ଜୟପୁର: ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲୀ ପଂଚାୟତର ସାନକାଉଡି ଗାଁ ନିକଟରେ ଯାଇଥିବା ଶାଖାକେନାଲରେ ଉପରକୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ ନିର୍ମାଣ କରାଯାଇଥିବା ପିଚୁ ରାସ୍ତା ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ମାନେ ଜୟପୁର ଭିଜିଲାନସ୍ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।
ସୂଚନାଅନୁଯାୟୀ, ଗତ ମାସକ ତଳେ ପ୍ରାୟ ୮ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ କରାଯାଇଥିଲା। ଏବେ ଏହି ରାସ୍ତାରୁ ପିଚୁ ସବୁ ହଟି ପକାଯାଇଥିବା ବଜୁରୀ ଓଚିପସ୍ ସବୁ ବାହାରି ଆସିଲାଣି। ଏପରିକି ଘାସ ଗଛ ଗୁଡିକ ବି ବାହାରି ପଡ଼ିଥିବା ଅଭିଯୋଗ ହୋଇଛି। ରାସ୍ତା କାମ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ମାନେ କେହି ଉପସ୍ଥିତ ରହି କାମର ତଦାରଖ କରି ନଥିବାରୁ ଏତେ ନିମ୍ନମାନର ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ କରାଯାଇଛି। ଏହି ରାସ୍ତାରେ ବିଭାଗୀୟ ଅଧିକାରୀ ମାନେ ଶାଖାକେନାଲର ଯାଂଚ ସମୟରେ ଯିବା ଆସିବା କରିଥାନ୍ତି। ତା ସହ ଚାଷୀ ମାନେ ନିଜର ଟ୍ରାକ୍ଟର କିମ୍ବା ହଳଲଙ୍ଗଳ ଆଦି ଧରିକି ଯିବା ଆସିବା କରିଥାନ୍ତି। ରାସ୍ତା ଏଭଳି ଥିବା ବେଳେ ସାମାନ୍ୟ ବର୍ଷା ହେଲେ ବଡ ବଡ ଫଟହଲ୍ ହୋଇ ରାସ୍ତା ଅବସ୍ଥା ଆହୁରି ଖରାଫ ହୋଇଯିବ। ତୁରନ୍ତ ଏହି ରାସ୍ତାକାମକୁ ଯାଂଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜସେବୀ ବି.ହରିରାଓ, ବୁଡି ହରିଜନ, ଅଶୋକ ନାୟକ, ଡମ୍ବୁରୁଧର ଖିଲ, ଜଗନ୍ନାଥ ହରିଜନ, ଭଗବାନ ଖିଲ ଆଦି ଅଭିଯୋଗ କରିଛନ୍ତି।ଏହାର ଏକ ନକଲ ଉପରକୋଲାବ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଦେଇଛନ୍ତି।