ବୃଦ୍ଧ ଦମ୍ପତିଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଲା କରୋନା: ସାନପୁଅ ପାଇଁ ବିକିଥିଲେ ଘର, ପେଟ ପାଇଁ ବିକିଦେଲେ ଖଟ ଓ ଫ୍ରିଜ୍‌

ବୟସର ସାୟାହ୍ନରେ ୫୨ ବର୍ଷ ବଡପୁଅର ବୋଝ, ପ୍ରତିଦିନ ବଞ୍ଚିବାକୁ ରାହା ଖୋଜୁଛନ୍ତି ହରି, ବାସନ୍ତି 

ଭଞ୍ଜନଗର (ବିଶ୍ବମ୍ବର ଜେନା): ବୟସର ସାୟାହ୍ନରେ ବୃଦ୍ଧ ଦମ୍ପତି ମୁଣ୍ଡାଇଛନ୍ତି ୫୨ ବର୍ଷ ମାନସିକ ଦିବ୍ୟାଙ୍ଗ ବଡ ପୁଅର ବୋଝ। ଆଗରୁ ରୋଗୀଣା ସାନପୁଅକୁ ଭଲ କରିବାକୁ ଘର ବିକିଦେଇଥିଲେ।‌ ଅର୍ଜିତ ଘରଦ୍ବାର ସବୁ ଚାଲିଯାଇଥଲା ହେଲେ ସେ ବଞ୍ଚିପାରିଲାନି। ତଥାପି ଧୌର୍ଯ୍ୟ ଭାଙ୍ଗି ନଥିଲା। ସର୍ବସ୍ବ ହରାଇବା ପରେ ପାର୍କ ସମ୍ନାରେ ନଳାଖଜା ବିକିଲେ ଦୁଇଓଳା ପେଟ ପାଇଁ ଦାନା ଯୋଗାଡ ହେଉଥିଲା। ହେଲେ ଦୀର୍ଘ ଦୁଇମାସ ହେଲା କରୋନା କଟକଣା ବୃଦ୍ଧ ଦମ୍ପତିଙ୍କ ଉପରେ ଯେମିତି ଦୁଃଖର ପାହାଡ ଲଦି ଦେଇଛି। ପରିସ୍ଥିତି ଏମିତି ହୋଇଛି ଯେ, ପେଟର ଭୋକ ମେଣ୍ଟାଇବାକୁ ଘରେ ଥିବା ଖଟ ଓ ଫ୍ରିଜ୍‌କୁ ଗତ ୧୬ ତାରିଖ ଦିନ ବିକିବାକୁ ବାଧ୍ୟ ହୋଇଛନ୍ତି। ଏଣେ ସରକାରୀ ସହାୟତା ବି ସାତସପନ।

ଏମିତି ଏକ ଅସହାୟ ବୃଦ୍ଧ ଦମ୍ପତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଶିଶୁ ଉଦ୍ୟାନ ନିକଟ ଛୋଟ କୁଡିଆରେ ରହୁଥିବା ହରିକୃଷ୍ଣ ବେହେରା(୮୫) ଏବଂ ତାଙ୍କ ପତ୍ନୀ ବାସନ୍ତୀ(୭୪)। ଯେଉଁ ବୟସରେ ପୁଅ ସେମାନଙ୍କ ଯତ୍ନ‌ ନେଇଥାନ୍ତା, ସେହି ପୁଅର ହିଁ ସେମାନେ ସେବା କରିବା ସହ ବଞ୍ଚିବାକୁ ପ୍ରତିଦିନ ସଂର୍ଘଷ କରୁଛନ୍ତି। ଜୀବନର ଶେଷ ପାହାଚରେ ଅହରହ ପରିଶ୍ରମ କରି ଚାଲିଛନ୍ତି। କିନ୍ତୁ ଶରୀର ଆଉ ଆଗଭଳି ସାଥ ଦେଉନାହିଁ। ଏବେ‌ କରୋନା କଟକଣା ଓ ଭୋକରେ ପେଟର ଜ୍ବାଳା ଆମକୁ ମୃତ୍ୟୁ ମୁହଁକୁ ଠେଲି ଦେଇଛି। ଆଗକୁ କଣ ହେବ ତାହା ଭଗବାନଙ୍କୁ ଜଣା ବୋଲି ହରିକୃଷ୍ଣ ଓ ବାସନ୍ତୀ କହିଛନ୍ତି।

ଭଞ୍ଜନଗର ସହରର ୧୪ ନମ୍ବର ୱାର୍ଡ଼ ଶିଶୁ ଉଦ୍ୟା‌ନ ରାସ୍ତାର ଏକ ଛୋଟିଆ କୁଡିଆରେ ରହୁଛନ୍ତି ହରିକୃଷ୍ଣ ଓ ବାସନ୍ତୀ। ଏବେ ପାଖରେ ରହୁଛି ୫୨ ବର୍ଷ ବୟସ୍କ ମାନସିକ ଦିବ୍ୟାଙ୍ଗ ପୁଅ ପ୍ରଦୀପ। ପୂର୍ବରୁ ହରିକୃଷ୍ଣ ନୂଆଗାଁ କରତକଳରେ ଦୀର୍ଘ ୧୭ ବର୍ଷ ଧରି ଚାକିରୀ କରିବା ପରେ ସେଠାରୁ ମିଳିଥିବା ଟଙ୍କାରେ ‌ଲଣ୍ଡେଇସାହିରେ ନିଜର ଏକ ଘର ତିଆରି କରି ମେସିନ୍‌ ରଖି ଲେମ୍ଭୁ ସୋଡା ତିଆରି କରି ବିଭିନ୍ନ ଯାଗାରେ ବିକ୍ରି କରୁଥିଲେ।

