ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନର ସପ୍ତାହେ ପରେ ସୋମବାର ସାମାନ୍ୟ କୋହଳ ହୋଇଥିବା ଜିଲ୍ଲାପ୍ରସାଶନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟସରକାରଙ୍କ ନିର୍ଦେଶ ପରେ ରବିବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତାରେ କୋଭିଡ-୧୯ ମୁକାବିଲା ବୈଠକ ହୋଇଥିଲା। ଏଥିରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦ୍ୱାରା କୋଭିଡ-ମୁକାବିଲା ପାଇଁ ଜାରି ନୂଆ ଗାଇଡ଼ଲାଇନ ବିଷୟରେ ଦୀର୍ଘ ଅଢେଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ବୈଠକ ଉପରାନ୍ତ ଜିଲ୍ଲାରେ ଲକ୍‌ଡାଉନ୍ କଟକଣା କୋହଳ କରାଯିବା ନେଇ ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଧାରିତ ଗାଇଡ୍ ଲାଇନ୍ ଅନୁସାରେ ଜିଲ୍ଲାରୁ କିଛି କଟକଣା ହଟାଯିବ।

Advertisment

ତାହା ଅନୁଯାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଉପରେ ପୂର୍ବରୁ ସକାଳ ୬ରୁ ୧୧ତା ଯାଏଁ ସମୟ ସୀମା ଦିଆଯାଇଥିଲା ବର୍ତ୍ତମାନ ଏହାକୁ ଅଧିକ ତିନି ଘଣ୍ଟା ବୃଦ୍ଧି କରାଯାଇଛି। ଦ୍ୱିପ୍ରହର ୨ଟା ଯାଏଁ ଏସବୁ ଦୋକାନ ଖୋଲାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଏହା ସହିତ ବିଦ୍ୟୁତ ସାମଗ୍ରୀ ଓ ମରାମତି ଦୋକାନ, ମୋଚି ଓ ଡ୍ରାଇ କ୍ଲିନିଂ ଦୋକାନକୁ ମଧ୍ୟ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଅପରପକ୍ଷେ ବିଦ୍ୟୁତ ଓ ମେକାନିକାଲ ସାମଗ୍ରୀ ମରାମତି, ବଢ଼େଇ, ମୋଟର ମେକାନିକ, ନିର୍ମାଣ ସାମଗ୍ରୀ ଲୁହ ଛଡ଼, ସିମେଣ୍ଟ ବିକ୍ରି କରୁଥିବା ଦୋକାନ ଗୁଡିକୁ ଦିନ ତମାମ ଖୋଲିବାକୁ ଅନୁମତି ଦିଆଯାଇଛି। କେବଳ ହୋମ ଡେଲିଭରି ଦେବା ପାଇଁ ଢ଼ାବା, ହୋଟେଲ ଦିନ ତମାମ ଖୋଲିବାକୁ ଦିଆଯାଇଛି ଅନୁମତି। ସେହିପରି ଅତ୍ୟାବଶକ ସାମଗ୍ରୀ ଓ ଡାକ୍ତରଖାନା ଯିବା ପାଇଁ ଲୋକେ ଗାଡ଼ି ନେଇପାରିବେ ।

ତେବେ ମୋଟର ସାଇକେଲରେ ଜଣେ ଲେଖାଏଁ ଚାଳକ ରାସ୍ତାରେ ଯାଇ ପାରିବେ। ଅଟୋ ରିକ୍ସା ଓ ୪ ଚକିଆ ଯାନରେ କେବଳ ଚିକିତ୍ସା ପାଇଁ ଯାଇପାରିବେ। ଅତି ଆବଶ୍ୟକ ବିନା କାରଣରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି ଏବଂ ସବୁବେଳେ ସାମାଜିକ ଦୂରତ୍ବ ରକ୍ଷା ଓ ମାସ୍କ ବ୍ୟବହାତ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି। ଏଥିରେ ଖିଲାପ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।