ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରେଶ୍ବର ପଞ୍ଚାୟତ ରେଙ୍ଗ ଗୁରୁମାଯୋର ନଦୀ ଚେକଡ୍ୟାମ ନିର୍ମାଣ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏହାକୁ ବିରୋଧ କରି ନିର୍ମାଣ କାମକୁ ବନ୍ଦ କରିଛନ୍ତି।

Advertisment

କୋମନା ବ୍ଲକ କୁରେଶ୍ବର ପଞ୍ଚାୟତ ରେଙ୍ଗ ଓ ଟିକ୍ରାପଡ଼ା ଦୁଇ ଗାଁ ମଝିରେ ରହିଛି ଗୁରୁମାଯୋର ନଦୀ। ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ଗୁରୁମାଯୋର ନଦୀରେ ଚେକ୍‌ଡ୍ୟାମ୍‌ ନିର୍ମାଣ ପାଇଁ ପ୍ରାୟ ୧କୋଟି ୬୫ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାମ କରୁଛି। ଗତ କିଛି ଦିନ ତଳେ ରେଙ୍ଗ ଓ ଟିକ୍ରାପଡ଼ା ମଧ୍ୟସ୍ଥ ପୋଲ ତଳେ ଗୁରୁମାଯୋର ନଦୀରେ ଚେକ୍‌ଡ୍ୟାମ୍‌ ନିର୍ମାଣ ପାଇଁ ମାଟି ଖୋଳି ତଳେ ଲୁହାଛଡ଼ ବାନ୍ଧିବା ସହ କଂକ୍ରିଟ କାମ ଆରମ୍ଭ ହୋଇଛି। କିନ୍ତୁ ନିର୍ମାଣ କାମ ଆରମ୍ଭରୁ ଗାଁ ଲୋକେ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି।

ଏହି ନଦୀରେ ବର୍ଷାଦିନେ ତୀବ୍ର ଗତିରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଚେକ୍‌ଡ୍ୟାମର ସ୍ଥାୟିତ୍ବକୁ ନେଇ ଗାଁ ଲୋକେ ପ୍ରଶ୍ନ ଉଠାଇଛନ୍ତି। ମାତ୍ର ଦୁଇ ଫୁଟ୍‌ ଖୋଳି କଂକ୍ରିଟ ଦେଇଛନ୍ତି। ସିମେଣ୍ଟ କଂକ୍ରିଟକୁ ଭଲ ଭାବେ ମିଶା ଯାଉନଥିବାରୁ ଏଥିରେ ମାଟି ଅଂଶ ମିଶି ରହୁଛି। ସେହିପରି ୧୦ ଏମ୍‌ଏମ୍‌ ଶସ୍ତା ଲୁହାରଡ୍‌ରେ ସିମେଣ୍ଟ କଂକ୍ରିଟ ଦେଉଛନ୍ତି।

ଶସ୍ତା ସିମେଣ୍ଟ ବି ବ୍ୟବହାର କରାଯାଉଥିବା ଗ୍ରାମାବାସୀ ଅଭିଯୋଗ କରି କାମ ବନ୍ଦ କରି ଦେଇଛନ୍ତି। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଉନ୍ନତମାନର କାମ କରିବାକୁ ଗାଁର ବାଞ୍ଛାନିଧି ଶବର, ଚନ୍ଦ୍ର କୁମ୍ଭାର, ଗଗନ ଶବର, ଧ୍ରୁବ ରଣା, ହୀରାମଣି ତାଣ୍ତି, ଲକ୍ଷ୍ମୀକାନ୍ତ ତାଣ୍ତି, ଛନ୍ଦାଚରଣ ରଣା ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ବକ୍ସିଙ୍କୁ ପଚାରିବାରୁ କହିଥ‌ିଲେ, ଆଜି ଆମେ ଘଟଣାସ୍ଥଳ ପରିଦର୍ଶନ କରିଥିଲୁ। ଯାହା କିଛି ଟିକେ ଏପଟସେପଟ ଥିଲା ତାକୁ ସୁଧାର କରିବାକୁ ନିର୍ଦେଶ ଦେଇଛୁ। ନିଶ୍ଚିତ ଭାବେ ଉନ୍ନତମାନର କାମ ହେବ ବୋଲି ସେ କହିଛନ୍ତି।