କ୍ଷୁଦ୍ର ଜଳସେଚନ ବିଭାଗର କେଳେଙ୍କାରୀ! କର୍ଲାପାଟ ଉଦୟ ସାଗରରେ ୧ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ପରେ ବି ଆସୁନାହିଁ ପାଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତ ର ଉଦୟ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ କେନାଲ ମରାମତି ଓ ପୁନରୁଦ୍ଧାର ବାବଦରେ ୧ କୋଟି ୩୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । କିନ୍ତୁ ବ୍ୟାପକ ଦୁର୍ନୀତି ହୋଇଥିବା ଯୋଗୁଁ କେନାଲ ବର୍ତ୍ତମାନ ମାଟି ପୋତି ହୋଇ ଅବ୍ୟବହୃତ ହୋଇ ପଡି ରହିଥିବା ବେଳେ ବର୍ଷା ଦିନରେ ମଧ୍ୟ କେନାଲ ରେ ପାଣି ଆସୁନାହିଁ । ଏହି କେଲେଙ୍କାରୀର ଏକ ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିର ବହୁ ଗୁମର ଫିଟିବ ବୋଲି ଚାଷୀ ମହଲରେ ଦାବୀ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଠାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୧୯୭୯-୮୦ ମସିହାରେ ଡୁମୁରିଝୋଲା ଠାରେ ଚେକଡେମ ନିର୍ମାଣ ହୋଇଥିଲା ।

ଏହି ଉଦୟ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ବାରା କର୍ଲାପାଟ, ସଏନ୍ଧମୁଣ୍ଡା, ଟିକ୍ରାଗୁଡା, ଜିଲା ଗାଁରେ ୧୫୦ ହେକ୍ଟର ଜମି ଜଳସେଚନ ପାଇଁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏହି କେନାଲ ଗୁଡିକର ମରାମତି ଓ ପୁନରୁଦ୍ଧାର ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇ ଠିକାଦାର ପୋଷା ଚାଲିଛି । ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବହୁ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ପ୍ରକଳ୍ପର ପଙ୍କ ଉଦ୍ଧାର, ଗୋଛାକଟା, ଡାହାଣ ଓ ବାମ କେନାଲ ମରାମତି, ଗାଡୁଆଲ ମରାମତି ପୁନରୁଦ୍ଧାର ପାଇଁ ବ୍ୟାପକ ବ୍ୟୟ ବରାଦ କରାଯାଇଛି । କିନ୍ତୁ ଏହାର ସଠିକ ବିନିଯୋଗ ହୋଇ ନ ପରିବା ଯୋଗୁଁ କେନାଲ ଚାଷୀଙ୍କ କାମରେ ଆସୁନାହିଁ ।

୨୦୦୬-୦୭ ମସିହାରେ ୫ ହଜାର ଟଙ୍କା , ୨୦୦୭-୦୮ ମସିହାରେ ୫ ହଜାର ଟଙ୍କା, ୨୦୦୮-୦୯ ମସିହାରେ ଏଫଡିଆର, ଏନଆରଇଜିଏ ଯୋଜନାରେ ୨ ଲକ୍ଷ ଟଙ୍କା, ୨୦୦୯-୧୦ ମସିହାରେ ଏନଆରଇଜିଏ ଯୋଜନାରେ ୯ ଲକ୍ଷ ୯୮ ହଜାର ୪୫୫ ଟଙ୍କା, ସବଡିଭିଜନାଲ ଟେଣ୍ଡର ଏମଆର ଗ୍ରାଣ୍ଟ ରେ ୨୨ ଲକ୍ଷ ଟଙ୍କା, ୨୦୧୦-୧୧ ମସିହାରେ ଆରଆରଏଣ୍ଡ ଆରସ୍କିମ ରେ ୨୨ ଲକ୍ଷ ଟଙ୍କା, କ୍ରିଟିକାଲ ଗ୍ରାଣ୍ଟ ରେ ୨୭ ଲକ୍ଷ ଟଙ୍କା, ସଟର ନିର୍ମାଣ ରେ ୩ ଲକ୍ଷ ଟଙ୍କା, ଏନଆରଇଜିଏ କେନାଲ ଲାଇନିଂ କାମରେ ୯ ଲକ୍ଷ ୭୮ ହଜାର ୯୫୫ ଟଙ୍କା, ୨୦୧୨-୧୩ ମସିହାରେ ବିଜୁ କେବିକେ ଯୋଜନାରେ ବାମ କେନାଲର ସାଇଫଣ୍ଡ ନିର୍ମାଣରେ ୭ ଲକ୍ଷ ୪୫ ହଜାର ୯୪୦ ଟଙ୍କା, ୨୦୧୯-୨୦ ମସିହାରେ ପ୍ରକଳ୍ପ ଉନ୍ନତି କଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଏହିଭଳି ବିଭିନ୍ନ ଯୋଜନାରେ ପ୍ରାୟ ୧ କୋଟି ୩୩ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚହୋଇ ସାରିଲାଣି । ଦୂରଦୃଷ୍ଟି ଅଭାବ ଓ ଟେକନିକାଲ ଡିଫେକ୍ଟ ଯୋଗୁଁ ଡେମର ପାଣି ଲିକେଜ ହେଉଥିବା ବେଳେ କେନାଲ ଗୁଡିକ ଭୁଶୁଡି ପଡି ପୋତି ହେବାରେ ଲାଗିଛି । କେନାଲ ବ୍ୟବହାର ନହେବା ଯୋଗୁଁ ୨୦୧୩ ମସିହାରେ ଲୁହା ଗେଟ ଗୁଡିକ ଚୋରି ହୋଇଥିଲା । ୨୦୧୬ ମସିହାରେ ବନ୍ୟା ଯୋଗୁଁ କେନାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିଲା । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଠିକାଦାର ପୋଷା ରେ ଖର୍ଚ୍ଚ ହେଉଥିବା ବେଳେ ଏକ ବଡ଼ଧରଣର କେଲେଙ୍କାରୀ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ୨୦୧୩ ମସିହାରେ ଉଦୟସାଗର ପାଣି ପଞ୍ଚାୟତ ଗଠନ କରାଯାଇ କ୍ଷୁଦ୍ର ଜଳସେଚନ ବିଭାଗର ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । କିନ୍ତୁ ରାଜନେତା ମାନଙ୍କ ସୁରକ୍ଷା ଯୋଗୁଁ ଠିକାଦାର ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ । ଏହି ଦୁର୍ନୀତିର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ବହୁ ଦୁର୍ନୀତିର ଗୁମର ଫିଟିବ ବୋଲି ଚାଷୀ ମହଲ ରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର