ମାଲକାନଗିରି: ଆସନ୍ତାକାଲି ଗଣତି ଥିବା ବେଳେ ପ୍ରଶାସନ ତରଫରୁ ପୂର୍ବ ପ୍ରସ୍ତୁତି ଏକ ପ୍ରକାର ସରିଯାଇଛି।ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ୧୫ ଜଣ ପ୍ରାର୍ଥୀ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ରହିଛି।ସ୍ଥାନୀୟ ପୋଲିଟେକନିକ ମହାବିଦ୍ୟାଳୟରେ ମତଦାନ ଗଣତି କାର୍ଯ୍ୟକ୍ରମ ରହିଛି।ସକାଳ ୮ଟାରେ ଗଣତି ଆରମ୍ଭ ହେବ।ପ୍ରଥମେ ପୋଷ୍ଟାଲ ଗଣତି ଓ ପରେ ଇଭିଏମ ଗଣତି ହେବ।ମାଲକାନଗିରି ବିଧାନସଭା କ୍ଷେତ୍ରରେ ୩୦୦ ବୁଥ ରହିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୪୭ଟି ବୁଥ ରହିଛି।ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗଣତୁ ଦୁଇଟି ହଲରେ ହେଉଥିବା ବେଳେ ଚିତ୍ରକୋଣ୍ଡା ପାଇଁ ଗୋଟିଏ ହଲ କରାଯାଇଛି।ମାଲକାନଗିରି ପାଇଁ ୧୪ଟି ଟେବୁଲ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ପାଇଁ ୮ଟି ଟେବୁଲ ରହିଛି।ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗଣତି ୨୨ ରାଉଣ୍ଡ ହେଉଥିବା ବେଳେ ଚିତ୍ରକୋଣ୍ଡାର ଗଣତି ୩୧ ରାଉଣ୍ଡ ହେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏଡିଏମ ବେଦବର ପ୍ରଧାନ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ମାଲାକନଗିରି ନର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ଲଢୁଥିବା ବେଳେ ବିଜେପିର ନରସିଂହ ମାଡକାମୀ,କଂଗ୍ରେସର ମାଲା ମାଢିଙ୍କ ମଧ୍ୟରେ ସିଧା ଟକ୍କର ହେବ।ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଆଗୁଆ ରହିବ ବୋଲି ସମ୍ଭାବନା ରହିଛି।ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ ମଧ୍ୟରେ ହିଁ ସିଧାସଳଖ ଟକ୍କର ହେବ।ସେହିପରି ଚିତ୍ରକୋଣ୍ଡାରେ ବିଜେଡି ପ୍ରାର୍ଥିନୀ ଲକ୍ଷ୍ମିପ୍ରିୟା ନାୟକ ସହ ବିଜେପିର ଡମ୍ବରୁ ଶିଶା ଓ କଂଗ୍ରେସର ମଙ୍ଗୁ ଖିଲଙ୍କ ମଧ୍ୟରେ ଲଢେଇ ହୋଇଥିଲା।ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଥିବା ବେଳେ ବିଜେଡି ଆଗୁଆ ହେବ ବୋଲି ସମ୍ଭାବନା ରହିଛି।ସେହପରି ନବରଂଗପୁର ସାଂସଦ ପ୍ରାର୍ଥୀ ପାଇଁ ବିଜେଡିର ପ୍ରଦୀପ ମାଝିଙ୍କ ସହ ସିଧାସଳଖ ବିଜେପି ବଳଭଦ୍ର ମାଝିଙ୍କ ସହ ଟକ୍କର ହେବ।ତେବେ ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ପଛୁଆ ରହିଥିବା ଜଣାପଡିଛି।ତେବେ ବିଜେପିର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ବିଜେଡି ଠାରୁ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି।
ଜିଲ୍ଲାରେ ଗତ ମେ ୧୩ ତାରିଖରେ ମତଦାନରେ ୭୫.୦୪ ପ୍ରତିଶତ ମତଦାନ ହୋଇଥିଲା।ତେବେ ଏହି ମତଦାନରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକା ଥିଲା।ମାଲକାନଗିରି ନିର୍ବାଚାନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୪୬,୯୯୮ ରହିଥିବା ବେଳେ ଏଥିରୁ ୧,୮୮,୫୮୦ ଭୋଟ ଦେଇଛନ୍ତି।ଏହି ନିର୍ବାଚନ ମଣ୍ଡଳୀରେ ୭୬ ପ୍ରତିଶତ ମତଦାନ ହୋଇଛି।ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଖ୍ୟା ହେଲା ୨,୦୫,୫୪୬ ଥିବା ବେଳେ ଏଥିରୁ ୧,୫୫,୮୪୬ ଜଣ ମତଦାନ କରିଥିଲେ।ଏହି ନିର୍ବାଚନ ମଣ୍ଡଳୀରେ ୭୫.୮୨ ପ୍ରତିଶତ ମତଦାନ ହୋଇଛି।ତେବେ ଗଣନା ଆରମ୍ଭ ହେବା ପୂର୍ବରୁ ନେତାଙ୍କ ଛାତି ଧୁଡୁ ଧୁଡୁ ହେଉଥିବା ଲକ୍ଷ୍ୟ କରାଯାଇଛି।ଏକଜିଟ ପୋଲକୁ ନେଇ ମଧ୍ୟ ସାରା ଜିଲ୍ଲାରେ କିଏ ଜିତିବ ଆଉ କିଏ ହାରିବ ସେନେଇ ଚର୍ଚ୍ଚା ଜୋର ଧରିଛି।