ଝାରସୁଗୁଡ଼ା: ନାଟକୀୟ ଢ଼ଙ୍ଗରେ ଟ୍ରେନ୍‌ ଯୋଗେ ଓଡ଼ିିଶାରୁ ନୂଆଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ଦମ୍ପତିଙ୍କୁ ଝାରସୁଗୁଡ଼ା ଜିଆରପି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୧୬ କେଜି ଗଞ୍ଜେଇ ଜବତ କରାଯାଇଛିି। ନିୟମିତ ଭାବେ ଏହି ଦମ୍ପତି ନୂଆଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି।
ଜିଆରପି ଡିଏସପି କିଶୋର ପାଣିଗ୍ରାହୀ କହିଛନ୍ତି ଯେ ବିହାର ଇଷ୍ଟ ଚମ୍ପାରନ ଅଞ୍ଚଳର ଅଙ୍କିତ କୁମାର ସିଂହ ଓରଫ ଅମ୍ମାନୁଲ୍ଲା ସିଦ୍ଦିକ(୨୭ ବର୍ଷ) ଓ ତାଙ୍କ ପତ୍ନୀ ସୋନୁ(୨୩ ବର୍ଷ) ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସେମାନେ ପ୍ରେମ ବିବାହ କରିବା ସହିତ ରାଉରକେଲାର ବାସନ୍ତୀ କଲୋନିରେ ରହୁଥିଲେ। ଗତକାଲି ଏହି ଦମ୍ପତି ଉତ୍କଳ ଏକ୍ସପ୍ରେସ ଯୋଗେ ରାଜଗାଙ୍ଗପୁର ଷ୍ଟେସନରୁ ନୂଆଦିଲ୍ଲୀ ଯିବା ପାଇଁ ଉଠିଥିଲେ। ସାଙ୍ଗରେ ସେମାନେ ଯେଉଁ ଲଗେଜ୍‌ ନେଇଥିଲେ,ସେଥିରେ ଏକ ବଡ଼ ସୁଟ୍‌କେସ ଥିଲା। ତେବେ ଏହି ସୁଟକେସ୍‌ରେ ସେମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଜିଆରପିକୁ ଠୋସ ସୂଚନା ମିଳିଥିଲା। ତେଣୁ ଏହି ଦମ୍ପତିଙ୍କୁ ଝାରସୁଗୁଡ଼ା ଷ୍ଟେସନ୍‌ରେ ଯାଞ୍ଚ କରାଯିବାରୁ ସେମାନଙ୍କ ନିକଟରୁ ଏହି ୧୬ କେଜି ଚୋରା ଗଞ୍ଜେଇ ଜବତ କରଯାଇଥିଲା। ତେଣୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛିି। ଏହି ଦମ୍ପତିି ବାରମ୍ବାର ଏହିପରି ଭାବେ ଗଞ୍ଜେଇ ନେଇ ନୂଆଦିଲ୍ଲୀକୁ ଯାଇଥିବା ସ୍ୱୀକାର କରିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।