ହାଟଡିହି: ହାଟଡିହି ବ୍ଲକ୍‌ ବାଲିବରେଇ ପଞ୍ଚାୟତରେ ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ଜଣେ ଅଧିକାରୀ ପଞ୍ଚାୟତକୁ ଆସି ଦୁଇଦିନ ଧରି ତଦନ୍ତ କରିଛନ୍ତି। ତେବେ ଦୁର୍ନୀତି ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ସୂଚନା ଦେବାରୁ ଜଣେ ବ୍ୟକ୍ତିଙ୍କୁ ଫୋନ୍‌ରେ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।
ବାଲିବରେଇ ପଞ୍ଚାୟତ ବାଲିବରେଇ ଖେଳପଡ଼ିଆର ଉନ୍ନତୀକରଣ ଓ ପ୍ରଧାନ ଆବାସ ଯୋଜନାରେ ଦୁର୍ନୀତି ହୋଇଛି। ଅନେକ ପ୍ରକଳ୍ପ ଆଦୌ ନିର୍ମାଣ ନିର୍ମାଣ ହୋଇ ନଥିବା ବେଳେ ମିଥ୍ୟା ବିଲ୍‌ କରି ଟଙ୍କା ଉଠାଯାଇଛି।

Advertisment

ଏଥିପା‌ଇଁ ଜାଲ୍‌ ମଷ୍ଟରରୋଲ୍ ପ୍ରସ୍ତୁତ କରାଯିବା ଓ ଖଣି କ୍ଷତିଗ୍ରସ୍ତ ବିଜୁ ପକ୍କାଘର ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପଞ୍ଚାୟତର କିଛି ‌ଲୋକ ୨୦୨୨ରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ଜୁଲାଇ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅଭିଯୋଗର ତଦନ୍ତ କରାଯିବ ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ ଗତ ୧୨ ତାରିଖରେ ହାଟଡିହି ବିଡିଓଙ୍କୁ ଚିଠି କରାଯାଇଥିଲା।
ଲୋକାୟୁକ୍ତଙ୍କ ପକ୍ଷରୁ ଜଣେ ଅଧିକାରୀ ସୁନୀଲ ପଟ୍ଟନାୟକ ଗତକାଲି ବାଲିବରେଇ ପଞ୍ଚାୟତରେ ପହଞ୍ଚି ତଦନ୍ତ କରିଛନ୍ତି। ବିଭିନ୍ନ ଗ୍ରାମରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ଅଭିଯୋଗକାରୀଙ୍କୁ ପଚାରି ବୁଝିଛନ୍ତି। ତଦନ୍ତ ସମୟରେ ଅଧିକାଂଶ ଅଭିଯୋଗକାରୀ ଅଭିଯୋଗ କରିବାକୁ ଆସି ନଥିଲେ। ଅଳ୍ପ କିଛି ଲୋକେ ତଦନ୍ତକାରୀ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରଦାନ କରିଥିଲେ। ତଦନ୍ତ ସମୟରେ କନିଷ୍ଠ ଯନ୍ତ୍ରୀ, ଜିଆର୍‌ଏସ୍‌ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରକଳ୍ପର ଫାଇଲ୍‌ ଗୁଡ଼ିକ ପଞ୍ଚାୟତ କାର୍ଯ୍ୟାଳୟରେ ନଥିବାରୁ ତଦନ୍ତକାରୀ ଅଧିକାରୀ ଦେଖିପାରି ନଥିଲେ। ବାଲିବରେଇ ଖେଳପଡ଼ିଆର ପାଚେରି ନିର୍ମାଣ ନ ହୋଇ ମଧ୍ୟ ବିଲ୍‌ କରାଯାଇଛି। ଏ ସମ୍ପର୍କରେ ଅଭିଯୋଗ କରିବାରୁ ଜଣେ ବ୍ୟକ୍ତିଙ୍କୁ ଦୁର୍ନୀତିରେ ଲିପ୍ତ ଥିବା କିଛିବ୍ୟକ୍ତି ତାଙ୍କୁ ଜୀବନରେ ମାରିଦେବାକୁ ଫୋନ୍‌ କରି ଧମକ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଅଭିଯୋଗକାରୀମାନେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି।