ସୋନପୁର: ଅନୁସୂଚିତ ଜାତି ବାଳିକା ହଷ୍ଟେଲ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ବୁଧବାର ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ପତ୍ରସଂଖ୍ୟା ୧୧୧୧ ତା ୫. ୭. ୨୦୨୩ ରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଛନ୍ତି। ଭୁବନେଶ୍ବର ଆଇଆରସି ଭିଲେଜର ପ୍ଲଟ୍ ନମ୍ବର ୧/୨୦୭ ତଳ ମହଲାରେ ଥିବା ‘ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନଷ୍ଟ୍ରକସନ ଲିମିଟେଡ୍’ (ଏଚଏସସିଏଲ) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭-୧୮ରେ ସ୍ବତନ୍ତ୍ର ଆରଏଲଟିଏପି ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ମୁକୁନ୍ଦପୁରଠାରେ ୧୦୦ ଶଯ୍ୟାବିଶିଷ୍ଟ ଅନୁସୂଚିତ ଜାତି ବାଳିକା ହଷ୍ଟେଲ ନିର୍ମାଣ କରିଥିଲେ।
ସରକାରଙ୍କ ସହ ଏମଓୟୁ ଅନୁଯାୟୀ ଏହାର ବ୍ୟୟ ଅଟକଳ ଥିଲା ୮୦ ଲକ୍ଷ ଟଙ୍କା। ହଷ୍ଟେଲ ନିର୍ମାଣ କାର୍ଯ୍ୟ ସରିବା ପରେ ଗତ ୬ ନଭେମ୍ବର ୨୦୨୦ ରେ ଏଚଏସସିଏଲ ଇଞ୍ଜିନିୟର ସୌରଭ ଦେ ଏହାକୁ ସ୍କୁଲ୍ ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରିଥିଲେ। ମାତ୍ର ଯେତେବେଳେ ଅନ୍ତେବାସୀଙ୍କୁ ଉକ୍ତ ହଷ୍ଟେଲକୁ ସ୍ଥାନାନ୍ତର କରିବା ପାଇଁ ପରିଦର୍ଶନ କରାଗଲା, ସେତେବେଳେ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଜଣାପଡ଼ି ଥିଲା। ବହୁସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ଦେଖାଯାଇ ଥିଲା। ଏପରିକି ବ୍ୟୟ ଅଟକଳ ଅନୁଯାୟୀ ନିର୍ମାଣ କାର୍ଯ୍ୟ ହୋଇ ନ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଠିକାସଂସ୍ଥା ସରକାରୀ ଅର୍ଥ ଆତ୍ମସାତ କରିଥିବା ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ଅଞ୍ଚଳବାସୀ ମଧ୍ୟ ଅଭିଯୋଗ କରିଥିଲେ। ଏଣୁ ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାସହ ଅନିୟମିତତା ହୋଇଥିବା ଅର୍ଥ ଆଦାୟ ପାଇଁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/23-5.jpg)