ପୌର ପରିଷଦ କାର୍ଯ୍ୟାଳୟର ମୁଖ୍ୟଦ୍ୱାରରେ ତାଲା ପକାଇ ଅନଶନରେ ବସିଲେ କାଉନସିଲର

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟର ମୁଖ୍ୟଦ୍ୱାରରେ ତାଲା ପକାଇ ଅନଶନରେ ବସିଲେ ୧୧ ନମ୍ବର ୱାର୍ଡର କଂଗ୍ରେସ କାଉନସିଲର ମୁନା ପାଢ଼ୀ। ଶ୍ରୀ ପାଢ଼ୀଙ୍କ ଅଭିଯୋଗ ହେଲା ଉମରକୋଟ ପରିଷଦ ଗଠନ ହେବାର ଚାରିମାସ ବିତି ଯାଇଥିଲେ ମଧ୍ୟ ସହରରେ କୌଣସି କାର୍ଯ୍ୟ ଠିକ ଭାବେ ହେଉ ନଥିବା ତଥା ପରିଷଦ କାର୍ଯ୍ୟାଳୟକୁ କର୍ମଚାରୀ ଠିକ ସମୟରେ କାର୍ଯ୍ୟରେ ଯୋଗ ଦେଉ ନ ଥିବା, ରାଇଘର ରୋଡ଼ସ୍ଥିତ ପୌର ପରିଷଦର ବିସର୍ଜନ ପୋଖରୀ ପୋତାଯିବା, ସରକାରୀ ଜାଗାରେ ବେସରକାରୀ ଦୋକାନ ଗୃହ ନିର୍ମାଣ, ଆରସିଏମଏସରେ ନିମ୍ନମାନର ଚାଉଳ ବଣ୍ଟନ, ବିପର୍ଯ୍ୟସ୍ତ ସଫେଇ କାର୍ଯ୍ୟ, ପିଇବା ପାଣି ବଣ୍ଟନର ଅବ୍ୟବସ୍ଥାକୁ ନେଇ ବିଗତ ଦିନରେ ଅନେକ ଥର ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଅଭିଯୋଗ ଗୁଡିକୁ ଅଣଦେଖା କରାଯାଉଛି।

ଏହାକୁ ପ୍ରତିବାଦ କରି ଅଭିନବ ଉପାୟରେ ୧୧ନମ୍ବର କାଉନସିଲର ମୁଖ୍ୟଦ୍ୱାରରେ ତାଲା ପକାଇ ଦୀର୍ଘ ୩ ଘଣ୍ଟା ଧରି ପରିଷଦର ମୂଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଥିଲେ। ଫଳରେ ପ୍ରାୟ ତିନି ଘଣ୍ଟା କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବନ୍ଦ ହେଇଯାଇଥିଲା। ଏହି ସମୟରେ ଅନେକ କର୍ମଚାରୀ ଭିତରେ ରହି ଥିବା ବେଳେ ଆଉ କିଛି କର୍ମଚାରୀ ବାହାରେ ଅପେକ୍ଷା କରି ରହିଥିଲେ। ସମସ୍ତ ସମସ୍ୟାର ସମାଧାନ ନ ହେଲେ ମୁଁ ଧାରଣାରୁ ଉଠିବି ନାହିଁ ବୋଲି ଜିଦ ଧରି ବସିଥିଲେ କଂଗ୍ରେସ କାଉନସିଲର।

ପ୍ରାୟ ତିନି ଘଣ୍ଟା ପରେ ଅଭିଯୋଗ ମୁତାବକ ପୋତା ଯାଇଥିବା ବିସର୍ଜନ ପୋଖରୀ ଖୋଲିବା ପାଇଁ ଜେସିବି ଆସି କାମରେ ଲାଗିଲା ଓ ଅନ୍ୟ ଅଭିଯୋଗଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କ ଠାରୁ ଲିଖିତ ପ୍ରତିଶୃତି ପାଇବା ପରେ କାଉନସିଲର ଶ୍ରୀ ପାଢ଼ୀ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ। ଖବର ପାଇ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ, ସବଇନ୍‌ସପେକ୍ଟର ଖଗେଶ୍ୱର ଖୋସଲା, ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ ଓ ପୁଲିସ ଫୋର୍ସ କୌଣସି ଅଘଟଣ ଘଟିବାର ଆଶଙ୍କା କରି ଘଟଣା ସ୍ଥଳରେ ସଜାଗ ରହିଥିଲେ। ଆଜିର ଏହି ପ୍ରତିବାଦରେ ଆଠ ନମ୍ବର ୱାର୍ଡର କଂଗ୍ରେସ କାଉନସିଲର ସରସ୍ବତୀ ଶବର, ମାର୍କଣ୍ଡ ସାହୁ, କୁନା ନାୟକ,ଏସ ବିଜୟ,ଉସମାନ ଲାଠିଆ, ପର୍ଶୁ ନାୟକ, ଶଙ୍କର ସାମଲ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର