ଦିନ ରାତି କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି ମହିଳା ପୁଲିସ ଅଧିକାରୀ ସାବିତ୍ରୀ ବଳ

ଝାରସୁଗୁଡ଼ା: ମଣିଷ ବଞ୍ଚି ରହିବା ପାଇଁ ଯେ କୌଣସି ଏକ ବୃତ୍ତିକୁ ଆଦୋରି ନେଇଥାଏ। ଆଉ ସେହି ବୃତ୍ତି ପାଇଁ କିଛି ମଣିଷ ନିଜ ଜୀବନକୁ ବାଜି ଲଗାଇ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି। ସଂପ୍ରତି ସାରା ବିଶ୍ବ ମହାମାରୀ କରୋନାରୁ ବଞ୍ଚିବା ପାଇଁ ଲଢ଼େଇ ଜାରି କରୁଥିବା ବେଳେ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ଅନେକ ବୃତ୍ତିଗତ ଯୋଦ୍ଧା। ଯେଉଁ ରୋଗର ଚିକତ୍ସା ନାହିଁ, ଯେଉଁ ରୋଗର ପ୍ରତିଷେଧକ ନାହିଁ ସେହି ରୋଗରୁ ମାନବ ସମାଜକୁ ବଞ୍ଚାଇାବ ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଏହି ଯୋଦ୍ଧାଙ୍କ ମଧ୍ୟରେ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ଓ ପୁଲିସର ଭୂମିକା ସବୁବେଳେ ଶୀର୍ଷରେ ରହିଛି।

ଆଗ ଧାଡ଼ିର ଏହି ଯୋଦ୍ଧା ମାନେ ଏବେ ବାହାରି ଆସିଛନ୍ତି ମାନବ ସମାଜର ସୁରକ୍ଷା ପାଇଁ । ନିଜର ବୃତ୍ତି ଆଗରେ ଜୀବନକୁ ତୁଚ୍ଛ କରି ଆଗେଇ ଚାଲିଥିବା ଏହି ଯୋଦ୍ଧାଙ୍କ ମଧ୍ୟରେ ଝାରସୁଗୁଡ଼ା ପୁଲିସର ଜଣେ ମହିଳା ପୁଲିସ ଅଧିକାରୀଙ୍କ ନାମ ସର୍ବୋଗ୍ରେ ରହିଛି। ସେ ହେଉଛନ୍ତି ଝାରସୁଗୁଡ଼ା ଥାନା ଅଧିକାରୀ ସାବିତ୍ରୀ ବଳ। ଜଣେ ମହିଳା ହେଲେ ମଧ୍ୟ ଝାରସୁଗୁଡ଼ା ଥାନା ଭଳି ଏକ ସମ୍ବଦନଶୀଳ ଥାନାର ଗୁରୁ ଦାୟିତ୍ବକୁ ସୁରୁଖୁରରେ ସଫଳତାର ସହିତ ସମ୍ଭାଳି ନେଉଥିବା ଏହି ମହିଳା ପୁଲିସ ଅଧିକାରୀ ଏବେ ଦିନ ରାତି କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି।

ପରିବାର ସଦସ୍ୟ ବାହାରେ ରହୁଥିବା ବେଳେ ପିତା କେନ୍ଦ୍ରାପଡ଼ାରେ ଏବେ ଅସୁସ୍ଥ। ପିତାଙ୍କୁ ଦେଖିଯିବା ପାଇଁ ଇଚ୍ଛା ଥିଲେ ମଧ୍ୟ କର୍ତ୍ତବ୍ୟ ଓ ଦାୟିତ୍ବ ଯୋଗୁଁ ଯିବା ସମ୍ଭବପର ହେଉନାହିଁ ବୋଲି ସେ କୁହନ୍ତି। ଏଭଳି ପରିସ୍ଥତିରେ ସରକାରଙ୍କ ଦ୍ବାରା ଘୋଷିତ ଲକଡାଉନ ଝାରସୁଗୁଡ଼ାରେ ସଫଳତାର ସହିତ ପାଳନ କରିବା ପଛରେ ଏହି ମହିଳା ଅଧିକାରୀଙ୍କ ପ୍ରଛନ୍ନ ହାତ ଥିବା ସମସ୍ତଙ୍କୁ ଜଣା। ଅତି ନମ୍ର ଓ ମାର୍ଜିତ ବ୍ୟବହାରରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିବା ଏହି ପୁଲିସ ଅଧିକାରୀଙ୍କ ତଦନ୍ତ ପ୍ରକ୍ରିୟା କିନ୍ତୁ ଅତି ଉଚ୍ଚ କୋଟିର। ରାଜ୍ୟର ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବରେ ସେ ଅନେକ ଥର ସର୍ବୋଚ୍ଚ ପୁଲିସ ଅଧିକାରୀଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି।

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରିବା ପାଇଁ ହାତରେ ଚୁନ ଧରି ସହରର ଦୋକାନ ଆଗରେ ନିଜେ ଗୋଲେଇ କାଟି ହେଉ କି ଗରିବ ଅସହାୟ ଲୋକଙ୍କ ମୁହଁରେ ଆହର ଦେବା ହେଉ କିମ୍ବା ଲୋକଙ୍କୁ ମୁହଁରେ ତୁଣ୍ଡି ବାନ୍ଧିବାକୁ କହି ତୁଣ୍ଡି ବଣ୍ଟନ କରୁଥିବା ଏହି ମହିଳା ପୁଲିସ ଏବେ ରାତି ଦିନ ଏକ କରି ଦେଇଛନ୍ତି। ସକାଳ ସାଢ଼େ ୪ ଟାରୁ ଉଠି ସେ ତାଙ୍କ କର୍ତ୍ତବ୍ୟରେ ଲାଗି ପଡ଼ନ୍ତି। ବର୍ଷକ ଏକ ହଜାରରୁ ଅଧିକ ମାମଲା ଦାୟାର ହେଉଥିବା ଏହି ଥାନାରେ କର୍ମଚାରୀ ଅଭାବ ସତ୍ବେ ସେ ନିଷ୍ଠାର ସହିତ ଦାୟିତ୍ବ ନିର୍ବାହ କରିବାରେ ହେଳା କରିନଥିବାରୁ ଡିଜି, ଡିଆଇଜି ତାଙ୍କୁ ଅନେକ ଥର ପ୍ରସଂଶା କରିଛନ୍ତି। ତାଙ୍କର ଦୃଢ଼ ନେତୃତ୍ବରେ ପୁଲିସ ଦିନ ତମାମ ରାସ୍ତା ଉପରେ ଜଗି ରହି ଲକ୍ଡାଉନ୍ କଟକଣାକୁ ପୂରା ପାଳନ କରି ପାରିଛି।

ସମ୍ବନ୍ଧିତ ଖବର