ବାଲିଅନ୍ତା ପଞ୍ଚାୟତ ସମିତିରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ ସମିତିସଭ୍ୟଙ୍କ ଧାରଣା

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମିତିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ୨୦୧୨/୧୩ ଆର୍ଥିକ ବର୍ଷରୁ ୨୦୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ମଂଜୁର ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାଶି ଖର୍ଚ୍ଚ ହୋଇନପାରି ଫେରିଯାଉଛି । ପଞ୍ଚାୟତ ସମିତିରୁ ୮୬ ଲକ୍ଷ ଟଙ୍କା ଫେରିଯିବା ଘଟଣା ଏହାର ଉଦାହରଣ । ଫେରିଯାଇଥିବା ଅନୁଦାନ ରାଶି ମଧ୍ୟରେ ରହିଛି ସିସିରୋଡ଼, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଏବଂ ସ୍କୁଲ ମଧ୍ୟାହ୍ନଭୋଜନ ବାବଦ ଟଙ୍କା । ଖାଲି ସେତିକି ନୁହେଁ ବ୍ଲକ ପରିସରରେ ପଞ୍ଚାୟତ ସମିତି ବୈଠକର ବିନା ଅନୁମୋଦନରେ ନିର୍ମାଣ କାର୍ଯ୍ୟ କରାଯାଉଥବା ଅଭିଯୋଗ ହେଉଛି । ୧୬ଟିଯାକ ପଞ୍ଚାୟତରେ ସମିତି ଅଂଶଧନ ବାବଦରେ ମଂଜୁର ଅନୁଦାନ ଅର୍ଥକୁ ବ୍ଲକ ଅଧ୍ୟକ୍ଷା ଅନୁମୋଦନ କରୁ ନାହାନ୍ତି ।

ଫାଇଲରେ ଦସ୍ତଖତ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ଆଳ ଦେଖାଇ ସେ ଉନ୍ନୟନ ମୂଳକ ଫାଇଲ ଦସ୍ତଖତ କରିବାରେ ହଇରାଣ କରାଯାଉଛି । ଯାହାଫଳରେ ହିତାଧିକାରୀମାନେ ହୀନସ୍ତା ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ସତ୍ୟଭାମାପୁର ସମିତି ସଭ୍ୟ ସନତ କୁମାର ସ୍ବାଇଁ , ଝିଣ୍ଟିଶାସନ ସମିତି ସଭ୍ୟ ବିଜୟ କୁମାର ନାୟକ ଏବଂ ସରକଣା ପଞ୍ଚାୟତ ସମିତି ସଭ୍ୟ ପ୍ରଭାତ ଭୋଇ ପ୍ରମୁଖ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସି ରହିଥିଲେ । ପରେ ଶ୍ରୀ ଶ୍ବାଇଁଙ୍କୁ ସମର୍ଥନ ଜଣାଇ ଧାରଣାସ୍ଥଳରେ ସରକଣା ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ , ବେଣ୍ଟପୁର ସରପଞ୍ଚ ମୁରଲିଧର ସାହୁ ପ୍ରମୁଖ ପହଞ୍ଚି ଶ୍ରୀ ସ୍ବାଇଁଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ ଲିଖିତ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ କହି ଜିଦି ଧରିଥିଲେ । ପରେ ବିଡିଓ ଆଦିକନ୍ଦ ବେହେରା , ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁତିଭୂଷଣ ପାଢ଼ୀ ଏବଂ ଉପାଧ୍ୟକ୍ଷ ଦୀପସ କୁମାର ସ୍ବାଇଁ ପ୍ରମୁଖ ପହଞ୍ଚି ଶ୍ରୀ ସ୍ବାଇଁଙ୍କୁ ଆଗାମୀ ୭ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ଲିଖିତ ପ୍ରତିଶ୍ରୁତିପତ୍ର ପ୍ରଦାନ କରିଥିଲେ । ତା’ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଏହାପରେ ସମିତି ସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ , ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକଙ୍କ ସମେତ ଉପାଧ୍ୟକ୍ଷ ଶ୍ରୀ ସ୍ବାଇଁ ବିଡିଓଙ୍କ ପ୍ରକୋଷ୍ଠରେ ଏନେଇ ଆଲୋଚନା କରିଥିଲେ । ବିଡିଓ ସମିତି ସଭ୍ୟମାନଙ୍କ ଏକ ସମନ୍ବୟ ବୈଠକ ଡକାଇ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମ ପଞ୍ଚାୟତ ଅଧିକାରୀ ନୀଳଶୈଳ ସ୍ବାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ସପ୍ତାହକ ମଧ୍ୟରେ ବ୍ଲକ କର୍ତୃପକ୍ଷ ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜନିପ୍ରତିନିଧି ସମୂହ ପୁଣି ସମିତି ଘେରିବେ ବୋଲି ଧାରଣାସ୍ଥଳରେ ଉପାଧ୍ୟକ୍ଷା ଚେତାବନୀ ଦେଇଥିଲେ । ଉଲ୍ଲେଖଯୋଗ୍ୟ ସରକାରଙ୍କ ପକ୍ଷରୁ ସମିତି ଅଂଶଧନ ବାବଦରେ ବାଲିଅନ୍ତାକ୫୮ ଲକ୍ଷ ଟଙ୍କା ମଂଜୁର ହୋଇଛି ।

ସମ୍ବନ୍ଧିତ ଖବର