ଶିଳ୍ପପତିଙ୍କୁ ପ୍ରଶାସନର ଅନୁକମ୍ପା! ଟେକି ଦେଉଛନ୍ତି ମୂଲ୍ୟବାନ ସରକାରୀ ଜମି

କୁଆରମୁଣ୍ତା: ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ତା ବ୍ଲକ୍‌ ଅଞ୍ଚଳରେ ସରକାରୀ ଜମିକୁ ଶିଳ୍ପପତିଙ୍କ ହାତରେ ଅବାରିତ ଭାବେ ଟେକି ଦିଆଯାଉଛି। ସ୍ଥାନୀୟ ଆଦିବାସୀଙ୍କ ସ୍ବାର୍ଥକୁ ଉପେକ୍ଷାକରି ମୂଲ୍ୟବାନ ଜମିକୁ ଶାଗମାଛ ଦରରେ କଳେବଳେ କଉଶଳେ ଶିଳ୍ପପତିଙ୍କ ହାତକୁ ଟେକି ଚାଲିଛି ଜିଲ୍ଲା ପ୍ରଶାସନ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ରାଉରକେଲା ସନ୍ନିକଟ କୁଆରମୁଣ୍ତା ବ୍ଲକ୍‌ ଝାରବେଡ଼ା ପଞ୍ଚାୟତର ରିଉଁସ୍ଥ ଜଙ୍ଗଲଜମି। ପ୍ରାୟ ୨ ଶହ ଏକରରୁ ଅଧିକ ଜଙ୍ଗଲଜମିକୁ ଏକ ଘରୋଇ କମ୍ପାନିକୁ ୩ ବର୍ଷ ତଳେ ପ୍ରଦାନ କରାଯାଇଛି। ସେହିପରି ଗତବର୍ଷ କୁଆରମୁଣ୍ତା–ହାତୀବାରି ରୋଡ୍‌ରେ ସହିଦ ଯବାନମାନଙ୍କ ପାଇଁ ସଂରକ୍ଷିତ ଥିବା ୩୭ ଏକରରୁ ଅଧିକ ଜମିକୁ ଅନ୍ୟ ଏକ ଘରୋଇ କମ୍ପାନିକୁ ମଧ୍ୟ ପ୍ରଶାସନ ଶାଗମାଛ ମୂଲ୍ୟରେ ଟେକିଦେଇଛି। ଏବେ ପୁଣି ଆଖି ପଡ଼ିଛି ଡାଏରିଫାର୍ମର ଜମି ଉପରେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ୨ୟ ବୃହତ୍‌ କୁଆରମୁଣ୍ତା ସରକାରୀ ଡାଏରିଫାର୍ମର ମୋଟ ୪୪୧ ଏକର ଜମି ମଧ୍ୟରୁ ରାଜ୍ୟ ସରକାରଙ୍କ ଏକ ଟିମ୍ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ୨୧୨ ଏକର ଜାଗା ଜିହ୍ନଟ କରିଥିଲେ। ଡାଏରିଫାର୍ମ ପାଇଁ ମାତ୍ର ୧୮୨ ଏକର ୫୦ ଡିସିମିଲ ଜାଗା ରଖି ଅବଶିଷ୍ଟ ୨୫୮ ଏକର ୫୦ ଡିସିମିଲ ଜାଗାକୁ ଡାଏରିଫାର୍ମ ପକ୍ଷରୁ କୁଆରମୁଣ୍ତା ତହସିଲକୁ ହସ୍ତାନ୍ତର କରାଯାଇଥିଲା। ସେଥିମଧ୍ୟରୁ ୨୧୨ ଏକର ଜମିକୁ ମେଡିକାଲ କଲେଜ ସ୍ଥାପନ ପାଇଁ ତହସିଲ ପକ୍ଷରୁ ଚିହ୍ନଟ କରାଯାଇଥିଲା। ୨୦୦୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ପ୍ରମୁଖ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରିଥିଲେ। ମାତ୍ର ମେଡିକାଲ କଲେଜ ସ୍ବପ୍ନ ସ୍ବପ୍ନରେ ରହିଗଲା। ଏବେ ଉକ୍ତ ଜମିରୁ ୨୦ ଏକର ୯୦ ଡିସିମିଲ ଜାଗାକୁ ଜିଲ୍ଲା ପ୍ରଶାସନ କଲୁଙ୍ଗାସ୍ଥ ଏକ ଘରୋଇ କମ୍ପାନିକୁ ଶାଗମାଛ ମୂଲ୍ୟରେ ଅର୍ଥାତ ମାତ୍ର ୪୭ ଲକ୍ଷ ଟଙ୍କାରେ ଟେକିଦେବାକୁ ଯୋଜନା ଚଳାଇଛି। ମାତ୍ର ଉକ୍ତଜମିର ବଜାରମୂଲ୍ୟ ୧୦୦ କୋଟିରୁ ଅଧିକ ହେବ। ତେବେ ଏ କଥା ଜଣାପଡ଼ିବା ପରେ କୁଆରମୁଣ୍ତା ନାଗରିକ କମିଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଲିଜ୍ ଅବଧି ଶେଷ ହୋଇଥିଲାବେଳେ କିଭଳି ପୁଣି ଉକ୍ତ ଘରୋଇ କମ୍ପାନିକୁ ଜମି ଟେକିଦେବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ଚାଲିଛି ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ସ୍ଥାନୀୟ ଲୋକଙ୍କ ବିରୋଧକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ବ୍ୟାପକ ପୁଲିସ ସୁରକ୍ଷାରେ ଜମି ଅଧିଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାର ଉକ୍ତ ଜମିରେ ମେଡିକାଲ କଲେଜ ସ୍ଥାପନ ତ କଲେନାହିଁ, ବରଂ ସେଥିରେ କୌଣସି ସୁପର ସ୍ପେଶାଲିଟି ହସ୍‌ପିଟାଲ ପ୍ରତିଷ୍ଠା ପାଇଁ କୁଆରମୁଣ୍ତା ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର