କରୋନା ଯୋଦ୍ଧାଙ୍କୁ ମାଡ: ପରିଚୟ ପତ୍ର ଦେଖାଇବା‌ ପରେ ବି ପୁଲିସ ପିଟିଲା

ପ୍ରତିବାଦରେ ପୌର କାର୍ଯ୍ୟାଳୟ ଘେରିଲେ କର୍ମଚାରୀ

ଫୁଲବାଣୀ: କରୋନା ମୁକାବିଲା ନିମନ୍ତେ ଡାକ୍ତର, କର୍ମଚାରୀ ଓ ପୁଲିସ ଭଳି ପୌର ପରିଷଦ କର୍ମଚାରୀଙ୍କ ଭୂମିକା ବି କମ ନୁହେଁ। ହେଲେ କରୋନା ଯୋଦ୍ଧା ଫୁଲବାଣୀ ପୌର ପରିଷଦର ଜଣେ କର୍ମଚାରୀଙ୍କୁ ପୁଲିସ ମାଡ ମାରିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ବୁଝାସୁଝା କରିବା ଓ ବାଡେଇଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ସାନିଟାଇସନ ସୁପରଭାଇଜର ଅନିରୁଦ୍ଧ ମୁଖି କାମକୁ ଯାଇ ସାଇକେଲରେ କାର୍ଯ୍ୟାଳୟକୁ ଫେରୁଥିଲେ। ‌ହନୁମାନ ମନ୍ଦିର ନିକଟରେ ୨ଟି ବାଇକରେ ଯାଉଥିବା ୪ ଜଣ ପୁଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। କାହିଁକି ବାହାରେ ବୁଲୁଛ ବୋଲି କହି ଅନିରୁଦ୍ଧଙ୍କୁ ଜଣେ ପୁଲିସ କର୍ମଚାରୀ ବାଡିରେ ପିଟିଥିଲେ। ତାପରେ  ନିଜର ପରିଚୟ ଦେବା ସହ କାମ ଦେଖି ଅଫିସକୁ ଯାଉଛି ବୋଲି କହିବା ସତ୍ତ୍ବେ ବି ସଂପୃକ୍ତ ପୁଲିସ କର୍ମଚାରୀ ଆହୁରି ୨ ପାହାର ପକାଇଥିଲେ।

ଅନିରୁଦ୍ଧ ମାଡ ଖାଇ ଆସି ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଏହି ଖବର ଜଣା ପଡିବା ପରେ ସବୁ କର୍ମଚାରୀ ଏକଜୁଟ ହୋଇ ଅପିସ ଘେରାଉ କରିଥିଲେ। ‌ମାଡ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରା ନ ଗଲେ ଆସନ୍ତାକାଲିଠାରୁ କାମବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ତାପରେ ଏନେଇ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନ ଥାନାଧିକାରୀ ନରେଶ କୁମାର ସାହୁଙ୍କୁ ଜଣାଇଥିଲେ। ସେମାନେ ବହୁ ସମୟ ଧରି ପହଞ୍ଚି ବୁଝାସୁଝା କରିଥିଲେ। ମାଡ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ କର୍ମଚାରୀ ଘେରାଉରୁ ଓହରିଥିଲେ। କିଛି ଦିନ ପୂର୍ବେ ଜଣେ ଖବର କାଗଜ ବିତରକକୁ ମାଡ ପୁଲିସ ମାରିବା ଏବଂ ଆଜି ପୌର କାର୍ଯ୍ୟାଳୟର ଜଣେ କର୍ମଚାରୀ ପରିଚୟ ଦେବା ସତ୍ତ୍ବେ ତା‌ଙ୍କୁ ମାଡ ମାରିବା ଘଟଣାକୁ ନାପସନ୍ଦ କରାଯାଇଛି। ଏ ନେଇ ଏସପି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧିତ ଖବର