ସୁନ୍ଦରଗଡ଼: ଗାଁ ମହିଳାମାନଙ୍କ ଜୀବନଜୀବିକାର ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହା ସହ ମହିଳାମାନଙ୍କୁ ଗୋଷ୍ଠୀଗତ ଭାବେ ଲକ୍ଷ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି। କିନ୍ତୁ ଅନେକସ୍ଥାନରେ ସରକାରୀ ଅଧିକାରୀଙ୍କ ପେଞ୍ଚ ଓ ବାଟମାରଣା ମନୋବୃତ୍ତି ଯୋଗୁଁ ମହିଳାଙ୍କ ବିକାଶ ବାଟବଣା ହୋଇଯାଉଛି। କୁତ୍ରା ବ୍ଲକ୍ ଆମ୍ବଗୋଭା, ତୁନମୁରା ଓ ନୂଆଗାଁ ପଞ୍ଚାୟତର ଏପରି ଏକ ଅଭିଯୋଗ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଛି। ୩ଟି ପଞ୍ଚାୟତର ମହିଳା ସଂଘକୁ ଅନ୍ଧାରରେ ରଖି ଆଜୀବିକା ଏକ୍ସପ୍ରେସ ଯୋଜନାରେ ଆସିଥିବା ୧୦ ଲକ୍ଷ ୯୮ ହଜାର ଟଙ୍କାକୁ ଓଡ଼ିଶା ଜୀବିକା ମିଶନର ବ୍ଲକ୍ ସଂଯୋଜିକା ଉଠାଇ ନେଇ ଧରାଛୁଆଁ ଦେଉ ନାହାନ୍ତି। ଜିଲ୍ଲାର ୧୭ଟି ଯାକ ବ୍ଲକରେ ଏହି ଯୋଜନାରେ ୪ଟି ପଞ୍ଚାୟତର ମହିଳା ସଂଘକୁ ୩ ଲକ୍ଷ ୬୫ ହଜାର ୭୪୩ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି। ଲକ୍ଷ୍ୟ ରହିଛି, ଏହି ଟଙ୍କାରେ ମହିଳା ସଂଘ ଇ-ଅଟୋ କିଣି ଆର୍ଥିକ ଉନ୍ନତି କରିବେ।

Advertisment

ଏହିକ୍ରମେ ଆମ୍ବଗୋଭା, ତୁନମୁରା ଓ ନୂଆଗାଁ ପଞ୍ଚାୟତର ମହିଳା ସଂଘକୁ ୩ ଲକ୍ଷ ୬୫ ହଜାର ୭୪୩ ଟଙ୍କା ହିସାବରେ ୧୦ ଲକ୍ଷ ୯୭ ହଜାର ୨୯୯ ଟଙ୍କା ଯୋଗାଇ ଦିଆଯାଇଥିଲା। କିନ୍ତୁ ଗାଡ଼ି କିଣିବା କହି ବ୍ଲକ୍ ସଂଯୋଜିକା ଚତୁରତାର ସହ ଅଲେଖା ଚେକ୍ରେ ମହିଳା ସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦସ୍ତଖତ ନେଇ ଏପ୍ରିଲ ୨୪ରୁ ୨୮ ତାରିଖ ମଧ୍ୟରେ ଟଙ୍କା ସବୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ସଂଘ କର୍ମକର୍ତ୍ତା ବାରମ୍ବାର ସମ୍ପୃକ୍ତ ସଂଯୋଜିକାଙ୍କୁ ଭେଟି ଗୁହାରି କରିଥିଲେ ମଧ୍ୟ ସେ ସେମାନଙ୍କୁ କଥା ଶୁଣୁ ନଥିବା ପ୍ରକାଶ ପାଇଛି।

ଏପରିକି ଓଡ଼ିଶା ଜୀବିକା ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକଙ୍କ ହସ୍ତକ୍ଷେପ ପରେ ମଧ୍ୟ ମହିଳା ସଂଘକୁ ନ୍ୟାୟ ମିଳିପାରିନାହିଁ। ଶେଷକୁ ମହିଳାମାନେ ଆଜି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ପରିଚାଳକଙ୍କୁ ପଚାରିବାରୁ ସେ ଖୁବ୍ ଶୀଘ୍ର ମହିଳା ସଂଘଙ୍କ ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ।