ପିଚୁକୁଳିରେ ମନରେଗା ପ୍ରକଳ୍ପରେ ଜାଲିଆତି

ଅମ୍ବୁଡ୍ସମ୍ୟାନଙ୍କ ଯାଂଚ ପରେ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସଙ୍କୁ ଜରିମାନା

ଖୋର୍ଦ୍ଧା: ଚଳିତ ମାସ ୬ ତାରିଖରେ ବୋଲଗଡ଼ ବ୍ଲକ ପିଚୁକୁଳି ସିଉଳା ପଂଚାୟତର କେତେକ ଜନସାଧାରଣ ଗାଁରେ କାଜୁବଗିଚା ନିକଟରେ ଅନ୍ତଃସରଣ ପୋଖରୀ (ଭୂଗର୍ଭରେ ବର୍ଷାଜଳ ସଂରକ୍ଷଣ)ର ଜମି ବନ୍ଧା କାର୍ଯ୍ୟ ନିମନ୍ତେ ମନରେଗା ଯୋଜନାର ୨ଲକ୍ଷ ଟଙ୍କାର ଅନୁଦାନ ଓ କାର୍ଯ୍ୟରେ ବ୍ୟାପକ ଜାଲିଆତି ହୋଇଥିବାବେଳେ ଜିଲ୍ଳା ପରିଷଦ ନିର୍ବାହୀ ଅଧିକାରୀ ଓ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ବିଭାଗୀୟ ଓମବୁଡସମ୍ୟାନ୍ ଘଟଣାର ତଦନ୍ତ କରି ବ୍ୟାପକ ଜାଲିଆତି ହୋଇଥିବା ରିପୋର୍ଟ ଦେବା ପରେ କାର୍ଯ୍ୟରେ ନିୟୋଜିତ ଥିବା କନିଷ୍ଠ ଯନ୍ତ୍ରୀ ଓ ଜିଆରଏସଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

୭ ତାରିଖରେ ଅମ୍ବୁଡ୍ସମ୍ୟାନଙ୍କ ପ୍ରତିନିଧି ଘଟଣାସ୍ଥଳର ଅଚାନକ ଯାଂଚ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ରହିବାକୁ ବିଡିଓ ସର୍ଟ ନୋଟିସ୍ ଦ୍ୱାରା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସଙ୍କୁ ଜଣାଇଥିଲେ । ଯାଂଚରେ ସୂଚନା ଫଳକରେ ଜାଣିଶୁଣି ତ୍ରୁଟିପୂର୍ଣ୍ଣ ତଥ୍ୟ ଲେଖାଯାଇଥିଲା । ୧୩ଜଣ ଅଣକୁଶଳୀ ଶ୍ରମିକଙ୍କ ମଧ୍ୟରୁ ୮ଜଣଙ୍କୁ ସେମାନଙ୍କ କାର୍ଯ୍ୟର ପାରିଶ୍ରମିକ ପ୍ରଦାନ କରାଯାଇନଥିବା, ପ୍ରକଳ୍ପ ସ୍ଥାନରେ ଜେସିବି ବ୍ୟବହାର କରାଯାଇ ମଷ୍ଟର ରୋଲରେ କର୍ମସଂସ୍ଥାନ ତଥ୍ୟର ଜାଲିଆତି କରାଯାଇଥିବା ଆଦି ଦେଖିବାକୁ ପାଇଥିଲେ ।

ଯଦିଓ, ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିକୁ ମନରେଗା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଅଭିଯୋଗକୁ ଅମ୍ବୁଡ୍ସମ୍ୟାନ ଖାରଜ କରି ଜଣେ ୬୦ ବର୍ଷରୁ ଉର୍ଦ୍ଧ୍ବ ହେଲେ ହେଁ ଯଦି ଶାରୀରିକ ସୁସ୍ଥ ଓ ସମ୍ପୃକ୍ତ କାର୍ଯ୍ୟ ତାଙ୍କ ଶରୀର ପାଇଁ କ୍ଷତିକାରକ ନୁହେଁ ତେବେ କାର୍ଯ୍ୟ କରିପାରିବ ବୋଲି ଦର୍ଶାଇବା ସହ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତି ମଧ୍ୟ ମନରେଗା କାମ କରିପାରିବ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ହୋଇଥିବା ଜାଲିଆତି ବାବଦକୁ କାର୍ଯ୍ୟରେ ନିୟୋଜିତ ଥିବା କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ପାରିଶ୍ରମିକ ପାଇନଥିବା ୧୩ଜଣ ଶ୍ରମିକଙ୍କୁ ତୁରନ୍ତ ମଜୁରୀ ଦେଇ କାମ ବନ୍ଦ କରିବା ଓ ନୂତନ ମଷ୍ଟର ରୋଲ୍ ଖୋଲିବାକୁ କହିଛନ୍ତି ।

ସମ୍ବନ୍ଧିତ ଖବର