ନିର୍ବାଚନ ପରେ ଅଲୋଡ଼ା ପୁନରୁଦ୍ଧାର ପ୍ରସଙ୍ଗ, କେବେ ଜୀବନ୍ୟାସ ପାଇବ ଜରାଜୀର୍ଣ୍ଣ ଶାରଳା ସୂତାକଳ?
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ନାଉସିରାରେ ରହିଛି ଶ୍ରୀ ଶାରଳା ବୁଣାକାର ସମବାୟ ସୂତା କଳ ଲିଃ। ଦିନେ ହଜାରୁ ଅଧିକ ଶ୍ରମିକଙ୍କ ପେଟପାଟଣାର ପନ୍ଥା ଥିବା ଏହି କାରଖାନା ଏବେ ଜରାଜୀର୍ଣ୍ଣ। କାରଖାନାର ପୂର୍ବ କର୍ମଚାରୀ ଓ ସେମାନଙ୍କ ପରିବାରସଦସ୍ୟଙ୍କ ମନରେ ଚାକିରି ଫେରି ପାଇବା ଆଶାର କିରଣ ଦିଏ ନିର୍ବାଚନୀ ପ୍ରତିଶ୍ରୁତି। ନିର୍ବାଚନ ଆସିଲେ ଏହି ସୂତାକଳ ନେତାଙ୍କ ପ୍ରସଙ୍ଗ ହୁଏ। ନିର୍ବାଚନ ପରେ ପୁଣି ଅଲୋଡ଼ା ହୋଇପଡ଼େ। ସେଠାରେ ଏବେ ରାଜ୍ କରୁଛି ଶୂନ୍ୟତା। ଦୀର୍ଘ ୨୦ ବର୍ଷ ହେବ ଏହି କାରଖାନା ବନ୍ଦ ହୋଇଯିବାରୁ ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥା ପାଲଟି ଯାଇଛି। ଏହି କାରଖାନାକୁ ପୁନଃଜୀବନ ପ୍ରଦାନ କରିବା ପାଇଁ କିଛି ବି ପଦକ୍ଷେପ ନିଆଯାଉ ନାହିଁ। କେବଳ ନିର୍ବାଚନ ଆସିଲେ ସବୁ ରାଜନୈତିକ ଦଳ ନିଜର ନିର୍ବାଚନ ଉସ୍ତାହାରରେ ଏହାର ପୁନଃଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦିଅନ୍ତି। ମାତ୍ର ଏଥିପ୍ରତି କାହାରି କେବେ ଦରଦ ଥିବା ଦେଖିବାକୁ ମିଳୁ ନାହିଁ।
ଶ୍ରୀ ଶାରଳା….. ଆଗକୁ କଣ ଲେଖା ଯାଇଛି ଅକ୍ଷର ଗୁଡ଼ିକ ଲିଭି ଗଲାଣି। ଫାଟକରେ ତାଲା ଝୁଲୁଛି। ସବୁ କିଛି ଭାଙ୍ଗି ରୁଜି ଗଲାଣି। ଭିତରକୁ ଚାହିଁଲେ ଅନାବନା ଗଛରେ ପରିପୂର୍ଣ୍ଣ। ଇଟା, ରଡ୍, ସିମେଣ୍ଟ୍ ବାଲିରେ ତିଆରି କୋଠା ଘର ଗୁଡ଼ିକ ଜଙ୍ଗଲ ମଧ୍ୟରେ ହଜିଗଲାଣି। ଚାରିଆଡେ ଶୂନଶାନ୍। ନିର୍ଜନତା ଯେମିତି ଏଠି ରାଜ୍ କରୁଛି। କେହି ବିଶ୍ବାସ କରିବେ ନାହିଁ ଯେ ଏଠି ଦିନେ କୋଳାହଳ ଲାଗି ରହିଥିଲା। ସକାଳ ସାଇରନ୍ରେ ଲୋକଙ୍କ ନିଦ ଭାଙ୍ଗୁଥିଲା। ମେସିନ୍ର ଗର୍ଜନରେ ଏଠି ହଜାର ହଜାର ଶ୍ରମିକ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସୂଚନା ଅନୁସାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୩୦ ଏକରରୁ ଅଧିକ ଜମିରେ ଶାରଳା ସୂତାକଳ ଆରମ୍ଭ ହୋଇଥିଲା। ଏଥିପାଇଁ ସରକାର ୧୨ କୋଟି ଟଙ୍କା ବ୍ୟୟ କରିଥିଲେ। ସୂତାକଳ ୧୮୮୨ରେ ଆରମ୍ଭ ହୋଇଥିବା ବେଳେ ୧୯୮୪ରେ ସୂତା ଉତ୍ପାଦନ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସମବାୟ ଭିତ୍ତିରେ ଆରମ୍ଭ ହୋଇଥିବାରୁ ସରକାର ବୁଣାକାରମାନଙ୍କୁ ୫୦ ପ୍ରତିଶତ ରିହାତି ଦେଉଥିଲେ। ପ୍ରାୟ ୨୦୦ ଅଧିକାରୀ ଓ ୧୩୦୦ କର୍ମଚାରୀଙ୍କୁ ନେଇ ଚାଲିଥିଲା ଏହି ସୂତାକଳ। ଏହା ଭିତରେ ଗେଷ୍ଟ୍ ହାଉସ୍, ଷ୍ଟାଫ୍ କ୍ବାର୍ଟର ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିଲା। ସୂତାକଳକୁ ଓଡ଼ିଶାର କଳାହାଣ୍ତି, କୋରାପୁଟ, ବଲାଙ୍ଗୀର, ମହାରାଷ୍ଟ୍ର ଏପରିକି ପାକିସ୍ତାନ ଭଳି ବାହାର ଦେଶରୁ କାମାଲ୍ ଆସୁଥିଲା। ଏଠାରେ ଥିବା କୁଶଳୀ କାରିଗର ମେସିନ୍ ସାହାଯ୍ୟରେ ସୂତା ପ୍ରସ୍ତୁତ କରୁଥିଲେ। ଏଠାରୁ ଉତ୍ପାଦନ ହେଉଥିବା ସୂତା କୋଲକାତା, ଗୁଜୁରାଟ ଏମିତି କି ଜାହାଜରେ ସାଉଥ୍ କୋରିଆ ମଧ୍ୟ ରପ୍ତାନୀ ହେଉଥିଲା। ସେତେବେଳେ ପ୍ରାୟ ୪୦ ଜଣ ତନ୍ତୀକୁ ପ୍ରତି ମାସରେ ଦୁଇ ବେଲ୍ ସୂତା(ଗୋଟିଏ ବେଲ୍ ୧୮୧ କିଲୋ ହିସାବରେ ଦୁଇ ବେଲ୍କୁ ୩୬୨ କିଲୋ) ୫୦ ପ୍ରତିଶତ ରିହାତିରେ ଦିଆଯାଉଥିଲା। ଏଥିପାଇଁ ସରକାର ସେତେବେଳେ ପ୍ରାୟ ୭ ଲକ୍ଷ ଟଙ୍କା ଦେଉଥିଲେ। କିଛି ଦିନ ପରେ ସରକାର ତନ୍ତୀଙ୍କୁ ଦେଉଥିବା ୫୦ ପ୍ରତିଶତ ରିହାତି ବନ୍ଦ କରିଦେଲେ। ଏହି ସମୟରେ କର୍ମଚାରୀଙ୍କ ଦରମା ବଢ଼ାଇ ଦିଆଗଲା। ଫଳରେ ସୂତାକଳ ଚଳାଇବା କଷ୍ଟକର ହୋଇ ପଡ଼ିଲା। ଏହାପରେ ୧୯୯୯ ମସିହା ମହାବାତ୍ୟାରେ ସୂତାକଳ ବିପୁଳ କ୍ଷତି ସହିଲା। ସେତେବେଳେ ସରକାର କାରଖାନାର ମରାମତି ବାଇଁ ୮୫ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ସେଥିରେ ସମ୍ପୂର୍ଣ୍ଣ ମରାମତି ହୋଇ ପାରିଲା ନାହିଁ। ପରେ ପରେ ସରକାରଙ୍କ ଆନ୍ତରିକତା ଅଭାବରୁ ସୂତାକଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ୨୦୧୯ ସାଧାରଣ ନିର୍ବାଚନ ଓ ଏହାପରେ ହୋଇଥିବା ଉପ ନିର୍ବାଚନରେ ସମସ୍ତ ରାଜନୈତିକ ଦଳର ଏଜେଣ୍ତା ଥିଲା ଏହି ସୂତାକଳ। ଏହି କାରଖାନାର ପୁନଃଉଦ୍ଧାର କରାଯାଇ ପୂର୍ବ ପରି ସ୍ଥାନୀୟ ଲୋକଙ୍କୁ ଏଠାରେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନେତାଏ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନିର୍ବାଚନ ପରେ ଏହି ପ୍ରସଙ୍ଗ ଅଲୋଡ଼ା ହୋଇଗଲାଣି। ଉପନିର୍ବାଚନରେ ବିଜୟୀ ହେବା ପରେ ଶାସକ ଦଳ ଏ ଦିଗରେ କିଛି ପଦକ୍ଷେପ ନେଇଥିବା ପରି ମନେ ହେଉ ନାହିଁ। ମାତ୍ର ବିରୋଧୀ କଂଗ୍ରେସ ଓ ବିଜେପି ବି ଏ ପ୍ରସଙ୍ଗ ଉଠାଇଥିବା ନଜିର ନାହିଁ। ଏଣୁ ଏହି କାରଖାନା ପ୍ରତି ସମସ୍ତଙ୍କ ଏତେ ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।