ନୀଳଗିରି: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ବହୁ ଯୋଗ୍ୟ ବ୍ୟକ୍ତି ଦୀର୍ଘଦିନ ହେବ ଅପେକ୍ଷାରେ ଅଛନ୍ତି। ହେଲେ ଟାର୍ଗେଟ୍‌ ନଥିବା କହି ସେମାନଙ୍କୁ ଯୋଗାଣ ବିଭାଗ ତାଲିକାଭୁକ୍ତ କରୁନି। ଅଥଚ ମୃତଲୋକଙ୍କ ନାମରେ ହଡ଼ପ ହେଉଛି ଚାଉଳ। ଏପରି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ ତରତୁଆ ଗ୍ରାମରୁ।

Advertisment

ସୂଚନା ଅଧିକାରୀ ଆଇନ୍‌ ବଳରେ ମିଳିଥିବା ତଥ୍ୟ ମୁତାବକ, ତରତୁଆ ଗାଁ’ର ରାଜେନ୍ଦ୍ର ନାୟକଙ୍କ ନାମରେ ଏକ ରାସନ କାର୍ଡ (୦୨୦୮୦୭୧୦୪୦୩) ରହିଛି। ଯେଉଁଥିରେ ତାଙ୍କ ବାପା ଗୟାଧରଙ୍କ ସହ ମାଆ, ପତ୍ନୀ ଓ ୨ ପୁଅଝିଅଙ୍କ ନାମ ଅଛି। ଉକ୍ତ କାର୍ଡରେ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏଁ; ମୋଟ ୩୦ କେଜି ଚାଉଳ ମିଳୁଥିଲା। ତେବେ ୨୦୨୧ ମସିହା ଡିସେମ୍ବର ୭ ତାରିଖ ଦିନ ଗୟାଧରଙ୍କ ମୃତ୍ୟୁ ହୋଇଥିଲା। ଏପରି ସମୟରେ ସମ୍ପୃକ୍ତ ଡିଲର ରାଜେନ୍ଦ୍ରଙ୍କୁ ୩୦ କେଜି ଚାଉଳ ଦେବା ନେଇ ଖାତାରେ ଦସ୍ତଖତ କରାଉଥିବା ବେଳେ ୨୫ କେଜି ଚାଉଳ ଦେଇଆସୁଥିଲେ। ସେହିପରି ଗ୍ରାମର ମୁକ୍ତିକାନ୍ତ ନାୟକଙ୍କ ନାମରେ ମଧ୍ୟ ରହିଛି ରାସନ୍‌ କାର୍ଡ। ଯେଉଁଥିରେ ମୁକ୍ତିକାନ୍ତଙ୍କ ସହ ତାଙ୍କ ମାଆ ସୁମାମଣୀ, ପତ୍ନୀ ଓ ଦୁଇ ପିଲାଙ୍କ ନାମ ରହିଛି। ଉକ୍ତ କାର୍ଡରେ ମାସକୁ ୨୫ କେଜି ଚାଉଳ ମିଳୁଥିଲା। ହେଲେ ୨୦୨୧ ମସିହା ମେ ମାସ ୧୫ ତାରିଖ ଦିନ ସୁମାମଣୀଙ୍କ ମୃତ୍ୟୁ ହୋଇଥିଲା।

ଏପରି ସମୟରେ ସମ୍ପୃକ୍ତ ଡିଲର ମୁକ୍ତିକାନ୍ତଙ୍କୁ ୨୫ କେଜି ଚାଉଳ ଦେବା ନେଇ ଖାତାରେ ଦସ୍ତଖତ କରାଉଥିବା ବେଳେ ୨୦ କେଜି ଚାଉଳ ଦେଇଆସୁଥିଲେ। ତେବେ ଏହା ପଛର କାରଣ ଜାଣିବା ପାଇଁ ଉଭୟ ରାଜେନ୍ଦ୍ର ଓ ମୁକ୍ତିକାନ୍ତ ସୂଚନା ଅଧିକାର ଆଇନ୍‌ର ଆଶ୍ରୟ ନେଇଥିଲେ। ଫଳରେ ରାସନ ‌କେଳେଙ୍କାରୀର ଗୁମର ଫିଟିଥିଲା। ଉଭୟଙ୍କ କାର୍ଡରୁ ପ୍ରତି ମାସ ୫ କେଜି ଲେଖାଏଁ ଚାଉଳ ବାଟମାରଣା ହେଉଥିବା ଜଣାପଡ଼ିଥିଲା। ମୃତବ୍ୟକ୍ତିଙ୍କ ତଥ୍ୟ ଗୋପନ ରଖି ବର୍ଷ ବର୍ଷ ଧରି ଚାଉଳ ହଡ଼ପ କରାଯାଉଥିବା ସ୍ପଷ୍ଟ ହୋଇଥିଲା। କେବଳ ରାଜେନ୍ଦ୍ର ଓ ମୁକ୍ତିକାନ୍ତଙ୍କ କ୍ଷେତ୍ରରେ ନୁହେଁ, ଅନେକ ହିତାଧିକାରୀଙ୍କ କ୍ଷେତ୍ରରେ ଏପରି ଘଟୁଛି।

ଏନେଇ ଡିଲର ମହେନ୍ଦ୍ର ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ବହୁଦିନ ଧରି ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ବେଳେ ଜ୍ବାଇଁ ରବୀନ୍ଦ୍ର ମଲିକଙ୍କ ନାମରେ ଡିଲର ଚୁକ୍ତି ହୋଇଥିବା କହିଛନ୍ତି। ଅନ୍ୟପଟେ ରବୀନ୍ଦ୍ରଙ୍କୁ ପଚରାଯିବାରୁ ସେ ଅଭିଯୋଗ ମିଛ ବୋଲି କହିଛନ୍ତି। ଓଲଟା ଏମିତି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ପରିବାର ସଦସ୍ୟଙ୍କ ମୃତ୍ୟ ହୋଇଯାଇଥିଲେ ବି ସେମାନେ ନଜଣାଇ ଚାଉଳ ନେଉଥିବା ପ୍ରକାଶ କରିଛନ୍ତି। ସେହିପରି ଅଭିଯୋଗ ବାବଦରେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ତଦନ୍ତ କରାଯାଇ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।