ଖାଇଗଲେ କୋଟି କୋଟିର ସରକାରୀ ଜମି! ସରକାରୀ ଖାତାକୁ ଫେରିଲାନି ଶବ ବ୍ୟବଚ୍ଛେଦ ଗୃହ ଜମି

ପଟ୍ଟା ଅନୁମତି ଦେଇଥିବା ପୂର୍ବତନ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌କେବେ ?

ରାଉରକେଲା: ସ୍ମାର୍ଟସିଟିରେ ସରକାରୀ ଜାଗା ଜବରଦଖଲ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଯିଏ ‌ଯେଉଁଠି ପାରୁଛି କୋଟି କୋଟି ଟଙ୍କାର ମୂଲ୍ୟବାନ ସରକାରୀ ଜମିକୁ ମାଡି ବସୁଛନ୍ତି। କିଛି ଦଲାଲ ଜମିକୁ ନିଜେ ଅକ୍ତିଆର କରି ଅନ୍ୟମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକି ଦେଉଛନ୍ତି। ଯାହାକୁ ରୋକିବାରେ ପାନପ‌ୋଷ ଉପଜିଲ୍ଲାପାଳ, ରାଉରକେଲା ତହସିଲ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବିଫଳ। ଓଲଟା ଯେଉଁମାନେ ସରକାରୀ ଜାଗାକୁ ମାଡିବସି ନିଜ ନାଁରେ କରିବାକୁ ଆବେଦନ କରୁଛନ୍ତି, ସେମାନଙ୍କୁ ଅତି ସହରରେ ପଟ୍ଟା ମିଳିଯାଉଛି। ଏପରି ବେଆଇନ କାର୍ଯ୍ୟ କରୁଛନ୍ତି ରାଉରକେଲା ତହସିଲ କାର୍ଯ୍ୟାଳୟର କିଛି କରିତ୍‌କର୍ମା ଅଧିକାରୀ।

କେବଳ ଅଧିକାରୀ ନୁହନ୍ତି, ଖୋଦ୍‌ ତହସିଲଦାର ମଧ୍ୟ ଏଥିରେ ସଂପୃକ୍ତ ଥିବାର ଆଲୋଚନା ହେଉଛି। ନିକଟରେ ରାଉରକେଲା ତହସିଲ କାର୍ଯ୍ୟାଳୟରେ ଯୋଗଦେଇ ଇତିମଧ୍ୟରେ ଚାକିରି ଛାଡ଼ି ସାରିଥିବା ପୂର୍ବତନ ତହସିଲଦାରଙ୍କ ନାଁରେ ଆସିଛି ଏମିତି ସଂଘାତିକ ଅଭିଯୋଗ। ଯୋଗ ଦେବାର ମାତ୍ର କେଇ ମାସ ମଧ୍ୟରେ ପାନପ‌ୋଷ ଶବ ବ୍ୟବଚ୍ଛେଦ ଗୃହ ସହ ନିକଟରେ ଥିବା ମୋଟ ୨ ଏକର ୭୯ ଡିସିମିଲ ଜମିକୁ ସେ ଜଣେ ସେଟଲ୍‌ମେଣ୍ଟ ଅଧିକାରୀଙ୍କ ପତ୍ନୀଙ୍କ ନାଁରେ ପଟ୍ଟା କରି ଦେଇଥିଲେ। ଗତ ୨୦୨୦ ଡିସେମ୍ବର ୧୫ରେ ଏହି ଜମିର ପଟ୍ଟା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ମହିଳାଙ୍କ ନାଁରେ ଜମି ପଟ୍ଟା କରି ଦିଆଯାଇଥିଲା। ପ୍ରାୟ ୨୫ କୋଟିର ସରକାରୀ ଜମିକୁ ଅନ୍ୟ ହାତକୁ ଟେକିଦେଇଥିବା କରିତକର୍ମା ତହସିଲଦାର ନିଜର କ୍ଷମତାର ଅପବ୍ୟବହାର କରିଥିଲେ। ସୂଚନା ଅଧିକାର ଆଇନ ବଳରେ ପଟ୍ଟା ସମ୍ପୂର୍ଣ୍ଣ ବେଆଇନ ଥିବା ସ୍ପଷ୍ଟ ହୋଇଥିଲା। ଏ ସଂକ୍ରାନ୍ତରେ ଖବର ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ତହସିଲଦାର ୟୁ-ଟର୍ଣ୍ଣ ମାରିଥିଲେ। ଉକ୍ତ ପଟ୍ଟାକୁ ଦୁଇ ଦିନ ପରେ ଅର୍ଥାତ୍‌ ଗତ ଡିସେମ୍ବର ୧୭ରେ ସେ ବାତିଲ କରି ଦେଇଥିଲେ। ପୁଣି ୨ ଏକର ୭୯ ଡିସିମିଲ ଜାଗାକୁ ସରକାରୀ ଖାତାକୁ ଫେରାଇ ଆଣିଥିଲେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ଅଦ୍ୟାବଧି ପଟ୍ଟା ହୋଇଥିବା ୨ ଏକର ୭୯ ଡିସିମିଲ ଜମି ସରକାରୀ ଖାତାକୁ ଫେରି ନଥିବା ରାଜ୍ୟ ସରକାରଙ୍କ ଭୂଲେଖ ୱେବ୍‌ସାଇଟ୍‌ ତଥ୍ୟ କହୁଛି। ଆଜି ୩୦୭ ନଂ ଖାତାର ସ୍ଥିତି ପୂର୍ବ ପରି ୨୨ ଏକର ୯୯ ଡିସିମିଲ ସରକାରୀ ଜମି ରହିଛି। ସେଥିରୁ ୨ ଏକର ୯୭ ଡିସିମିଲ ଜାଗାକୁ ଉକ୍ତ ମହିଳାଙ୍କୁ ଟେକି ଦିଆଯାଇଥିଲା।