ବଡପୁଅ ପ୍ରଦୀପ ବ୍ରହ୍ମପୁରରେ ପାନ ଦୋକାନ କରିଥିବା ବେଳେ ସାନପୁଅ ରମେଶ ବାପା ହରିକୃଷ୍ଣକୁ କାମରେ ସହଯୋଗ କରୁଥିଲା। ଏହା ଭିତରେ ଝିଅ ବିନୋଦୀନିକୁ ହରିକୃଷ୍ଣ କଷ୍ଟେମଷ୍ଟେ ବାହା କରାଇଦେଲେ। କିନ୍ତୁ ୧୬ ବର୍ଷ ପରେ ବିଧିର ବିଧାନ ସବୁକିଛି ଓଲଟପାଲଟ କରିଦେଲା। ବଡପୁଅ ପ୍ରଦୀପ ମାନସିକ ବିକୃତି ଦେଖାଦେଲା। ‌ଫଳରେ ସେ ପାନ ଦୋକାନ ବନ୍ଦ କରି ବାପା ମାଁଙ୍କ ପାଖରେ ଆସି ରହିଲେ। ପ୍ରଦୀପରୁ ଆଉ ବିବାହ ହୋଇପାରିନଥିଲା କିନ୍ତୁ ସାନ ପୁଅ ରମେଶର ବାହାଘର ହେଲା। ହେଲେ ହଠାତ୍‌ ସେ ବି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ। ବହୁ ଡାକ୍ତରଖାନା ଦେଖାଇଲେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ବାପା ହରିକୃଷ୍ଣ ଏଥିପାଇଁ ଘର ବି ବିକି ଦେଲେ। କିନ୍ତୁ ରମେଶ ଆଉ ବଞ୍ଚିପାରିଲେନି। ଆଉ ତାଙ୍କ ପତ୍ନୀ ବାପଘରକୁ ପଳାଇଥିଲେ।

ଏହି ଘଟଣା ପରେ ହରିକୃଷ୍ଣ ପାର୍କ ରୋଡ ଠ‌ାରେ ଛୋଟ କୁଡିଆଟିଏ ବନାଇ ସେଠାକୁ ଚାଲି ଆସିଥିଲେ। ଦୀର୍ଘ ୧୫ ବର୍ଷ ହେଲା ହରିକୃଷ୍ଣ ଓ ପତ୍ନୀ ବାସନ୍ତୀ ମିଶି ପାର୍କ ସାମ୍ନାରେ ନଳାଖଜା ବିକ୍ରି କରିବା ସହ ମାନସିକ ଦିବ୍ୟାଙ୍ଗ ବଡପୁଅର ଦେଖାଶୁଣା କରୁଛନ୍ତି। ଏଭଳି ପରିସ୍ଥିତିରେ ଦୁଃଖ କଷ୍ଟରେ ତେଲ ଲୁଣର ସଂସାର ଚାଲିଥିଲା। କିନ୍ତୁ କରୋନା କଟକଣା ସେମାନଙ୍କ ଦୁନିଆକୁ ବଦଳାଇ ଦେଇଛି। ଦୀର୍ଘ ଦୁଇମାସ ହେବ ରୋଜଗାର ‌ବନ୍ଦ ହୋଇଯାଇଥିବାରୁ ପେଟରେ ଭୋକର ଜ୍ବାଳା ଏହି ବେସାହାରା ଦମ୍ପତିଙ୍କ ପାଇଁ ଅସହ୍ୟ ପାଲଟିଛି। ଶେଷରେ ଘରେ ଥିବା ପୁରୁଣା ଫ୍ରିଜ୍‌ ଓ ଖଟକୁ ଗତ ୧୬ ତାରିଖରେ ସେମାନେ ବିକ୍ରି କରିଦେଇଛନ୍ତି। ହେଲେ‌ ସେହି ଟଙ୍କାରେ କେତେ ଦିନ ଚଳିବୁ ବୋଲି କୋହଭରା କଣ୍ଠରେ ହରିକୃଷ୍ଣ କହିଛନ୍ତି। ଏପଟେ ମୁଣ୍ଡ ଉପରେ ପୁଅର ବୋଝ। ବେଳେ ବେଳେ ତାକୁ ଦେଖା ଶୁଣା କରିବାରେ ବହୁ କଷ୍ଟ ସହ୍ୟ କରିବାକୁ ପଡୁଛି ଏହି ଦମ୍ପତିକୁ। ସେହିପରି ହରିକୃଷ୍ଣ ଶ୍ବାସରୋଗ ଓ ବାସନ୍ତୀ ଉଚ୍ଚ ରକ୍ତଚାପରେ ପୀଡ଼ିତା। ପାଖରେ ଖାଇବା ପାଇଁ କିଛି ନଥିବା ବେଳେ ଔଷଧ କେଉଁଠୁ ଆଣିବେ ବୋଲି କହିଛନ୍ତି ହରିକୃଷ୍ଣ।

ଅନ୍ୟପକ୍ଷରେ ସରକାରୀ ଯୋଜନା ବି ଏହି ପରିବାର ପାଇଁ ସମୁଦ୍ରକୁ ଶଙ୍ଖେ ପାଲଟିଛି। ହରିକୃଷ୍ଣ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ପତ୍ନୀ ବାସନ୍ତୀ ଓ ପୁଅ ପ୍ରଦୀପ ସରକାରୀ ସହାୟତାରୁ ବଞ୍ଚିତ। ୪ ବର୍ଷ ହେବ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କେଜି ‌ଲେଖ‌ାଏଁ ଚାଉଳ ମିଳୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି।

ସମ୍ବନ୍ଧିତ ଖବର