ଛତ୍ରପୁର: ସୋମବାର ପୂର୍ବାହ୍ନରେ ଛତ୍ରପୁରଠାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ କୋଭିଡ ପରିଚାଳନାକୁ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଲୋଚନା କରିଥିଲେ। ଆକ୍ଟିଭ କେସ୍‌ଗୁଡ଼ିକ ଶୂନ୍ୟ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତ୍ୱ, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଡାକ୍ତରଖାନାରେ ଆଡମିଶନ୍‌, ଡିସଚାର୍ଜ ଓ ମୃତ୍ୟୁ ଜନିତ ସମସ୍ତ ବିଷୟ ନେଇ ଆଜିର ଆଲୋଚନା ଅନୁଷ୍ଠିତ ହୋଇଥିଲା।

Advertisment

ଇତିମଧ୍ୟରେ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ କୋହଳ କରାଯାଇଛି। ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀମାନଙ୍କ ଦ୍ୱାରା ହିଁ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ସହିତ ପୂର୍ବ ଯୋଜନାଗୁଡ଼ିକ ଆହୁରି କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଗ୍ରାମ ସ୍ତରରେ ଗଠିତ ହୋଇଥିବା ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ। ଗାଁ ଲୋକଙ୍କ ଦ୍ୱାରାହିଁ ଯିବା ଆସିବା ଲୋକଙ୍କ ଉପରେ ନଜର ରଖିହେବ। ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ ସଂପାଦନା କରିବେ ତାଙ୍କ ଗ୍ରାମ ସେତେ କରୋନା ସଂକ୍ରମଣରୁ ମୁକ୍ତ ରହିବ।

publive-image

ଏଣୁ ଗ୍ରାମାଞ୍ଚଳ ସ୍ତରରୁ ପରିଚାଳନାକୁ ସଠିକ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ। ଗ୍ରାମାଞ୍ଚଳସ୍ତରୀୟ କମିଟି ଯେପରି ଠିକ୍‌ ରୂପେ କାର୍ଯ୍ୟ ସମ୍ପାଦନା କରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ସଂପ୍ରତି ଯେଉଁ କୋହଳ କରାଯାଇଛି ତାହା କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ଅଞ୍ଚଳ ପାଇଁ ଲାଗୁ ହେବ ନାହିଁ। କଣ୍ଟେନମେଣ୍ଟଜୋନ୍‌ ଘୋଷିତ ଅଞ୍ଚଳରେ ଆର୍‌.ଆର୍‌.ଟି ଟେଷ୍ଟ ଓ କରୋନା ସଂକ୍ରମିତ ଲକ୍ଷଣ ଯାଞ୍ଚ ଚାଲୁ ରହିବ। ହୋମ୍‌ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ। ଆକ୍ଟିଭ କେସ୍‌ ଥିବା ଅଞ୍ଚଳରେ କେସ୍ ଜିରୋ କରିବା ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଗ୍ରାମରେ ପଜଟିଭ୍‌ ସଂଖ୍ୟା ଶୂନ ରହିଛି ସେହି ଗ୍ରାମଗୁଡ଼ିକ ଗ୍ରୀନ୍‌ ଜୋନ୍‌ ଘୋଷଣା ହେବ। ହୋମ୍‌ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କର ଯଦି ମଧୁମେହ ଥାଏ ତେବେ ସେମାନଙ୍କୁ ହୋମ୍‌ଆଇସୋଲେସନ୍‌ରେ ନରଖି କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉ।

ଆସନ୍ତା ସେପ୍ଟେମ୍ବର ମାସରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବାର ଯୋଜନା ରହିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ବାହ୍ନରେ କୋଭିଡ ପରିଚାଳନା କାର୍ଯ୍ୟ ଏବଂ ଅପରାହ୍ନରେ ନରେଗା ଓ ବୃକ୍ଷରୋପଣ କାର୍ଯ୍ୟ ସମ୍ପାଦନା କରିବେ। ସେହିପରି ତହସିଲଦାରଗଣ ପୂର୍ବାହ୍ନରେ କୋଭିଡ କାର୍ଯ୍ୟ ଓ ଅପରାହ୍ନରେ ରାଜସ୍ୱ କାର୍ଯ୍ୟରେ ନିୟୋଜିତ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।