ରାଉରକେଲା: ବିଶ୍ରାର ପୂର୍ବତନ ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ଏବେକାର ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବାସଭବନରୁ ଆଜି ଭିଜିଲାନ୍ସ ନଗଦ ୩ କୋଟି ୧୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଜଣେ ଓଏଏସ୍‌ ଅଧିକାରୀଙ୍କ ଘରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ସମସ୍ତଙ୍କୁ ଚକିତ କରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ; ପୂର୍ବରୁ ଶ୍ରୀ ରାଉତ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଗିରଫ ହୋଇ ଜେଲ୍‌ ବି ଯାଇଥିଲେ। ପ୍ରକୃତରେ ଏହି ଦୁର୍ନୀତିଖୋର୍‌ ଅଧିକାରୀ ବିଶ୍ରାର ବିଡିଓ ଦାୟିତ୍ବରେ ଥିବାବେଳେ ମଧ୍ୟ ବହୁ ମାମଲାରେ ଖୋଲାଖୋଲି ଲାଞ୍ଚ ନେଇଥିଲେ।
Advertisment
ଶ୍ରୀ ରାଉତ ପ୍ରାୟ ବର୍ଷେ ବିଶ୍ରା ବିଡିଓ ଦାୟିତ୍ବରେ ରହିଥିଲେ। ସେହି ସମୟରେ ସେ ଅନୈତିକ ଟେଣ୍ଡର୍‌ ପ୍ରଦାନ, ବିଲ୍‌ ପାସ୍‌ କରାଇବା ଆଦି ପ୍ରତ୍ୟେକ ଛୋଟବଡ଼ କାମରେ ଲାଞ୍ଚ ଦାବି କରୁଥିଲେ। ୨୦୧୮ ମସିହା ନଭେମ୍ବର ୬ ତାରିଖ। ଝିରପାଣି ଗ୍ରାମ ପଞ୍ଚାୟତ ପକ୍ଷରୁ ପ୍ରାୟ ୧୧.୫୦ ଲକ୍ଷ ଟଙ୍କାରେ ୪ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏ ବାବଦକୁ କିନ୍ତୁ ବିଲ୍‌ ପାସ୍‌ ହେବାରେ ଅଯଥା ବିଳମ୍ବ ଘଟିଥିଲା। ଏଣୁ ତତ୍କାଳୀନ ଝିରପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ଜେନା ବିଡିଓଙ୍କ ପାଖରେ ପହଞ୍ଚିଥିଲେ। ତେବେ ବିଲ୍‌ ପାସ୍‌ କରାଇବାକୁ ପୂର୍ବତନ ବିଡିଓ ଶ୍ରୀ ରାଉତ ସିଧାସଳଖ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଲାଞ୍ଚ ପରିମାଣ କମାଇବାକୁ କାକୁତିମିନତି କରିଥିଲେ ମଧ୍ୟ ଅଭିଯୁକ୍ତ ଶୁଣିନଥିଲେ। ଏଣୁ ଶ୍ରୀ ଜେନା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ଶ୍ରୀ ଜେନା ନଗଦ ୧ ଲକ୍ଷ ଟଙ୍କା ଧରି ପ୍ରଶାନ୍ତ ରାଉତଙ୍କ ପାଖରେ ପହଞ୍ଚିଥିଲେ। ଉକ୍ତ ଟଙ୍କାକୁ ଶ୍ରୀ ରାଉତ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିନେଇଥିଲେ। ଏତଦ୍‌ବ୍ୟତୀତ ଏକାଧିକ ମାମଲାରେ ଠିକାଦାରଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।