିବେ ଏଏନଏମ ଓ ଜିଏନଏମ  

ଫୁଲବାଣୀ: କରୋନା ମୁକାବିଲା ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟ ବିଭାଗରେ କର୍ମଚାରୀ ନିଯୁକ୍ତି ଦିଆଗଲା। ୨ ମାସ ପାଇଁ ନିଯୁକ୍ତିର ଚୁକ୍ତିନାମା କରାଗଲା। ନିଯୁକ୍ତି ପତ୍ର ପାଇଁ କର୍ମଚାରୀମାନେ କୋଭିଡ କେୟାର ସେଣ୍ଟରରେ କାମ କଲେ। ହେଲେ ୧୫ ଦିନ ପରେ ଅଧିକ କର୍ମଚାରୀ ଥିବା କହି ସେମାନଙ୍କୁ ଛଟେଇ କରି ଦିଆଗଲା। ଏ ନେଇ ଏନଏନଏମ ଓ ଜିଏନଏମ ପ୍ରତିବାଦ କଲେ। ଆନ୍ଦୋଳନ ଧମକ ଦେଲେ। ‌ଶେଷରେ ପ୍ରଶାସନର ଚେତା ପଶିଲା। ନିଜ ନିଜ ସ୍ଥାନକୁ ଯାଇ କାମ କରିବାକୁ  ସେମାନଙ୍କୁ ପରାମର୍ଶ ଦିଆଗଲା।

ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳରେ ସ୍ବାସ୍ଥ୍ୟ ବିଭାଗରେ କର୍ମଚାରୀ ଅଭାବ ରହିଥିବା ବେଳେ କରୋନା ମୁକାବିଲା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ମତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ତାଲିମପ୍ରାପ୍ତ ୧୮ ଜଣ ଏଏନଏମ ଓ ୭୦ ଜଣ ଜିଏନଏମଙ୍କୁ ଭାରତ ସିକ୍ୟୁରିଟ ସଂସ୍ଥା ଜରିଆରେ ଗତ ମାର୍ଚ୍ଚ ୧୯ରେ ନିଯୁକ୍ତି ପତ୍ର ଦିଆଯାଇଥିଲା। ଦିନକୁ ଦରମା ୪୪୮ ଟଙ୍କା। ଆଉ ନିଯୁକ୍ତି ୨ ମାସ ପାଇଁ ଅବଧି ବୋଲି ଚୁକ୍ତିନାମା ହୋଇଥିଲା। ନିଯୁକ୍ତି ପାଇ ଏମାନେ କୋଟଗଡ, ଦାରିଙ୍ଗିବାଡି(ଏ), ଦାରିଙ୍ଗବାଡି(ବି), ବାରଖମା, ଶଙ୍କରାଖୋଲ ଓ ରାଇକିଆରେ ଖୋଲା ଯାଇଥିବା କୋଭିଡ କେୟାର ସେଣ୍ଟରରେ କାମ କରିଥିଲେ। କାମ କରିବା ସମୟରେ ନୂତନ ସ୍ଥାାୟୀ ନିଯୁକ୍ତି ନିମନ୍ତେ ସରକାରୀ ନୋଟିଫିକେସନ ବାହାରି ଥିଲା। ହେଲେ ଏମାନେ କେହି ଆବେଦନ କରିବାର ସୁଯୋଗ ପାଇ ନଥିଲେ। ଜୀବନକୁ ବାଜି ଲଗାଇ ନିଷ୍ଟାପର ଭାବେ ୧୫ ଦିନ ହେଲା କାମ କରିବାକୁ ଆସୁଥିବା ୮୮ ଜଣଙ୍କ ମଧ୍ୟରୁ ଗତ ୧୩ ତାରିଖରେ ୫୬ ଜଣଙ୍କୁ ବିନା କା‌ରଣରେ ଛଟେଇ କରି ଦେଲେ।

ଏ ନେଇ ସେମାନେ କେନ୍ଦ୍ରର ଭାରପ୍ରାପ୍ତ ଓ ନିଯୁକ୍ତି ସଂସ୍ଥାର ମୁଖ୍ୟଙ୍କୁ ପଚାରିବାରେ ଜିଲ୍ଲାପାଳ  ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶମତେ ଏଭଳି.ହୋଇଥିବା କହିଥିଲେ। ସସ୍ମିତା ପ୍ରଧାନ, ଜ୍ୟୋତିସ୍ମିତା ଦିଗାଲ ଓ ସ୍ବରୂପା ନାୟକଙ୍କ ନେତୃତ୍ବରେ ଛଟେଇ ସମସ୍ତ କର୍ମଚାରୀ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଜିଲ୍ଲାପାଳ ତୁରନ୍ତ ସିଡିଏମଓ ଓ ଡିପିଏମଙ୍କୁ ଡକାଇ ଥିଲେ। ବହୁ ସମୟ ଆଲୋଚନା ହୋଇଥିଲା। ଅଧିକ କର୍ମଚାରୀ ଥିବାରୁ ଏଭଳି କରାଯାଇଛି ବୋଲି କୁହାଯାଇଥିଲା। ବୁଝାସୁଝା କରି ବିଦା କରିବାକୁ ବହୁ ଉଦ୍ୟମ ହୋଇଥିଲା। ଛଟେଇ କର୍ମଚାରୀ ଜିଦ ଧରି ବସିଥିଲେ। ପୁର୍ନବିଚାର ନ ହେଲେ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଥିଲେ। ଶେଷରେ ଏହି ସମୟରେ ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ପୁଣି ନିଜ ନିଜ କୋଭିଡ କେୟାର ସେଣ୍ଟରକୁ ଯାଇ କାମ କରିବାକୁ କୁହାଯାଇଛି।

 

ସମ୍ବନ୍ଧିତ ଖବର