ପଟ୍ଟା ବାତିଲକୁ ଇତି ମଧ୍ୟରେ ମାସେ ବିତିଯାଇଥିଲେ ହେଁ ୨ ଏକର ୭୯ ଜମି ଏଯାଏଁ ସରକାରୀ ଖାତାକୁ ଫେରି ନାହିଁ। ଉଭୟ ପାନପୋଷ ଜିଲ୍ଲାପାଳ, ରାଉରକେଲା ତହସିଲ ଅଫିସର ବିଭାଗୀୟ ଅଧିକାରୀ କିନ୍ତୁ ଜମି ସରକାରୀ ଖାତାକୁ ଫେରିଥିବା ସଫେଇ ଦେଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଯେଉଁ ୨ ଏକର ୭୯ ଡିସିମିଲ ଜାଗାର ପଟ୍ଟା କରାଯାଇଥିଲା ସେହି ଜାଗାରୁ କିଛି ସ୍ଥାନୀୟ ଲୋକ ମାଡି ବସିଥିଲେ। ପୂର୍ବତନ ତହସିଲଦାର ନିଜର କ୍ଷମତା ଉପଯୋଗ କରି ସେହି ଜାଗାକୁ ମଧ୍ୟ ଖାଲି କରିବାରେ ପ୍ରମୁଖ ଭୂମିକା ନେଇଥିବା ନେଇ ସେତେବେଳେ ବେଶ୍‌ ଚର୍ଚ୍ଚା ହୋଇଥିଲା। ସେଣ୍ଟଲମେଣ୍ଟ ଅଧିକାରୀ ତାଙ୍କ ପତ୍ନୀଙ୍କ ନାଁରେ ବିବାଦୀୟ ସରକାରୀ ଜାଗାର ପଟ୍ଟା ପାଇଁ ଗତ ୨୦୧୪ରେ ଆବେଦନ କରିଥିଲେ। କିନ୍ତୁ ତତ୍କାଳୀନ ଦୁଇଜଣ ତହସିଲଦାର ପ୍ରଦୀପ କୁମାର ସାହୁ ଓ ବିଶ୍ବରଞ୍ଜନ ରଥ ଜମିର ବାସ୍ତବ ସ୍ଥିତି ଯାଞ୍ଚ କରିବା ପରେ ପଟ୍ଟା କରିବାକୁ ରୋକ୍‌‌ଠୋକ୍‌ ମନା କରି ଦେଇଥିଲେ।

