ବଦଳୁଛି ଜୀବନ : ଚିତ୍ରାଳୟ ଏବେ ଜଡ଼ିବୁଟି ଦୋକାନ; କରୋନାରେ ଅଲୋଡା ଚିତ୍ରଶାଳା
ରଘୁନାଥପୁର: ୯୦ ଦଶକରେ ଚିତ୍ରାଳୟ ପାଇଁ ରଘୁନାଥପୁର ସାରା ଓଡ଼ିଶାରେ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିଲା। ବାଣୀକ୍ଷେତ୍ର ଜଗତ୍ସି˚ହପୁର ଜିଲ୍ଲା କଳାର ଏନ୍ତୁଡିଶାଳ ଭାବେ ସୁଖ୍ୟାତି ଅର୍ଜନ କରିଥିବା ବେଳେ ଚିତ୍ରାଳୟର ଚାହିଦା ଢେର ଅଧିକ ଥିଲା। ରଘୁନାଥପୁର ଅ˚ଚଳରେ କାଳୀ କୃଷ୍ଣ ଚିତ୍ରାଳୟ, ଦକ୍ଷୀଣେଶ୍ବରୀ ଚିତ୍ରାଳୟ, ପାଗଳ ସାହୁ ଚିତ୍ରାଳୟ, ତ୍ରୀଶକ୍ତି ଚିତ୍ରାଳୟ, ଲକ୍ଷ୍ମୀନାରାୟଣ ଚିତ୍ରାଳୟ ବେଶ ସୁନାମ ଅର୍ଜନ କରିଥିଲା। କେବଳ ଏହି ଜିଲ୍ଲା ନୁହଁ କଟକ, କେନ୍ଦ୍ରାପଡା, ସାଲେପୁର, ପୁରୀ, ଢେଙ୍କାନାଳ, ସମ୍ବଲପୁର ଜିଲ୍ଲାରେ ମଧୢ ରଘୁନାଥପୁର ଚିତ୍ରାଳୟର ଚାହିଦା ରହିଥିଲା। ରଘୁନାଥପୁର ଥିଲା ଚିତ୍ରାଳୟ ବ୍ୟବସାୟର ପେଣ୍ଠସ୍ଥଳ। ଏବେ ରଘୁନାଥପୁର ବଜାରରେ ଥିବା ଏକ ଚିତ୍ରାଳୟ ପାଲଟି ଯାଇଛି ଜଡ଼ିବୁଟି ଦୋକାନ। କରୋନା ବଦଳାଇ ଦେଇଛି ଜୀବନ ଜୀବିକାର ଚିତ୍ର।
ନବେ ଦଶକରେ ଚିତ୍ରାଳୟ ମାଲିକ ଦୈନିକ ୫ଶହରୁ ୧ହଜାର ଟଙ୍କା କମାଉଥିଲେ। ଗୋଟେ ରାତି ଚିତ୍ରାଳୟ ଭଡା ବାବଦକୁ ୫ହଜାରରୁ ୧୦ ହଜାର ଟଙ୍କା ଭଡା ଆକାରରେ ମିଳୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଶହଶହ ଲୋକଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥିଲା। ଦୋଳ ପୂର୍ଣ୍ଣିମା, ରଜ, ସ୍ବାଧୀନତା ଦିବସ, ଜନ୍ମାଷ୍ଠମୀ, ନନ୍ଦ ଉତ୍ସବ ଆଦି ପର୍ବପର୍ବାଣୀରେ ଚିତ୍ରାଳୟର ନାହିଁନଥିବା ଚାହିଦା। ରାଜକୀୟ, ଐତିହାସିକ, ପୌରାଣିକ ଏବ˚ କାଳ୍ପନିକ କପଡା ଚିତ୍ରାଳୟମାନଙ୍କରେ କାରିଗର ରଖି ତିଆରି କରାଯାଉଥିଲା। କଟକ , କଲିକତାରୁ କପଡା, ମୁଖା ଆଦି କିଣା ଯାଉଥିଲା। ମୁକୁଟ, ବେକର ଚିକ, ହାତର ବାଜୁ, ଅଣ୍ଟାପଟି, ସଲମା, ମାଳି, ହାର, ଢାଲ, ଖଣ୍ତା, ପ୍ଲାଷ୍ଟିକ ବନ୍ଧୁକ, ଛୁରୀ, ଗଦା, ଧନୁ, ଶବରଟୋପି, ଚିକିମିକିଆ, କପଡା, ବାଘ ଭାଲୁ ଡ୍ରେସ, ସ୍ବାଧୀନତା ସ˚ଗ୍ରାମୀମାନଙ୍କ କପଡା, ପୁଲିସ ଡ୍ରେସ, ସଜାସଜି ସରଞ୍ଜାମ, ବାଦ୍ୟଯନ୍ତ୍ର, ମାଇକ, ଲାଇଟ, ଷ୍ଟେଜ ଆଦି ଭଡାସୂତ୍ରରେ ଦିଆଯିବା ସହ ସଜବାଜ କରାଯାଉଥିଲା। ଟେଲିଭିଜନର ପ୍ରଭାବ ଫଳରେ ଗ୍ରାମରେ ହେଉଥିବା ଛୋଟବଡ ଯାତ୍ରା ମେଲୋଡିର ଚାହିଦା କମୁଥିବା ବେଳେ ୧୯୯୯ମହାବାତ୍ୟା ଚିତ୍ରାଳୟ ହସ୍ତଶିଳ୍ପରେ ଦାଉସାଧିଲା। ମହାବାତ୍ୟା ସମ୍ପୂର୍ଣ୍ଣ ଉଜାଡ଼ିଦେଲା ଚିତ୍ରାଳୟ ବ୍ୟବସାୟ। ସେହିଦିନ ଠାରୁ ହାତଗଣତି କେତେକ ଚିତ୍ରାଳୟ ମାଲିକ ଅଳ୍ପ କିଛି ସରଞ୍ଜାମ ରଖି ଚିତ୍ରାଳୟ ଚଳାଇଥିଲେ ହେଁ ପରବର୍ତୀ ସମୟରେ ସେସବୁ ବନ୍ଦ ହୋଇଯାଇଛି।
ଯାତ୍ରା ହେଉକି ମେଲୋଡି ଚିତ୍ରାଳୟ ବିନା ସବୁ କିଛି ଥିଲା ଅଧୁରା। ଚିତ୍ରାଳୟର ସାଜସରଞ୍ଜାମରେ ସଜେଇ ହୋଇ ଦର୍ଶକକୁ ବାନ୍ଧି ରଖୁଥିଲେ କଳାକାର। ସମୟ ବଦଳିଛି, ତାଳ ଦେଇ ମଣିଷର ରୁଚି ବି ବଦଳିଛି। ଯାତ୍ରାଜଗତର ରଂଗୀନ ଦୁନିଆକୁ ଅଧିକ ଆକର୍ଷଣୀୟ ଓ ନିଖୁଣ କଳାର ରୂପ ଦେଉଥିବା ଚିତ୍ରାଳୟ ଏବେ ଅଲୋଡ଼ା ହୋଇ ପଡ଼ିଛି। ଦିନଥିଲା ଚିତ୍ରାଳୟ ପାଖରେ ଧାଡ଼ିବାନ୍ଧି ଛିଡା ହେଉଥିଲେ ସାଂସ୍କୃତିକ ଅନୁଷ୍ଠାନମାନେ। ପାର୍ବଣ ସମୟ ପାଖେଇ ଆସିଲେ ନାଟ ମଣ୍ତପ ନୂଆ ରୂପରେ ଆତ୍ମପ୍ରକାଶ କରୁଥିଲା। ନାଟକର ଚରିତ୍ରମାନଙ୍କୁ ଜୀବନ୍ତ କରି ତୋଳିବାରେ ଚିତ୍ରାଳୟଗୁଡ଼ିକର ଭୂମିକା ଥିଲା ଢେର ଗୁରୁତ୍ବପୂର୍ଣ୍ଣ। ଚିତ୍ରାଳୟକୁ ଭଡା ନେବା ପାଇଁ ମାସ ମାସ ଆଗରୁ ହଜାର ହଜାର ଟଙ୍କା ବଇନା ଦେଇ ଅପେକ୍ଷା କରିବାକୁ ପଡୁଥିଲା। ସେ ସମୟରେ ଚିତ୍ରାଳୟର ଚାହିଦାକୁ ଆଖିଆଗରେ ରଖି ଚିତ୍ରାଳୟ ବ୍ୟବସାୟ ବେଶ୍ ଲାଭଜନକ ହେବା ସହ କୁଟୀର ଶିଳ୍ପରେ ପରିଣତ ହୋଇଥିଲା। ଏହା ଆତ୍ମନିଯୁକ୍ତିର ବାଟ କଢ଼ାଇ ବେକାରୀ ସମସ୍ୟା ଦୂର କରିବାରେ ସହାୟକ ହେଉଥିଲା।