ରାୟଗଡ଼ା: ଚାଷୀଙ୍କ ସବସିଡ୍ ଆବେଦନ ଫର୍ମରେ ନିଜ ମୋବାଇଲ୍ ନମ୍ବର ଦେଇ ଓଟିପି ହାତେଇ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି କୃଷି ବିଭାଗର ଆସିଷ୍ଟାଣ୍ଟ୍ ଟେକ୍ନୋଲୋଜି ମ୍ୟାନେଜର୍। ବର୍ଷ ବର୍ଷ ଧରି ଚାଷୀ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅନ୍ଧାରରେ ରଖି ଟେକ୍ନୋଲୋଜି ମ୍ୟାଜେନର୍ ଚଳାଇଥିବା କଳା କାରନାମା ଏବେ ପଦାକୁ ଆସିଛି। ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ତଦନ୍ତ ଆରମ୍ଭ କରିବା ପରେ ଛୁଟି ନେଇ ଘରକୁ ପଳାଇଛନ୍ତି ଚନ୍ଦ୍ରପୁର ବ୍ଲକ୍ ଆସିଷ୍ଟାଣ୍ଟ୍ ଟେକ୍ନୋଲୋଜି ମ୍ୟାନେଜର୍ ପ୍ରଭାତ କୁମାର ସାହୁ।

Advertisment

‘ଆତ୍ମା’ ଯୋଜନାରେ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ କୃଷି ଯନ୍ତ୍ରପାତି କିଣାରେ ୫୦ ପ୍ରତିଶତ ସବସିଡ୍ ଦେଉଛନ୍ତି। ପ୍ରଥମେ ଚାଷୀ ସଂପୂର୍ଣ୍ଣ ଅର୍ଥ ଡିପୋଜିଟ୍ କରି ଯନ୍ତ୍ରପାତି କିଣିବା ପରେ ପରବର୍ତ୍ତୀ ସମୟରେ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ସବସିଡ୍ ଅର୍ଥକୁ ଫେରାଇଥାନ୍ତି। ସବସିଡ୍ ଆଶାରେ ଚଳିତ ବର୍ଷ   ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସୋରଡ଼ା ପଞ୍ଚାୟତର ଶହ ଶହ ଚାଷୀ ପାଣି ପମ୍ପ ସେଟ୍ ଓ ମିନି ରାଇସ୍ ମିଲ୍ ଯନ୍ତ୍ରାଂଶ କିଣିଛନ୍ତି।  ଯନ୍ତ୍ରାଂଶ କିଣିବା ପରେ ସମସ୍ତ ଚାଷୀ ସବସିଡ୍ ଅର୍ଥ ପାଇବା ପାଇଁ କୃଷି ବିଭାଗର ଚନ୍ଦ୍ରପୁର ଟେକ୍ନୋଲୋଜି ମ୍ୟାନେଜର ପ୍ରଭାତ କୁମାର ସାହୁଙ୍କୁ ଆବଶ୍ୟକ ବ୍ୟାଙ୍କ କାଗଜପତ୍ର ଦେଇଥିଲେ। କିନ୍ତୁ ଚାଷୀଙ୍କ କାଗଜପତ୍ର ପାଇବା ପରେ ଟେକ୍ନୋଲୋଜି ମ୍ୟାନେଜର ଶ୍ରୀ ସାହୁ ସବସିଡ୍ ଆବେଦନ ଫର୍ମରେ ନିଜକୁ ଚାଷୀ ଦର୍ଶାଇ ଜାଲ୍ ଠିକଣା, ପରିଚୟ ପତ୍ର ଓ ନିଜର ମୋବାଇଲ୍ ନମ୍ବର ଦେଇ ହଡ଼ପ କରି ନେଇଛନ୍ତି। ଟଙ୍କା ଉଠାଣ ସମୟରେ ନିଜ ମୋବାଇଲକୁ ଆସୁଥିବା ଓଟିପିକୁ ବ୍ୟବହାର କରି ଡିବିଟି ମାଧ୍ୟମରେ ନିଜ ଆକାଉଣ୍ଟକୁ ଶ୍ରୀ ସାହୁ ସବସିଡ୍ ଟଙ୍କା ଟ୍ରାନସଫର କରିଥିବା କୃଷି ବିଭାଗର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ଏପରିକି କିଛି କିଛି ଚାଷୀଙ୍କଠାରୁ ପୂର୍ବରୁ ସ୍ବାକ୍ଷର ଥିବା ଚେକ୍ ମଧ୍ୟ ଆଣି ଶ୍ରୀ ସାହୁ ଟଙ୍କା ଉଠାଇ ନେଇଛନ୍ତି। କେବଳ ଏତିକି ନୁହେଁ, ଜାଲ୍ କାଗଜପତ୍ର ଓ ଚାଷୀଙ୍କ ନକଲି ଫଟୋ ଲଗାଇ ଶ୍ରୀ ସାହୁ ସରକାରୀ କାଗଜପତ୍ର ପ୍ରସ୍ତୁତ କରିଥିବା ତଦନ୍ତରୁ ଜଣା ପଡିଛି। ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଶ୍ରୀ ସାହୁଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ୍ କରିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ।

ମିଳିଥିବା ସୂଚନାନୁଯାୟୀ, ଡାଙ୍ଗସୋରଡ଼ା ପଞ୍ଚାବୟତ କଲାଗୁଡ଼ି ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ମୁଦ୍ରିକା। ସବସିଡ୍ ଆଶାରେ ୧୪ ହଜାର ଟଙ୍କା ଦେଇ ପାଣି ପମ୍ପ ସେଟ୍ କିଣିଥିଲେ। ଦୀର୍ଘ ଦିନ ଧରି ବ୍ୟାଙ୍କ ଆକାଉଣ୍ଟକୁ ସବସିଡ୍ ଅର୍ଥ ନ ଆସିବା ପରେ କୃଷ୍ଣଚନ୍ଦ୍ର ଟେକ୍ନୋଲୋଜି ମ୍ୟାନେଜର୍ ଶ୍ରୀ ସାହୁଙ୍କୁ ସାକ୍ଷାତ କରିଥିଲେ। ଆଜି କାଲି କହି ଶ୍ରୀ ସାହୁ ଦିନ ଗଡ଼ାଇବା ପରେ ଚାଷୀ କୃଷ୍ଣଚନ୍ଦ୍ର ବ୍ୟାଙ୍କକୁ ଯାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସବସିଡ୍ ଟଙ୍କା ଉଠିଥିବା ଜାଣିବା ପରେ ବ୍ଲକ୍ କୃଷି ଅଧିକାରୀ ରାମଲାଲ୍ ସମଦଙ୍କୁ ଅଭିଯୋଗ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ପରି ମାଦିଗୁଡ଼ା ଗ୍ରାମର ଶବରଧର ବ୍ରେଡେକା ଓ ଅନେକ ଚାଷୀ ସବସିଡ୍ ପାଇନଥିବା ଅଭିଯୋଗ କରିବା ପରେ ଘଟଣା ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ସମଦ। ଘଟଣାର ତଦନ୍ତ ପରେ ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଚନ୍ଦ୍ରପୁରରେ କୃଷି ଯନ୍ତ୍ରପାତି କିଣା ନାଁରେ ଏପରି ବଡ଼ ଧରଣର ଦୁର୍ନୀତି ହୋଇଥିବା ଜଣା ପଡିଛି।