ଶାରଳା ସୂତାକଳ ନେଇ ନିର୍ବାଚନୀ ପ୍ରତିଶ୍ରୁତି ଫିକା, ବିକଳ୍ପ କଣ ?

ପୁନରୁଦ୍ଧାର ପ୍ରସଙ୍ଗରେ ରାଜନୈତିକ ଦଳଙ୍କ ପଛଘୁଞ୍ଚା

ଜଗତସିଂହପୁର: ଶାରଳା ସୂତାକଳ ପୁନରୁଦ୍ଧାର ସମ୍ଭବ ନୁହଁ। ସେଠାରେ ବିକଳ୍ପ କିଛି ଶିଳ୍ପ ଅବା କର୍ମନିଯୁକ୍ତି ସୁଯୋଗ ଥିବା ସଂସ୍ଥା ଖୋଲି ସ୍ଥାନୀୟ ବେକାରଙ୍କୁ ଥଇଥାନ କରାଯିବ ଆବଶ୍ୟକ। ସାଧାରଣରେ ଏଭଳି ମତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସୂଚନା ମଧ୍ୟ ସ୍ପଷ୍ଟ କରୁଛି ଯେ ସୂତାକଳର ପୁନରୁଦ୍ଧାର ସମ୍ଭବ ନୁହଁ। ‌ବରଂ ଅନ୍ୟ କିଛି ପାଇଁ ଉଦ୍ୟମ ହେବ। ବଡ଼କଥା ହେଲା ସବୁ ପ୍ରମୁଖ ରାଜନୈତିକ ଦଳର ନେତାମାନେ ସାଧାରଣ ନିର୍ବାଚନରେ ସୂତାକଳକୁ ଏକ ବଳିଷ୍ଠ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର୍‌ ହୋଇଛନ୍ତି। ଏବେ ବାସ୍ତବ ଦୃଷ୍ଟିକୋଣରୁ ସମସ୍ତଙ୍କ ପଛଘୁଞ୍ଚା। କେବଳ କଂଗ୍ରେସ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଚେତାବନୀର ତୁମ୍ବିତୋଫାନ ଜାରି ରଖିଛି। ଏହି ମୃତ ସୂତାକଳ ପ୍ରସଙ୍ଗରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏବେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାତ୍ର ଏହି ପ୍ରସଙ୍ଗରେ ସବୁ ରାଜନୈତିକ ଦଳର ନିରବତା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବିରୋଧୀ ଏଥିପାଇଁ ଶାସକ ଦଳକୁ ଟାର୍ଗେଟ୍‌ କରିଛି। ଏହି କାରଖାନା ବନ୍ଦ ହେବା ପାଇଁ ବିଜେଡି ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାରରେ ରହିଥିବା ନେତାମାନେ ନିର୍ବାଚନ ଆସିଲେ ସୂତାକଳର ପୁନଃଉଦ୍ଧାର ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ନିର୍ବାଚନ ପରେ ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି ବୋଲି ସେମାନେ କହିଛନ୍ତି। ୨୦୦୦ରୁ ରାଜ୍ୟରେ ସ୍ଥିର ସରକାର ରହିଛି। ୨୦୦୯ ମସିହାରୁ ବିଜେଡି ଦଳକୁ ତିର୍ତୋଲବାସୀ ବହୁମତ ଦେଉଛନ୍ତି। ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ, କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ବାଳ, ବିଜେଡି ନେତା ସ୍ବର୍ଗତ ରବୀନ୍ଦ୍ର ଭୋଇ, ବର୍ତମାନର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଦାସ ପ୍ରମୁଖ ଏଠାରୁ ପ୍ରତିନିଧିତ୍ବ କରିଥିବା ବେଳେ ବର୍ତମାନ ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଧାୟକ ରହିଛନ୍ତି। ବିଷ୍ଣୁ ଦାସ ବଂଚିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଥା ଉପସ୍ଥାପନ କରି ପୁନଃ ଉଦ୍ଧାର କରିବେ ବୋଲି କହିଥିଲେ। ହେଲେ ତାହା ସମ୍ଭବ ହେଲାନି। ଉପ ନିର୍ବାଚନରେ ବିଜେଡି–ବିଜେପି ଓ କଂଗ୍ରେସ ନେତା ଏହାକୁ ପ୍ରସଙ୍ଗ କରିଥିଲେ। ଓଡ଼ିଶା ପିସିସି ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ କଂଗ୍ରେସର ବହୁ ହେଭିଓ୍ବେଟ୍ ସୂତାକଳ ନିକଟକୁ ଯାଇ ଫାଟକରେ ପୁଷ୍ପମାଲ୍ୟ ଦେଇ ବିଜେଡିକୁ ଧିକ୍କାରି ଥିଲେ। ବିଜେପି ପ୍ରଚାର ଗାଡ଼ିରେ ସୂତାକଳ କାହିଁକି ହୋଇ ପାରିଲା ନାହିଁ ବୋଲି ବିଜେଡିକୁ ଘେରିଥିଲା। ହେଲେ ଏବେ କାହାର କାହିଁକି ନିଦ ଭାଙ୍ଗୁ ନାହିଁ ବୋଲି ଲୋକେ ଆଲୋଚନା କରୁଛନ୍ତି। ଶାସନରେ ଥିବା ବିଧାୟକ ଓ ମୁଖିଆ କାହିଁକି ଏ ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛନ୍ତି ତାକୁ ନେଇ ନାନା ଆଲୋଚନା ହେଉଛି। ତିର୍ତୋଲ ପାଇଁ ଯଦି ମୁଖ୍ୟମନ୍ତ୍ରୀ ଦୁଇ ଶହ କୋଟିର ସେତୁ ଦେଇ ପାରୁଛନ୍ତି ତେବେ ଶିଳ୍ପ ଦେବାକୁ କାହିଁକି ପଛଘୁଂଚା ? ଯଦି ସୂତାକଳ ନହୋଇ ପାରିବ ତେବେ ସେଠାରେ ଅନ୍ୟ କୌଣସି ଶିଳ୍ପ କାହିଁକି ପ୍ରତିଷ୍ଠା କରାଯାଉ ନାହିଁ ବୋଲି ଚର୍ଚ୍ଚା ହେଉଛି।