ପର୍ଯ୍ୟାୟକ୍ରମେ ଦୁଇ ତହସିଲଦାରଙ୍କ ବଦଳି ପରେ ଗତ ନୂତନ କରି ଯୋଗଇଥିବା ଯୁବ ତହସିଲଦାର ମାତ୍ର କେଇ ମାସର ଚାକିରିକାଳ ମଧ୍ୟରେ ବେଆଇନ କାମକୁ ଆଇନ ସମ୍ମତ କରିଦେଇଥିଲେ। ପଟ୍ଟା ହେବାର ୪ ଦିନ ପରେ ଅର୍ଥାତ୍‌ ଗତ ୨୦୨୦ ଡିସେମ୍ବର ୧୮ରେ ଚାକିରି ଛାଡି ସେ ଆଇଆର୍‌ଏସ୍‌ ତାଲିମ ପାଇଁ ଚାଲି ଯାଇଥିଲେ। କେବଳ ଉପରୋକ୍ତ ଜମି ନୁହେଁ, ତାଙ୍କରି କାର୍ଯ୍ୟକାଳ ଭିତରେ ଷ୍ଟେସନ ନିକଟରେ ଜଣେ ହୋ‌ଟେଲ ବ୍ୟବସାୟୀଙ୍କୁ କିଛି ସରକାରୀ ଜମି ପଟ୍ଟା କରି ଦିଆ ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାର ଆବଶ୍ୟକ। ସରକାରୀ ନିୟମ ଭାଙ୍ଗି ଆଇଆର୍‌ଏସ୍‌ ତାଲିମ ପାଇଁ ଯାଇଥିବା ପୂର୍ବତନ ତହସିଲଦାରଙ୍କ ବିରୋଧରେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗକୁ ନେଇ ସହରର ରାଜନୈତିକ ପରିବେଶ ମଧ୍ୟ ସରଗରମ ରହିଛି। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହା ବିରୋଧରେ ଶୋଭାଯାତ୍ରା ଓ ବିରୋଧ ପ୍ରଦର୍ଶନ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। ପଟ୍ଟା କାହିଁକି ଓ କେଉଁ ପରିସ୍ଥିତିରେ ଦିଆ ଯାଇଥିଲା ଏବଂ କାହିଁକି ତାହାକୁ ପୁଣି ବାତିଲ କରି ଦିଆଗଲା, ପ୍ରଶାସନ ସାଧାରଣ ଲୋକଙ୍କୁ ଏହାର ଯୁକ୍ତିଯୁକ୍ତ ଉତ୍ତର ଦେବା ଆବଶ୍ୟକ।

ଏ ସଂକ୍ରାନ୍ତରେ ପାନପୋଷ ଉପଜିଲ୍ଲାପାଳ ପାନପ‌ୋଷ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କୁ ପଚାରିବାର ସେ କହିଛନ୍ତି, ପଟ୍ଟା ହୋଇଥିବା ଜାଗା ସରକାରୀ ଖାତାକୁ ଆସିଛି। ସେ ପଟ୍ଟା କରି ଦେଇଥିଲେ, ପୁଣି ବାତିଲ କରି ଦେଇଛନ୍ତି। ପଟ୍ଟା ବାତିଲ କରିବାର କ୍ଷମତା ତାଙ୍କର ଅଛିକି ବୋଲି ପଚାରିବାରୁ ଶ୍ରୀ ଚନ୍ଦ୍ରାକାର କେବଳ କହିଛନ୍ତି, ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିବାପରେ ଜଣାପଡିବ।
ଆଶ୍ଚର୍ଯ୍ୟର କଥା ହେଉଛି, ମାମଲା ସଂପର୍କରେ ଜଣାପଡ଼ିବା, ଅଭିଯୋଗ ହେବା ଓ ତା’କୁ ନେଇ ରାଜରାସ୍ତାରେ ବିରୋଧ ହେବାକୁ ଅନେକ ଦିନ ବିତିଗଲାଣି। କିନ୍ତୁ ସରକାରୀ କାଗଜପତ୍ରରେ ସ୍ପଷ୍ଟ ଲିଖିତ ଆକାରରେ ଥିବା ଏପରି ଏକ ସିଧାସଳଖ ଘଟଣାର ତଦନ୍ତ ଏଯାଏ ଶେଷ ହୋଇନାହିଁ! କେବେ ଶେଷ ହେବ, ତାହା ମଧ୍ୟ ଜଣାନାହିଁ! ଜିଲ୍ଲାପାଳ ଏ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରି ହସ୍ତକ୍ଷେପ କରିବା ଉଚିତ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର