ଟ୍ରେନରୁ ଓହ୍ଲାଇଲେ ଦମ୍ପତି, ସ୍ବାମୀ କରୋନା ପଜିଟିଭ୍

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଆଜି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ସଂଧ୍ୟାରେ ବ୍ରହ୍ମପୁର ରେଳ ଷ୍ଟେସନ୍‌କୁ ସାନିଟାଇଜ୍‌ କରାଯାଇଛି। ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣକ ବ୍ରହ୍ମପୁର ସହରର ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ରେଳ ଷ୍ଟେସନ୍‌ରେ ନିୟୋଜିତ ଥିବା ସ୍ବାସ୍ଥ୍ୟ ବିଭାଗର ଟିମ୍‌ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ପୁରୀ-ଓଖା ଟ୍ରେନ୍‌ ଆସି ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଲାଗିଥିଲା। ସେହି ଟ୍ରେନ୍‌ରୁ ବହୁ ଯାତ୍ରୀ ଓହ୍ଲାଇଥିଲେ। ଏକ ଦମ୍ପତି ମଧ୍ୟ ଟ୍ରେନ୍‌ରୁ ଓହ୍ଲାଇଥିଲେ। ସେମାନେ ପ୍ଲାଟଫର୍ମ ବାହାକୁ ଆସିବା ପରେ ସେମାନଙ୍କ ଥର୍ମାଲ୍‌ ଟେଷ୍ଟିଂ କରାଯାଇଥିଲା। ଏଥିରେ ସ୍ବାମୀଙ୍କ ଶରୀର ତାପମାତ୍ରା ଅଧିକ ରହିଥିବା ବେଳେ ସ୍ତ୍ରୀଙ୍କ ତାପମାତ୍ରା ଠିକ୍‌ ଥିଲା। ଏଣୁ ସେହି ୪୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ଅଧଘଣ୍ଟା ପରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଥିଲା। ସେପଟେ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଏ ସମ୍ପର୍କରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଖବର କରିବା ଘଟଣାକୁ ନେଇ ଉକ୍ତ ଦମ୍ପତିଙ୍କ ମଧ୍ୟରେ ଅସେନ୍ତାଷ ପ୍ରକାଶ ପାଇଥିଲା। ଉକ୍ତ ଦମ୍ପତି ନିଜ ଘରକୁ ଚାଲି ଯାଇଥିବା ବେଳେ ବିଏମ୍‌ସି ତରଫରୁ ସେମାନଙ୍କୁ ଯୋଗାଯୋଗ କରାଯିବ ବୋଲି ଜଣାପଡ଼ିଛି। ବିଏମ୍‌ସି ତରଫରୁ ସଂଧ୍ୟାରେ ରେଳ ଷ୍ଟେସନ୍‌ ପରିସର ଓ ପ୍ଲାଟଫର୍ମକୁ ସାନିଟାଇଜ୍‌ କରାଯାଇଛି। ଟ୍ରେନ୍‌ରେ ସଂକ୍ରମିତ ବ୍ୟକ୍ତି ଆସୁଥିବାରୁ କର୍ମଚାରୀଙ୍କ ମହଲରେ ଚିନ୍ତା ବଢ଼ିଯାଇଛି।
ସମ୍ବନ୍ଧିତ ଖବର