ପୁନଃକାର୍ଯ୍ୟକ୍ଷମ ସମ୍ଭବ ନୁହଁ
ବିଧାୟକ ହେବା ପରେ ଏହି ସୂତା କଳର ପୁନଃଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲି। ମାତ୍ର ବର୍ତମାନ ବଜାର ପରିସ୍ଥିତି ଯାହା ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଇବା ସମ୍ଭବ ନୁହେଁ। କଞ୍ଚା‌ମାଲ୍ ଠାରୁ ଆରମ୍ଭ କରି ମାକେର୍ଟିଂ ପର୍ଯ୍ୟନ୍ତ ସବୁକିଛି ସମସ୍ୟା ରହିଛି। ଏଣୁ ଏହାକୁ ପୁନଃକାର୍ଯ୍ୟକ୍ଷମ କରାଇବା ଅପେକ୍ଷା ଏହି ଭିତ୍ତିଭୂମିକୁ ବ୍ୟବହାର କରି ଅନ୍ୟ କିଛି କାରଖାନା ଆରମ୍ଭ କରାଇବା ପାଇଁ ଯୋଜନା କରାଯାଉଛି। ଏହା ସମ୍ଭବ ହେଲେ ପୂର୍ବ ପରି ମଧ୍ୟ ଏଠାରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇପାରିବେ। ନିର୍ବାଚନ ପୂର୍ବରୁ ଯାହା ବି ପ୍ରତିଶ୍ରୁତି ଦେଇଛି ଏହାକୁ ଭୁଲି ନାହିଁ, ନିଶ୍ଚିତ ପୂରଣ କରିବି।
ବିଜୟ ଶଙ୍କର ଦାସ, ବିଧାୟକ

୨୨ ବର୍ଷଧରି ଶାସନ କରୁଥିବା ନେତାଙ୍କୁ ଦେଖାଯାଉନାହିଁ
ତିର୍ତୋଲ ଏକ ବଡ଼ ଧରଣର ଆନ୍ଦୋଳନ ହେବ। କଂଗ୍ରେସ ସରକାର ସମୟରେ ଏହି ସୂତାକଳ ହୋଇଥିଲା। ମାତ୍ର ଏହି ସରକାର ତାର ମୂଲ୍ୟ ବୁଝିଲେନି। ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନ ନେଇ ଏହାକୁ ବନ୍ଦ କରିଦେଲା। ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକ। ଏଠାରୁ ଦାଦନ ଖଟିବା ପାଇଁ ଅଂଚଳବାସୀ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି। ୨୨ ବର୍ଷ ଧରି ସରକାରରେ ଥିବା ଦଳକୁ ଏହା କେମତି ଦେଖାଯାଉ ନାହିଁ। ଓଲଟା ନିର୍ବାଚନ ସମୟରେ ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଏହାର ଜବାବ କଂଗ୍ରେସ ଦେବ ଓ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସରକାରଙ୍କ ନିଦ ଭାଙ୍ଗିବା ପାଇଁ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ। ହିମାଂଶୁ ମଲ୍ଲିକ, କଂଗ୍ରେସ ନେତା

ବାପାଙ୍କ ପ୍ରତିମୂର୍ତ୍ତି ଛଡ଼ା ଉନ୍ନତି କଥା ମୁଣ୍ଡରେ ପଶୁନି
ବାପାଙ୍କ ପ୍ରତିମୂର୍ତ୍ତି ଛଡ଼ା ବିଧାୟକ ଆଉ କିଛି କରି ନାହାନ୍ତି ଯେଉଁ ଆଗ୍ରହ ରଖି ନିର୍ବାଚନ ମଣ୍ତଳୀର ୩ଟି ବ୍ଲକରେ ବାପାଙ୍କ ପ୍ରତିମୂର୍ତ୍ତି ପାଇଁ ମୁଣ୍ତରେ ବୁଦ୍ଧି ପଶୁଛି। ମାତ୍ର ବନ୍ଦ ପଡ଼ିଥିବା ଏହି ସୂତାକଳ ସମ୍ପର୍କରେ ଚିନ୍ତା କରିବା ପାଇଁ ଯୋଜନା କରିବାକୁ ସକ୍ଷମ ହେଉ ନାହିଁ। ୩ ବର୍ଷ ମଧ୍ୟରେ ଗୋଟିଏ ଥର ବି ବିଧାନସଭାରେ ଏହି ପ୍ରସଙ୍ଗ ଉଠିଲା ନାହିଁ। ତେବେ ଅଞ୍ଚଳର ଉନ୍ନତି ହେବ କିପରି ? ଏହି ସୂତାକଳର ଅବସ୍ଥା ଯାହା ବାସ୍ତବରେ ତାର ପୁନଃଉଦ୍ଧାର ସମ୍ଭବ ନୁହେଁ। ତଥାପି ଏଠାରେ ଆଉ କ’ଣ କରାଯାଇପାରିବ, ସେନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି।
ରାଜକିଶୋର ଦାସ, ବିଜେପି ନେତା

ସମ୍ବନ୍ଧିତ ଖବର