ଫୁଲବାଣୀ: କରୋନା ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ଫୁଲବାଣୀର ଆଶିଷ ଓ ତାଙ୍କର ଦୁଇ ବଡ ଭଉଣୀ ରଶ୍ମିରେଖା ଓ ଶୁଭଲକ୍ଷ୍ମୀ। ଆଶିଷ ଜଣେ ସରକାରୀ କର୍ମଚାରୀ ହୋଇ ବି କରୋନା ସମୟରେ ଅସହାୟ ଓ ଗରୀବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ରଶ୍ମିରେଖା ସ୍ବାସ୍ଥ୍ୟକର୍ମୀ। ସେ ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଷ୍ଟାଫନର୍ସ ଥିବା ଶୁଭଲକ୍ଷ୍ମୀ ପ୍ରତ୍ୟକ୍ଷ ଭାବେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି।
ଫୁଲବାଣୀ ମାଷ୍ଟ୍ରପଡାର ସ୍ବର୍ଗତ ସୁଦର୍ଶନ ବେହେରା ଓ ପତ୍ନୀ ସରୋଜିନୀ ବେହେରାଙ୍କ ପୁଅ ଓ ଝିଅ ହେଉଛନ୍ତି ଆଶିଷ, ରଶ୍ମିରେଖା ଓ ଶୁଭଲକ୍ଷ୍ମୀ। ସେମାନଙ୍କର ୫ଟି ଝିଅ ଓ ଗୋଟିଏ ପୁଅ। ପୁଅ ଆଶିଷ ସବୁଠାରୁ ସାନ। ପୁଅ ଓ ଝିଅ ଭଲ ପାଠ ପଢନ୍ତୁ। ଭଲ ମଣିଷ ହୁଅନ୍ତୁ। ଆଉ ଲୋକଙ୍କ ସେବା କରନ୍ତୁ। ଏଭଳି ଚାହୁଁଥିଲେ ସୁଦର୍ଶନ ଓ ସରୋଜିନୀ। ବାପା ଓ ମା’ଙ୍କ ଇଛାକୁ ପୂରଣ କରିଛନ୍ତି ପୁଅ ଆଶିଷ ଓ ଦୁଇ ଝିଅ ରଶ୍ମିରେଖା ଓ ଶୁଭଲକ୍ଷ୍ମୀ।
ଆଶିଷ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଛନ୍ତି। ସରକାରୀ କାର୍ଯ୍ୟ ପରେ ଅବସରରେ ସମୟରେ ଆଶିଷ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ଏଥି ସହ ସେ ଫୁଲବାଣୀର ଅଗ୍ରଣୀ ସାମାଜିକ ସଂଗଠନ ଟିମ ହ୍ୟୁମାନିଟର ସଦସ୍ୟ ଅଛନ୍ତି। କରୋନା ଲକ୍ ଡାଉନ ଆରମ୍ଭ ଦିନଠରୁ ଆଶିଷ ଗରୀବ ଅସହାୟଙ୍କ ଲୋକଙ୍କୁ ସାହାଯ୍ୟ କରିବା ସହ ଗାଈ ଗୋରୁମାନଙ୍କୁ ଖାଇବାକୁ ଦେଉଛନ୍ତି। ଏମିତି କି ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ କରୋନା ସଚେତନ ବାର୍ତ୍ତା ଦେଉଛନ୍ତି। ଆଶିଷଙ୍କ ବଡ ଭଉଣୀ ରଶ୍ମିରେଖା ଚକାପାଦ ବ୍ଳକ ବପଲମେଣ୍ଡି(ଏଲ) ଉପସ୍ବାସ୍ଥ୍ୟକେନ୍ଦ୍ରରେ ଏଏନଏମ ଭାବେ କାର୍ଯ୍ୟ କରୁଛନ୍ତି। ରଶ୍ମିରେଖା ସଂପ୍ରତି କରୋନା ମୁକାବିଲାରେ ଲାଗି ପଡିଛନ୍ତି।
ସଂପୃକ୍ତ ଅଞ୍ଚଳରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହ ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଏଥି ସହ ସ୍ଥାନୀୟ ଅଞ୍ଚଳରେ ଖୋଲା ଯାଇଥିବା ସଙ୍ଗରୋଧକେନ୍ଦ୍ରର ତଦାରଖ ଦାୟିତ୍ବ ବି ତୁଲାଉଛନ୍ତି। ସେହିଭଳି ଆଶିଷଙ୍କ ମଝିଆ ଭଉଣୀ ଶୁଭଲକ୍ଷ୍ମୀ ଭୁବନେଶ୍ବର କିମସରେ ଷ୍ଟାଫନର୍ସ ଭାବେ କାମ କରୁଛନ୍ତି। ସେଠାରେ ଖୋଲିଥିବା କୋଭିଡ ହସପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସେ ନିୟୋଜିତ ହୋଇଛନ୍ତି।
ମୋଟ ଉପରେ କହିବାକୁ ଗଲେ ଗୋଟିଏ ପରିବାରରୁ ଭାଇ ଓ ୨ ଭଉଣୀ ନିଜନିଜର କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରି କରୋନା ଭଳି ମହାମାରୀର ମୁକାବିଲା କରିବାକୁ ଏକ ରକମ ପଣ କରିଛନ୍ତି। କାରୋନା ସଂକ୍ରମଣ ହେବାର ଭୟ ରହିଛି। ହେଲେ କର୍ତ୍ତବ୍ୟ ଆଗରେ ଭୟର ସ୍ଥାନ ନାହିଁ ବୋଲି କହନ୍ତି ଆଶିଷ,ରଶ୍ମିରେଖା ଓ ଶୁଭଲକ୍ଷ୍ମୀ। କରୋନା ଯୁଦ୍ଧର ଯୋଦ୍ଧା ସାଜିଥିବା ପୁଅ ଓ ଝିଅଙ୍କ ପାଇଁ ଗର୍ବତ ଓ ଜୀବନ ଧନ୍ୟ ହୋଇଛି ବୋଲି କହନ୍ତି ମା ସରୋଜିନୀ। ସେମାନଙ୍କ ବାପା ବଞ୍ଚିଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି କହନ୍ତି ଅସୁସ୍ଥ ହୋଇ ଘରେ ଶଯ୍ୟାସାୟୀ ଥିବା ସରୋଜିନୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/ଆଶିଷ.jpg)
